ସମ୍ବଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ସହର ଚଳଚଞ୍ଚଳ ହୋଇଉଠିଛି। ଆଜି ରାତିରେ ସର୍ବପୁରାତନ ନନ୍ଦପଡ଼ା ଯାତ୍ରା କମିଟି ତରଫରୁ ବଂବରାଡ଼ ବାଲୁଙ୍କେଶ୍ୱର ବାବାଙ୍କ ପତରପେଣ୍ଡି ପାରମ୍ପରିକ ରୀତିନୀତି ଅନୁଯାୟୀ ସଂପନ୍ନ ହୋଇଛି। ରାତି ୮ଟାରେ ମନ୍ଦିରରେ ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ପୂଜାର୍ଚ୍ଚନା ପରେ ବରପିତା ରାମଚରଣ ମିଶ୍ର, ମନ୍ଦିର ପୂଜକ ଲକ୍ଷପତି ମହାପାତ୍ର, ବିବାହ ପୁରୋହିତ ଶଶାଙ୍କ ମିଶ୍ର ଓ ସପ୍ତଋଷି ସୁସଜ୍ଜିତ ରଥରେ ସବାର ହୋଇ ଏକ ଭବ୍ୟ ଶୋଭାଯାତ୍ରାରେ ଦେବଦେବ ମହାଦେବଙ୍କ ପାଇଁ କନ୍ୟା ଅନ୍ବେଷଣରେ ବାହାରିଥିଲେ। ଶଙ୍ଖ, ଘଣ୍ଟ, ଦୁଲ୍‌ଦୁଲି, ଧମାଲ ବାଦ୍ୟ, ମୟୂର ଝାର ନୃତ୍ୟ, ଯୋଡ଼ି ଶଙ୍ଖ ଆଦିରେ ରାସ୍ତା କମ୍ପିଥିଲା। ଶୋଭାଯାତ୍ରା ହାଟପଡ଼ା, ନନ୍ଦପଡ଼ା, ମହାନ୍ତିପଡ଼ା, କଂସାରିପଡ଼‌ା, ବୈଦ୍ୟନାଥ ଛକ, ଶକ୍ତି ସଂଘ ଛକ ଦେଇ ମ୍ୟୁନିସିପାଲିଟି ଛକସ୍ଥିତ କନ୍ୟା ପିତାମାତା ପ୍ରତାପ ନନ୍ଦ ଓ ଲିପିକା ନନ୍ଦଙ୍କ ଅସ୍ଥାୟୀ ବାସଭବନ ନାରୀ ସେବା ସଦନରେ ପହଞ୍ଚିଥିଲା।

Advertisment

ବିଜୟ ମିଶ୍ର, କାମପାଳ ହୋତା, ଗୋଲକ ବିହାରୀ ମିଶ୍ର, ଅଶୋକ କୁମାର ମିଶ୍ର, ଚକ୍ରଧର ମିଶ୍ର, ପୂର୍ଣ୍ଣାନନ୍ଦ ମିଶ୍ର, ଅମରେନ୍ଦ୍ର ପୂଜାରୀ ସପ୍ତର୍ଷି ଭୂମିକା ନିର୍ବାହ କରିଥିଲେ। ପାରମ୍ପରିକ ରୀତିରେ ବରପକ୍ଷ ଓ କନ୍ୟାପକ୍ଷଙ୍କ ମଧ୍ୟରେ କଥୋପକଥନ ପରେ ବଂବରାଡ଼ ବାଲୁଙ୍କେଶ୍ବର ବାବାଙ୍କ ସହିତ ମାତା ପାର୍ବତୀଙ୍କ ବିବାହ ସ୍ଥିର ହୋଇଥିଲା। ବୁଧବାର ନୃସିଂହ ନିଉତା ଅନୁଷ୍ଠିତ ହେବ। ବାଲୁଙ୍କେଶ୍ବର ବାବା ଓ ଜଗତ୍‌ଜନନୀ ମାତା ପାର୍ବତୀଙ୍କ ବିବାହ ନିମନ୍ତେ ପ୍ରଭୁ ନୃସିଂହ ଶୋଭାଯାତ୍ରାରେ ବିଭିନ୍ନ ଦେବାଳୟକୁ ଯାଇ ଦେବାଦେବୀଙ୍କୁ ଗୁଆନିଉତା ଦେଇ ନିମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି। ୩୦ ତାରିଖ ଦିନ ବାଲୁଙ୍କେଶ୍ବର ବାବାଙ୍କ ବିବାହରେ ସାକ୍ଷୀ ରହିବା ନିମନ୍ତେ ପ୍ରଭୁ ସାକ୍ଷୀ ଗୋପୀନାଥଙ୍କୁ ସାକ୍ଷୀପଡ଼ାରୁ ନନ୍ଦପଡ଼ାକୁ ଏକ ଶୋଭାଯାତ୍ରାରେ ନିଆଯିବ। ଆସନ୍ତା ୩୧ ତାରିଖ ମଧ୍ୟରାତ୍ରରେ ଶିବ-ପାର୍ବତୀଙ୍କ  ବିବାହ, ଜୁନ୍ ୧ ତାରିଖ ଦିନ ଦେବଦମ୍ପତିଙ୍କ ନଗର ପରିକ୍ରମା ଆରମ୍ଭ ପରେ ୨ ତାରିଖ ଅପରାହ୍‌ଣରେ ମନ୍ଦିର ପ୍ରବେଶ କାର୍ଯ୍ୟକ୍ରମ ରହିଛି।