ବାସ୍ତବ ଜୀବନର ହିରୋ ଡାକ୍ତର

ସେବା ମନୋବୃତ୍ତି ରଖିଲେ ଜୀବନରେ ଅଭାବ ରହିବ ନାହିଁ: ଡା. ଲଳିତ ମେହେର

ଜୁଲାଇ ୧ ତାରିଖକୁ ସାରା ଭାରତରେ ବିଶ୍ବ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି। ଏହା ଏପରି ଏକ ଦିନ ଜଣେ ଡାକ୍ତରଙ୍କ ବ୍ୟକ୍ତିଗତ ଜୀବନ ଓ ବୃତ୍ତିଗତରେ ଚିକିତ୍ସାର ଅବଦାନକୁ ପରଖିବା ପାଇଁ ଏହାକୁ ପାଳନ କରାଯାଏ। ଡାକ୍ତର ଦିବସ ପାଳନ ଆମ ଜୀବନରେ ଡାକ୍ତରଙ୍କ ମୂଲ୍ୟ ଉପରେ ଗୁରୁତ୍ୱ ଦେବା ଏବଂ ସେମାନଙ୍କ କାର୍ଯ୍ୟକୁ ସ୍ମରଣ କରି ସେମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ପ୍ରୟାସ। ଏହି ଦିବସ ଭିନ୍ନ ଭିନ୍ନ ଦେଶରେ ଭିନ୍ନଭିନ୍ନ ସମୟରେ ପାଳନ କରାଯାଏ। କେତେକ ଦେଶରେ ଏହି ଦିନକୁ ସରକାରୀ ଛୁଟି ଭାବେ ମଧ୍ୟ ଘୋଷଣା କରାଯାଇଛି। ଭାରତରେ ଡାକ୍ତର ଦିବସ ପାଳନର ଇତିହାସ ଭିନ୍ନ । ଭାରତର କିମ୍ବଦନ୍ତୀ ଚିକିତ୍ସକ ତଥା ପଶ୍ଚିମବଙ୍ଗର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ଡାକ୍ତର ବିଧାନ୍ ଚନ୍ଦ୍ର ରାୟଙ୍କୁ ସମ୍ମାନ ଜଣାଇବା ପାଇଁ ୧୯୯୧ ଜୁଲାଇ ୧ ତାରିଖକୁ ଭାରତରେ ଡାକ୍ତର ଦିବସ ଭାବେ ପାଳନ କରାଯାଉଛି। କାରଣ ୧୮୮୨ ଜୁଲାଇ ୧ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ସଫଳତା ପାଇବା ପରେ ୧୯୬୨ ମସିହା ରେ ୮୦ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ତାଙ୍କର ସ୍ବେଚ୍ଛାକୃତ ରୋଗୀ ସେବା ପାଇଁ ୧୯୬୧ ଫେବୃଆରୀ ୪ ତାରିଖରେ ଭାରତ ସର୍ବଶ୍ରେଷ୍ଠ ନାଗରିକତ୍ବ ପୁରସ୍କାର ଭାରତ ରତ୍ନରେ ମଣ୍ଡିତ ହୋଇଥିଲେ।

