ରିୟଲ ଇଷ୍ଟେଟ ବିବାଦ : ‘ରେରା ଆଇନର ପ୍ରଚାର ପାଇଁ ସରକାର ପଦକ୍ଷେପ ନିଅନ୍ତୁ’, ଅପରାଧିକ ମାମଲାର ରଙ୍ଗ ଦିଆ ନଯାଉ

କଟକ : ‌ରିୟଲ ଇଷ୍ଟେଟ କାରବାରକୁ ନେଇ ସୃଷ୍ଟି ହେଉଥିବା ବିବାଦ ଲାଗି ଆଇନ ପ୍ରଣୟନ କରାଯାଇଛି। ଅନେକ ସମୟରେ ରି‌ୟଲ ଇଷ୍ଟେଟ କାରବାର ସଂପର୍କିତ ବିବାଦକୁ ଅପରାଧିକ ମାମଲାର ରଙ୍ଗ ଦିଆଯାଉଛି। ରିୟଲ ଇଷ୍ଟେଟ କାରବାର ନିୟନ୍ତ୍ରଣ ପାଇଁ ରହିଥିବା ଆଇନର ଆଶ୍ରୟ ଲୋକମାନେ ନେଉନାହାନ୍ତି। ଏପରି ପରିସ୍ଥିତିରେ ରିୟଲ ଇଷ୍ଟେଟ (ରେଗୁଲେସନ ଆଣ୍ଡ ଡେଭେଲପମେଣ୍ଟ) ଆଇନ, ୨୦୧୬ର ବ୍ୟାପକ ପ୍ରସାର ଉପରେ ହାଇକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଜମି କାରବାର ତଥା ଠକେଇ ଅଭିଯୋଗ ସଂପର୍କିତ ମାମଲାରେ ଦାୟର ଜାମିନ ଆବେଦନର ଶୁଣାଣି କରି ଆବେଦନକାରୀଙ୍କୁ ସର୍ତ୍ତମୂଳକ ଜାମିନ ଦେବା ସହିତ ରିୟଲ ଇଷ୍ଟେଟ (ରେଗୁଲେସନ ଆଣ୍ଡ ଡେଭେଲପମେଣ୍ଟ) ଆଇନ, ୨୦୧୬ର ବହୁଳ ପ୍ରସାର କରିବାକୁ ରାଜ୍ୟ ସରକାରଙ୍କୁ କହିଛନ୍ତି।

ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ, ଜମାକାରୀଙ୍କ ସ୍ବାର୍ଥ ରକ୍ଷା ପାଇଁ ପ୍ରଣୟନ କରାଯାଇଥିବା ଆଇନ କେବେ ରିୟଲ ଇଷ୍ଟେଟ କାରବାର ପାଇଁ ଲାଗୁ ହେବ ନାହିଁ। ବିଲ୍ଡର ଓ କ୍ରେତା ସଂପର୍କରୁ ସୃଷ୍ଟି ହେଉଥିବା ଅନାବଶ୍ୟକ ମାମଲା ରୋକିବାକୁ ରେରା ଆଇନର ବହୁଳ ପ୍ରସାରଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ। ରେରା ଆଇନ ଅଧିନରେ କାର୍ଯ୍ୟ କରୁଥିବା କର୍ତ୍ତୃପକ୍ଷଙ୍କୁ ସରକାର ସମସ୍ତ ସୁବିଧା ପ୍ରଦାନ କରିବା ଉଚିତ। ଏଭଳି ଉଲ୍ଲେଖ ସହିତ ମାମଲାର ଆବେଦନକାରୀ ମ‌ହାଶ୍ବେତା ବିଶ୍ବାଳଙ୍କୁ ଖଣ୍ଡପୀଠ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଆବେଦନକାରୀ ୨୦୨୦, ଅଗଷ୍ଟ ୨୦ରେ ସତ୍ୟପାଠରେ ଦାଖଲ କରି ଏତଲାକାରୀଙ୍କୁ ଯେତିକି ଅର୍ଥ ଯେଉଁ ସମୟରେ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ତାହା ପାଳନ କରିବେ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର