ସମ୍ବଲପୁର: ମାଳ ମାଳ ନକଲି ଚାଷୀ। ଚାଷ ନକରି ପଡ଼ିଆ ଜମି ଦେଖାଇ ଧାନ ବିକିବାକୁ ନକଲି ଚାଷୀ ସାଜି ନାମ ପଞ୍ଜୀକରଣ କରିଛନ୍ତି। ସମ୍ବଲପୁର ଜିଲ୍ଲାସାରା ଏଭଳି ହଜାର ହଜାର ନକଲି ଚାଷୀ ଭରି ହୋଇଛନ୍ତି। ଏହି ନକଲିଙ୍କ କାରନାମାରେ ଏବେ ଅସଲି ଚାଷୀ ଅଡୁଆରେ ପଡ଼ିଲେଣି।
ମିଳିଥିବା ସୂଚନା ଅନୁସାରେ, ଧାନକିଣା ପ୍ରକ୍ରିୟାରେ ସ୍ୱଚ୍ଛତା ପାଇଁ ସରକାର ସାଟେଲାଇଟ୍‌ ସର୍ଭେ କରାଇଥିଲେ। ଏଥିରେ ସମ୍ବଲପୁର ଜିଲ୍ଲାର ୫୦ ହଜାର ୫୫୯ଟି ପଞ୍ଜୀକୃତ ଜମି ସନ୍ଦେହଘେରକୁ ଆସିଥିଲା। ସନ୍ଦେହଘେରକୁ ଆସିଥିବା ଜମି ସବୁର ଯାଞ୍ଚ ପାଇଁ ଗ୍ରାଉଣ୍ଡ ଜିରୋକୁ ସର୍ଭେୟରମାନଙ୍କୁ ପଠାଯାଇଥିଲା। ସେମାନେ ଯାଇ ପଞ୍ଜୀକୃତ ହୋଇଥିବା ଜମିର ଫଟୋ ଉଠାଇ ଆପ୍ଲିକେସନରେ ଅପ୍‌ଲୋଡ କରିଥିଲେ। ଏହାସହ କେଉଁ ଜମିରେ ଚାଷ ହୋଇଛି ଓ କେଉଁଥିରେ ହୋଇନାହିଁ ତାହାର ରିପୋର୍ଟ ପ୍ରଦାନ କରିଥିଲେ। ଏହି ସର୍ଭେୟରମାନେ ପ୍ରଦାନ କରିଥିବା ରିପୋର୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ୫୦ ହଜାର ୫୫୯ ପଞ୍ଜୀକୃତ ଜମିରୁ ମାତ୍ର ୭ହଜାର ୫୫୯ଟି ଜମିରେ ଚାଷ ହୋଇଥିବା ଗ୍ରାଉଣ୍ଡ ଜିରୋ ସର୍ଭେ ପରେ ସର୍ଭେୟରମାନେ ରିପୋର୍ଟ ଡିଆରସିଏସଙ୍କୁ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ୪୩ ହଜାରଟି ଜମିରେ ଚାଷ କରାନଯାଇ ପଞ୍ଜୀକରଣ କରାଯାଇଥିବା ଏଯାଏଁ ସ୍ପଷ୍ଟ ହୋଇସାରିଲାଣି। ବାକି ୭୫୫୯ଟି ଜମି ଯେଉଁଠି ଚାଷ ହୋଇଛି ବୋଲି ସର୍ଭେୟର ରିପୋର୍ଟ ଦେଇଛନ୍ତି, ତାକୁ ପୁଣି ଗୋଟି ଗୋଟି କରି ଡିଆରସିଏସ ଯାଞ୍ଚ କରୁଛନ୍ତି। ତେବେ, କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟ ଅନୁରୂପ ସ୍ଥିତି ରହିଥିବା ଜଣାଯାଇଛି। ତେବେ ଚଳିତ ବର୍ଷ ସମ୍ବଲପୁର ଉପଖଣ୍ଡରେ ଆସନ୍ତା ୨୨ ତାରିଖରୁ ମଣ୍ଡି ଖୋଳିବ। ସେହିପରି ୨୭ ତାରିଖରୁ ରେଢ଼ାଖୋଲ ଓ କୁଚିଣ୍ଡା ଉପଖଣ୍ଡରେ ମଣ୍ଡି ଖୋଳିବ। ଯେଉଁ ତାରିଖ ମଣ୍ଡି ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ତାହା ଚାଷୀଙ୍କ ପାଇଁ ସମସ୍ୟା ହୋଇଛି ବୋଲି ଚାଷୀ ନେତାମାନେ କହିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ସମ୍ବଲପୁର ଜିଲ୍ଲାରେ ୬୦ ହଜାର ୬୪ ଜଣ ଚାଷୀ ଧାନ ବିକିବାକୁ ଆବେଦନ କରିଥିଲେ। ସୋସାଇଟି ଓ ଡିଆରସିଏସ୍‌ ସେଥିରୁ ୧୬୦ଟି ଆବେଦନକୁ ନାକଚ କରିଥିଲେ। ୫୯ହଜାର ୯୦୪ ଜଣ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏମାନଙ୍କ ଚାଷ ଜମିରେ ବାସ୍ତବରେ ଚାଷ ହୋଇଛି ନା ନାହିଁ ତାହା ଯାଂଚ କରିବା ଲାଗି ହୋଇଥିବା ସାଟେଲାଇଟ୍‌ ସର୍ଭେରୁ ୫୦ ହଜାର ୫୫୯ଟି ଜମି ସନ୍ଦେହ ଘେରକୁ ଆସିଛି। ମୋଟାମୋଟି ଯାଞ୍ଚ ପ୍ରକ୍ରିୟା ପରେ ହିଁ କେତେ ଜଣ ଚାଷୀଙ୍କ ପାଇଁ ଟୋକନ୍‌ ଇସ୍ୟୁ ହେବ ତାହା ସାମ୍ନାକୁ ଆସିବ। ଏଭଳି ପରିସ୍ଥିତିରେ ଚଳିତ ଖରିଫ୍‌ ଋତୁରେ ଧାନକିଣା ପ୍ରକ୍ରିୟା ବିଳମ୍ବିତ ହେବ ଏବଂ ଏଥିରେ ବିଚରା ଚାଷୀ ହିଁ ଗୁରୁତର କ୍ଷତିର ସମ୍ମୁଖୀନ ହେବା ଥୟ ବୋଲି ବିଭିନ୍ନ ଚାଷୀ ସଂଗଠନ ଆଶଙ୍କାବ୍ୟକ୍ତ କଲେଣି।