ଅନେକ ସମୟରେ ଲୋକେ ଡାକ୍ତରଙ୍କୁ ଆଙ୍ଗୁଳି ଉଠାଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ଭିତରେ ଡାକ୍ତରଙ୍କ କର୍ତ୍ତବ୍ୟ ସାମ୍ନାକୁ ଆସିଛି। ପ୍ରତିଦିନ କୋଭିଡ ଚିକିତ୍ସାଳୟରେ ଡାକ୍ତରମାନେ ୨୪ ଘଣ୍ଟା ରୋଗୀମାନଙ୍କ ସହ ରହି ସୁସ୍ଥ କରିବାକୁ ଉଦ୍ୟମ କରୁଛନ୍ତି। ଏହାରି ଭିତରେ ନିଜ ଜୀବନ ଦେବାକୁ ମଧ୍ୟ ପଛାଇ ନାହାନ୍ତି। ପୂର୍ବରୁ ସମସ୍ତେ ଡାକ୍ତରଙ୍କ ମହତ୍ବ ଚିହ୍ନିବାରେ ସମର୍ଥ ନଥିବା ବେଳେ କରୋନା ମହାମାରୀ ସମୟରେ ସମାଜ ପାଇଁ ସେମାନଙ୍କ ଅବଦାନ୍ ବେଶ ବାରି ହୋଇ ପଡୁଛି। ସାଧାରଣ ଲୋକ ନିଜକୁ ସମସ୍ତଙ୍କ ଠାରୁ ଅଲଗା ରଖୁଥିବା ବେଳେ ଡାକ୍ତର କରୋନା ଆକ୍ରାନ୍ତ ରୋଗୀଙ୍କ ସହ ମିଶି ସେମାନଙ୍କୁ ସୁସ୍ଥ କରିବାର ଉଦ୍ୟମ କରୁଛନ୍ତି। ତେଣୁ ଖାଲି ବର୍ତମାନ ସମୟରେ ନୁହେଁ ସବୁ ସମୟରେ ଡାକ୍ତରମାନେ ପ୍ରକୃତ ହିରୋ ବୋଲି ବିଭିନ୍ନ ପତ୍ରିକାରେ ଉଲ୍ଲେଖ କରାଯାଉଛି। ତେଣୁ ସମୟ ଆସିଛି ଡାକ୍ତରଙ୍କୁ ଯଥେଷ୍ଟ ସମ୍ମାନ ଦେବାର। ଯାହାକି ତାଙ୍କର ମନୋବଳକୁ ବୃଦ୍ଧି କରିବାରେ ସକ୍ଷମ ହେବ। ନିକଟରେ ରାଜ୍ୟ ସରକାର ଡାକ୍ତରଙ୍କ ପାଇଁ ଅନେକ ସୁବିଧା ସୁଯୋଗ ଘୋଷଣା କରିବା ସହ ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିଥିଲେ।

ଡାକ୍ତରୀ ଏକ ଧର୍ମ
ଡାକ୍ତର ଦିବସ ଅବସରରେ, ସମସ୍ତ ବୟୋଜ୍ୟେଷ୍ଠ, କନିଷ୍ଠ, ଏବଂ ସହକର୍ମୀ ଡାକ୍ତରମାନଙ୍କୁ ଅନେକ ଅନେକ ଅଭିନନ୍ଦନ। ଏବେ ଆମ ସମସ୍ତଙ୍କ ପାଇଁ ଆତ୍ମସମୀକ୍ଷାର ବେଳ ଆସିଛି। ସମାଜ, ସାମ୍ବାଦିକ ଏବଂ ରାଜନେତା ସମସ୍ତେ ଆମମାନଙ୍କୁ ଭିନ୍ନ ନଜରରେ ଦେଖିବାକୁ ଆରମ୍ଭ କଲେଣି। ଡାକ୍ତରୀ ଏକ ବ୍ୟବସାୟ ଭିତ୍ତିକ ପେସା ନୁହେଁ। ଡାକ୍ତରୀ ଏକ ଧର୍ମ। ଡାକ୍ତରୀ ଏକ ସେବ ଭିତ୍ତିକ ପେସା। ସମସ୍ତେ ଜାଣିରଖିବା ଉଚିତ ଯେ ବ୍ଲାକ୍‌ସିପ୍‌ ସବୁ ପେସାରେ ଅଛନ୍ତି। କରୋନା ମହାମାରୀ ସମୟରେ ଡାକ୍ତର ଏବଂ ଡାକ୍ତରୀ ପେସାକୁ ସମ୍ମାନ ଦେବାର ସମୟ ଆସିଛି।
ଡାକ୍ତର ବେଣୁଧର ପାଣ୍ଡେ, ଭିମ୍‌ସାର୍‌, ବୁର୍ଲା

