ଆସନ୍ତୁ ଜାଣିବା ଓଡ଼ିଶାର ରିୟଲ ଲାଇଫର ରାଞ୍ଚୋ ଅନିଲ ପ୍ରଧାନଙ୍କ ପ୍ରେରଣାଦାୟୀ କଥା

ଭୁବନେଶ୍ୱର : ୨୦୦୯ରେ ପରଦାକୁ ଆସିଥିବା ବଲିଉଡ ଫିଲ୍ମ ‘ଥ୍ରୀ-ଇଡିୟଟ୍ସ’ ଆଜି ବି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଯେତେବେଳେ ଏହି ଫିଲ୍ମ କଥା ଉଠେ ସେତେବେଳେ ଫିଲ୍ମର ମୁଖ୍ୟ ଭୂମିକାରେ ଥିବା ‘ରାଞ୍ଚୋ’ ତଥା ଅମିର ଖାନଙ୍କ ଅଭିନୟ କଥା ଯୁବପିଢ଼ୀଙ୍କୁ ବେଶ୍ ପ୍ରେରଣା ଯୋଗାଇଥାଏ । କିଭଳି ପାଠକୁ ଘୋଷିବା ଅପେକ୍ଷା ତାହାକୁ ବାସ୍ତବକି ଜୀବନରେ ବ୍ୟବହାର କରି ସଫଳତା ଶୀର୍ଷରେ ପହଁଚି ଅନେକଙ୍କ ପାଇଁ ଉଦାହରଣ ପାଲଟିବ ତାହା ହିଁ ଏହି ଫିଲ୍ମରେ ଦେଖିବାକୁ ମିଳିଥିଲା। ଆଉ କାହାଣୀ ପରି ଲାଗୁଥିବା ଏହି ଫିଲ୍ମ ଏବେ ବାସ୍ତବରେ ପରିଣତ ହୋଇଛି। ଆମକୁ ମିଳିଛନ୍ତି ଥ୍ରୀ-ଇଡିୟଟର ରିୟଲ ‘ରାଞ୍ଚୋ’। ସେପୁଣି ଓଡ଼ିଶାର ରାଞ୍ଚୋ ଭାବେ ବେଶ୍ ଜଣାଶୁଣା। ତେବେ ଆସନ୍ତୁ ଜାଣିବା ରିୟଲ ଲାଇଫର ରାଞ୍ଚୋଙ୍କ ପ୍ରେରଣାଦାୟୀ କଥା।

The Better India

କଟକ ସହର ଠାରୁ ୧୨ କିଲୋମିଟର ଦୂରରେ ଥିବା ‘୪୨ ମୌଜା’ର ବରାଳ ଗାଁର ୨୨ ବର୍ଷିୟ ଅନିଲ ପ୍ରଧାନ। ବୟସ ହୁଏତ କମ୍ କିନ୍ତୁ ଅଭିଜ୍ଞତା ଏବଂ କାର୍ଯ୍ୟ ଦକ୍ଷତାରେ ସେ ଆଜି ଓଡ଼ିଶାର ରିୟଲ ରାଞ୍ଚୋ ଭାବେ ବେଶ୍ ଜଣାଶୁଣା। କାରଣ ପଛୁଆ ଅଞ୍ଚଳରେ ଜନ୍ମ ହୋଇଥିଲେ ମଧ୍ୟ ସେ ନିଜକୁ ଏମିତି ସଫଳତା ଶୀର୍ଷକୁ ନେଇଛନ୍ତି ତାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ଅନିଲ ଗ୍ରାମାଞ୍ଚର ଶିକ୍ଷା ବୃଦ୍ଧି ପାଇଁ ଏକ ପବ୍ଲିକ ସ୍କୁଲ ପ୍ରତିଷ୍ଠା କରିଛନ୍ତି। ଆଉ ତାହା ସମ୍ପୂର୍ଣ୍ଣ ମାଗଣାରେ। ଏହି ମର୍ଡନ ପବ୍ଲିକ ସ୍କୁଲରେ ବୈଷୟିକ ବିଜ୍ଞାନ, ଟେକ୍ନୋଲୋଜୀ ଏବଂ ଆବିଷ୍କାର ଭଳି ବିଭିନ୍ନ ଶିକ୍ଷା ପ୍ରଦାନ କରୁଛନ୍ତି ଅନିଲ୍।

