ପଞ୍ଜୀକରଣ କରୁନାହାନ୍ତି ରିୟଲ ଇଷ୍ଟେଟ୍‌ ପ୍ରୋଜେକ୍ଟ

ମୁକ୍ତେଶ୍ବର ରେସିଡେନ୍‌ସି, ଟାୱାର ଆନେକ୍ସକୁ ୬ ଲକ୍ଷ ଜରିମାନା, ନନ୍ଦନଭିଲ୍ଲାକୁ ୨୦ ଲକ୍ଷ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକାରୀ ହେଉଥିବା ରିଏଲ ଇଷ୍ଟେଟ ପ୍ରକଳ୍ପଗୁଡିକ ଓଡ଼ିଶା ସ୍ଥାବର ସଂପତ୍ତି ନିୟାମକ ପ୍ରାଧିକରଣ (ରେରା) ଅଧୀନରେ ବିଲ୍‌ଡର ପଞ୍ଜୀକରଣ କରୁନାହାନ୍ତି। ଏହାକୁ ନେଇ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରେରା। ଭୁବନେଶ୍ବର ପଟିଆରେ ବିଶ୍ବଜ୍ୟୋତି ହାଉସିଂ ଡେଭଲପ୍‌ମେଣ୍ଟ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚର ଲିମିଟେଡ ଦ୍ବାରା ନିର୍ମାଣାଧୀନ ‘ନନ୍ଦନଭିଲ୍ଲା’ ପ୍ରକଳ୍ପ ପାଇଁ ୨୦ ଲକ୍ଷ ଟଙ୍କା ଜରିମାନା ହୋଇଛି। ସେହିଭଳି ବ୍ରହ୍ମପୁରରେ ନିର୍ମାଣାଧୀନ ମୁକ୍ତେଶ୍ବର ରେସିଡେନ୍‌ସି ଓ ମୁକ୍ତେଶ୍ବର ଟାଓ୍ବାର ଆନେକ୍ସ ନାମକ ଦୁଇଟି ପ୍ରକଳ୍ପ ପାଇଁ ତିନି ଲକ୍ଷ ଲେଖାଏଁ ୬ ଲକ୍ଷ ଟଙ୍କା ଜରିମାନା ଧାର୍ଯ୍ୟ ହୋଇଛି।

ଉଲ୍ଲେଖଯୋଗ୍ୟ, ୫୦୦ ବର୍ଗ ମିଟରରୁ ଅଧିକ ଜମି ଉପରେ ନିର୍ମିତ କିମ୍ବା ଆଠଟି ୟୁନିଟ ଠାରୁ ଅଧିକ ନିର୍ମାଣ କରିବାକୁ ହେଲେ ରେରା ଅଧୀନରେ ପଞ୍ଜୀକୃତ ହେବା ଆବଶ୍ୟକ। ହେଲେ ଅଧିକାଂଶ ବିଲ୍ଡର ରେରା ଠାରୁ ସ୍ବୀକୃତି ନେଉ ନାହାନ୍ତି। ଫଳରେ ଅଣପଞ୍ଜୀକୃତ ପ୍ରକଳ୍ପ ଅଧୀନରେ ଜମି ଓ ଘର କିଣି କ୍ରେତା ଠକାମୀର ଶିକାର ହେଉଛନ୍ତି। ଏଭଳି ଏକାଧିକ ଅଭିଯୋଗ ଆସିବା ପରେ ରେରା ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଯାଞ୍ଚ କରାଯାଇଥିଲା। ଯାଞ୍ଚ ସମୟରେ ଉପରୋକ୍ତ ତିନୋଟି ପ୍ରକଳ୍ପ ସମେତ ୫ଟି ପ୍ରକଳ୍ପ ବିନା ସ୍ବୀକୃତିରେ ନିର୍ମାଣ ହେଉଥିବା ନଜରକୁ ଆସିଥିଲା। କାରଣ ଦର୍ଶାଅ ନୋଟିସ୍‌ ଜାରି କରିବା ପୂର୍ବରୁ ଦୁଇଟି ପ୍ରକଳ୍ପ ପଞ୍ଜୀକୃତ କରାଇ ନେଇଥିଲେ। କିନ୍ତୁ ଅନ୍ୟ ତିନୋଟି ପ୍ରକଳ୍ପ କାରଣ ଦର୍ଶାଅ ନୋଟିସ୍‌ ପରେ ମଧ୍ୟ ପଞ୍ଜୀକୃତ କରାଇନଥିଲେ। ଏଣୁ ଉପରୋକ୍ତ ତିନୋଟି ପ୍ରକଳ୍ପ ଉପରେ ଜରିମାନା କରାଯାଇଥିଲା। ଏଭଳି ଏକାଧିକ ଅଭିଯୋଗ ଆସୁଥିବାରୁ ରେରା ଏବେ ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ଏକ ସ୍ବତନ୍ତ୍ର ଟିମ୍‌ ଏହି ସବୁ ବେଆଇନ ବା ଅଣପଞ୍ଜୀକୃତ ନିର୍ମାଣ ଉପରେ ନଜର ରଖିବ ବୋଲି ଜଣାପଡ଼ିଛି। ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଠକ ବିଲ୍ଡରଙ୍କ ଛାତିରେ ଛନକା ପଶିଛି।

ସମ୍ବନ୍ଧିତ ଖବର