କେଉଁ ଦେଶରେ କେବେ ପାଳନ କରାଯାଏ:ଅଷ୍ଟ୍ରେଲିଆରେ ୩୦ ମାର୍ଚରେ ଡାକ୍ତର ଦିବସ ପାଳନ ହେଉଥିବା ବେଳେ କୁଏତରେ ମାର୍ଚ୍ଚ ୩ ,ବ୍ରାଜିଲରେ ଅକ୍ଟୋବର ୧୮,କାନଡାରେ ମେ ୧, କ୍ୟୁବାରେ ଡିସେମ୍ବର ୩, ଇରାନରେ ଅଗଷ୍ଟ ୨୩, ମାଲେସିଆରେ ଅକ୍ଟୋବର ୧୦, ତୁର୍କରେ ମାର୍ଚ୍ଚ ୧୪, ଭିଏତନାମରେ ଫେବୃଆରୀ ୨୭,ନେପାଲରେ ମାର୍ଚ୍ଚ ୪ରେ ଡାକ୍ତର ଦିବସ ପାଳନ କରାଯାଉଛି।

ସେବା ମନୋବୃତ୍ତି ରଖିଲେ ଜୀବନରେ ଅଭାବ ରହିବ ନାହିଁ
ବର୍ତ୍ତମାନ ସବୁ ପେସାରେ, ସମଗ୍ର ସମାଜରେ ନୈତିକ ମୂଲ୍ୟବୋଧ ହ୍ରାସ ପାଇଛି। ଡାକ୍ତରମାନେ ଏହାର ଊର୍ଧ୍ବରେ ନୁହନ୍ତି। କିନ୍ତୁ ଅନ୍ୟ ପେସା ତୁଳନାରେ ଡାକ୍ତର ମାନେ ଅଧିକ ସେବା ଓ ପରିଶ୍ରମ କରୁଥିଲେ ବି ତାଙ୍କ ଉପରେ ଲୋକଙ୍କର ଅଧିକ ଆଶା ଓ ଅପେକ୍ଷା ରହୁଥିବାରୁ ସେମାନେ ଅନେକ ସମୟରେ ବଦନାମ ବା ନିନ୍ଦିତ ହେଉଛନ୍ତି। ସବୁ ପେସାରେ ଭଲ ଓ ଖରାପ ଲୋକ ଅଛନ୍ତି। ଆଜି ବି ଦେଶରେ ଏଭଳି ବହୁ ଡାକ୍ତର ଅଛନ୍ତି ଯେଉଁମାନେ ସଂପୂର୍ଣ୍ଣଭାବେ ମାନବ ସେବା ପାଇଁ ଉତ୍ସର୍ଗୀକୃତ। ତେଣୁ ସେହି ମାନଙ୍କୁ ଆଦର୍ଶ ଭାବେ ଗ୍ରହଣ କରି ସମସ୍ତ ଡାକ୍ତର, ବିଶେଷ କରି ଯୁବ ପିଢ଼ି ଉତ୍ସର୍ଗୀକୃତ ଭାବନାରେ କାମ କରିବା ଉଚିତ। ଭଗବାନ ଜୀବନରେ କେବେ କୌଣସି ଅଭାବ ବା ଅସୁବିଧା କରିବେ ନାହିଁ।
ଡା. ଲଳିତ ମେହେର
ନିର୍ଦ୍ଦେଶକ, ଭିମ୍‌ସାର୍‌

ସମୟ ସମୟରେ ଡାକ୍ତରଙ୍କ ପ୍ରତି ସମାଜର ଦୃଷ୍ଟିକୋଣ ବଦଳିଥାଏ
ଡା. ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ଦିନରେ ଡକ୍ସର୍ସ ଡେ ପାଳନ କରାଯାଏ। ସେ ଜଣେ ଦକ୍ଷ କ୍ଲିନିସିଆନ୍‌ ଥିଲେ ଓ ପରବର୍ତ୍ତୀ ସମୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ଆଣି ପାରିଥିଲେ। ପୂର୍ବରୁ ଡାକ୍ତରକୁ ଭଗବାନର ଆଖ୍ୟା ମିଳୁଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଆସିଥିବା ଆଇନ୍‌ରେ ଡାକ୍ତରଙ୍କ ମାନ୍ୟତାରେ ଅନେକ ପରିବର୍ତ୍ତନ ଆସିଥିଲା। ବର୍ତ୍ତମାନ ପୁଣି ଡାକ୍ତରମାନେ ଯୋଦ୍ଧା ବିବେଚିତ ହେଉଛନ୍ତି। ତେଣୁ ସମୟ ସମୟରେ ଡାକ୍ତରଙ୍କ ପ୍ରତି ସମାଜର ଦୃଷ୍ଟିକୋଣ ବଦଳିଛି ଓ ଆଗକୁ ବି ବଦଳିବ। ତେବେ ସବୁ ଡାକ୍ତର ସବୁ ସମୟରେ ରୋଗୀକୁ ସର୍ବାଧିକ ଗୁରୁତ୍ବ ଦେବା ଦରକାର। ଡାକ୍ତରମାନେ ଅର୍ଥ ସର୍ବସ୍ବ ନହେ‌ାଇ କାମ କଲେ ସେମାନଙ୍କ ସହ ସମଗ୍ର ଡାକ୍ତରୀ ପେସାର ସମ୍ମାନ ବୃଦ୍ଧି ପାଇବ।
ଡା. ଅଶ୍ବିନୀ ପୂଜାହାରୀ
ପୂର୍ବତନ ନିର୍ଦ୍ଦେଶକ ,ଭିମସାର୍‌

ରୋଗୀ-ଡାକ୍ତର ସଂପର୍କ ସୁଦୃଢ଼ ହେଲେ ପେସାର ଗାରିମା ବଢ଼ିବ
ଡାକ୍ତରୀ ପେସା‌ର ବ୍ୟବସାୟୀକରଣ ନହୋଇ ସେବା ମନୋଭାବ ରହିଲେ ରୋଗୀ ଓ ଡାକ୍ତର ସଂପର୍କ ସୁଦୃଢ଼ ହେବା ସହ ଏହି ପେସାର ଗାରିମା ବଢ଼ିବ। ବର୍ତ୍ତମାନର ସମ୍ବେଦନଶୀଳ ସମୟରେ ଆଗ ଧାଡ଼ିର କରୋନାଯୋଦ୍ଧା ଭାବେ ବିବେଚିତ ହେଉଥିବା ଡାକ୍ତରମାନେ ମନରେ ଦ୍ବନ୍ଦ୍ବ ବା ଭୟ ନରଖି ଉତ୍ସର୍ଗୀକୃତଭାବେ କାର୍ଯ୍ୟ କଲେ କୋଭିଡ୍ ଭୂତାଣୁକୁ ପରାସ୍ତ କରିବା ସମ୍ଭବ ହେବ।
ଡା. ଶଂକର ରାମଚନ୍ଦାନୀ
ବରିଷ୍ଠ ଆବାସିକ ଡାକ୍ତର, ଭିମସାର୍‌

ସମାଜ ଓ ରୋଗୀଙ୍କ କଲ୍ୟାଣ ସାଧନ ହିଁ ଡାକ୍ତରର ଲକ୍ଷ୍ୟ
ପ୍ରତିବର୍ଷ ଜୁଲାଇ ୧କୁ ଆମେ ଡାକ୍ତର ଦିବସ ଭାବେ ପାଳନ କରିଥାଉ। ସେବା କରିବାର ମନୋବୃତ୍ତି ଓ ନିଃସ୍ବାର୍ଥପର ଭାବେ ଗରିବଙ୍କ କଲ୍ୟାଣ ନିମନ୍ତେ କାମ କରିବାର ପ୍ରବୃତ୍ତି ଓ ସବୁ ସମୟରେ ଯାହା ବି କରିବେ ତା ସମାଜ ଓ ରୋଗୀଙ୍କ କଲ୍ୟାଣ ସାଧନ ହେବା ଦରକାର। ଏକ ଉଚ୍ଚକୋଟିର ନାଗରିକ ହେବା ପାଇଁ ପ୍ରତି ଡାକ୍ତର ସବୁବେଳେ ଚେଷ୍ଟିତ ହେବା ଦରକାର। ଡାକ୍ତର ସବୁବେଳେ ରୋଗୀକୁ ନୂଆ ଜୀବନ ଦେବା ପାଇଁ ଚେଷ୍ଟା କରିଥାଏ। ଡାକ୍ତରଙ୍କୁ ରୋଗୀଙ୍କ ଭଗବାନ ବୋଲି କୁହାଯାଏ, ହେଲେ ଏଠାରେ ଉଭୟେ ଉଭୟଙ୍କ ପାଇଁ ଭଗବାନ ବୋଲି ମୁଁ ଭାବେ।
ପ୍ରଫେସର ଡାକ୍ତର ଚିତ୍ତରଂଜନ କର
ନେଫ୍ରୋଲୋଜି ବିଭାଗ ମୁଖ୍ୟ, ଏସ୍‌ସିବି, କଟକ

ଡାକ୍ତରଙ୍କ ବିନା ପୃଥିବୀ କେତେ ଅସୁରକ୍ଷିତ
ବିଶ୍ବ ମହାମାରୀ ପ୍ରମାଣ କରିଦେଇଛି ଡାକ୍ତରଙ୍କ ବିନା ପୃଥିବୀ କେତେ ଅସୁରକ୍ଷିତ। ଏହା ବି ପ୍ରମାଣ କରି ଦେଇଛି ଡାକ୍ତର ନିଜ ଜୀବନକୁ ବାଜି ଲଗାଇ ରୋଗୀ ସେବା କରିପାରନ୍ତି। ତେଣୁ ଡାକ୍ତର ଦିବସରୁ ଚାଲନ୍ତୁ ଡାକ୍ତରଙ୍କୁ ସମ୍ମାନ ଦେବା ଶିଖିବା। ତାହେଲେ ଆମ ପରିବାର ଓ ସମାଜର ସ୍ବାସ୍ଥ୍ୟ ଆଗକୁ ସୁରକ୍ଷିତ ରହିବ।
ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ବିଶିଷ୍ଟ ଭେଷଜ ବିଶେଜ୍ଞ ତଥା ନୋଡାଲ ଅଫିସର କୋଭିଡ୍‌-୧୯ (ତାଲିମ୍‌), ଏସ୍‌ସିବି, କଟକ

ଚିକିତ୍ସା କ୍ଷେତ୍ର ପ୍ରତି ଅବହେଳା କ୍ଷତିକାରକ
ଯୁଗ ଯୁଗରୁ ସମାଜରେ ଚିକିତ୍ସା କ୍ଷେତ୍ର ଓ ଚିକିତ୍ସକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିବେଚିତ ହୋଇ ଆସିଛି। ମଣିଷର ପ୍ରାଥମିକ ଆବଶ୍ୟକତା ଭିତରେ ସ୍ବାସ୍ଥ୍ୟ ଅନ୍ୟତମ। ତେଣୁ ଏଭଳି ଏକ ଜରୁରୀ ସେବା ଯୋଗାଉଥିବା ପେସା ଓ ପେସାଦାରଙ୍କୁ ଅବହେଳା ସମାଜ ପାଇଁ କ୍ଷତିକାରକ। ବର୍ତ୍ତମାନର କୋଭିଡ୍ ମହାମାରୀ ପରିସ୍ଥିତିରେ ଏହା ପ୍ରମାଣିତ ହୋଇଛି। ଆମର ସ୍ବାସ୍ଥ୍ୟ ସମସ୍ୟା କେତେ ଉତ୍କଟ ତାହା ଏବେ ଜଳଜଳ ଦେଖାଯାଉଛି। ସ୍ବାସ୍ଥ୍ୟ ବ୍ୟବସ୍ଥାର ସାମଗ୍ରିକ ଉନ୍ନତି ପାଇଁ ରାଜନୈତିକ, ସାମାଜିକ ଓ ବ୍ୟବସ୍ଥାଗତ ଇଚ୍ଛାଶକ୍ତି ଆବଶ୍ୟକ। ତେଣୁ ଚିକିତ୍ସାକ୍ଷେତ୍ର ତଥା ଏହି କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ନ୍ୟାଯ୍ୟ ଗୁରୁତ୍ବ ମିଳିବା ଉଚିତ।
ଡା. ପ୍ରକାଶ ପଣ୍ଡା
ବିଭାଗୀୟ ମୁଖ୍ୟ, ଶିଶୁରୋଗ ବିଭାଗ, ଭିମ୍‌ସାର୍‌

ସମ୍ବନ୍ଧିତ ଖବର