ଅନିଲଙ୍କ ପରିବାର ଲୋକଙ୍କ କହନ୍ତି, ଅନିଲ ପ୍ରତିଦିନ ୧୨ କିଲୋମିଟର ସାଇକେଲ ଚଢ଼ି ସ୍କୁଲକୁ ଯିବାଆସିବା କରନ୍ତି। ପିଲାଟି ଦିନରୁ ହିଁ ଅନିଲ ପାଠପଢ଼ାକୁ ଗୁରୁତ୍ୱ ସହ ଗ୍ରହଣ କରିଲେ ଏବଂ ବିଭିନ୍ନ ସମୟରେ ଆବିଷ୍କାର ଉଦ୍ଭାବନ କରିବା ପାଇଁ ଲାଗିପଡୁଥିଲେ। ପ୍ରତିଦିନ ସାଇକେଲ ଖରାପ ହେଉଥିଲା ଆଉ ସେ’ ତାକୁ ମରାମତି କରିବାରେ ଲାଗିପଡୁଥିଲେ। ଯାହା ତାଙ୍କ ଜୀବନରେ ବିଭିନ୍ନ ଆବିଷ୍କାର ପାଇଁ ବାଟ କାଢ଼ିଥିଲା। ଆଉ ଉଦ୍ଭାବନ କ୍ଷେତ୍ରରେ ତାଙ୍କର ଅଧିକ ଅଭିଳାଶ ମଧ୍ୟ ବଢ଼ିଚାଲିଲା।

ସ୍କୁଲ ପାଠ୍ୟକ୍ରମ ଶେଷ କରିବା ପରେ ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇଲେ। ଯେଉଁଠାରେ ଅନିଲ୍ ସିଭିଲ୍ ଇଞ୍ଜିନିୟରିଂ ସହ ‘ରୋବଟିକ୍ ସୋସାଇଟି’ ପାଠ୍ୟକ୍ରମରେ ନିଜକୁ ସାମିଲ କରିଥିଲେ। ଉକ୍ତ ବର୍ଷ ୟୁନିଭର୍ସିଟିର ସାଟେଲାଇଟ୍ ଟିମର ସହପାଠିଙ୍କ ଦ୍ୱାରା ଏକ ପ୍ରୋଜେକ୍ଟ ଆରମ୍ଭ କରାଗଲା। ଯେଉଁ ପ୍ରୋଜେକ୍ଟରେ ବିଶ୍ୱର ବୃହତ୍ତମ ଡ୍ୟାମ୍ ହୀରକୁଦର ତଦାରଖ କରିବା ପାଇଁ ଏକ ସାଟେଲାଇଟ୍ ନିର୍ମାଣ କରାଗଲା । ଆଉ ଏହି ଅବିଶ୍ୱସନୀୟ ପ୍ରୋଜେକ୍ଟ ମାଧ୍ୟମରେ ମଣିଷ ଦ୍ୱାରା ସମ୍ଭବ ହୋଇନପାରିବ କାର୍ଯ୍ୟ ଅର୍ଥାତ୍ ଡ୍ୟାମ୍ ନିକଟରେ ଅଚଳ ହୋଇପଡୁଥିବା ବିଦ୍ୟୁତ୍ ଖୁଣ୍ଟିର ସଫଳ ମରାମତି କରିବା ପାଇଁ ଏକ ରୋବଟ ଡିଜାଇନ୍ କରିଥିଲେ ଅନିଲ। ଆଉ ଉଦ୍ଭାବନ ହୋଇଥିଲା ଭାରତର ପ୍ରଥମ ‘ବହୁମୁଖୀ ଷ୍ଟୁଡେଣ୍ଟ ସାଟେଲାଇଟ୍’। ତେବେ ସେହି ମୁହୂର୍ତ୍ତ ହିଁ ଅନିଲଙ୍କ ଆତ୍ମବିଶ୍ୱାସ ଦ୍ୱିଗୁଣିତ କରିଥିଲା। ଆଉ ସେ ସିଭିଲ ଇଂଜିନିୟରିଂ ସହ ମେକାନିକ୍ସ, ଇଲୋକ୍ଟ୍ରୋନିକ୍ସ ଏବଂ ପ୍ରୋଗ୍ରାମିଙ୍ଗ୍ ଭଳି ପାଠ୍ୟକ୍ରମ ମଧ୍ୟ ଶେଷ କରିଛନ୍ତି।

ଏହାବାଦ୍ ବିଶ୍ୱ ବିଦ୍ୟାଳୟରେ ପଢୁଥିବା ବେଳେ ଅନିଲ୍ ଏକ ଏମିତି ଯନ୍ତ୍ରର ଉଦ୍ଭାବନ କରିଥିଲେ ଯାହା ଶିଳ୍ପାନୁଷ୍ଠାନ ଏବଂ ଘରୋଇ ବିଦ୍ୟୁତ୍ ବ୍ୟବହାରକୁ ୬୦% ହ୍ରାସ କରିବାରେ ସମ୍ଭବପର ହୋଇପାରିଥିଲା। ତେବେ ଅନିଲଙ୍କ ଆବିଷ୍କାର (ଏଲ ଆଣ୍ଡ ଟି) କମ୍ପାନିର ଶ୍ରେଷ୍ଠ ୭ଟି ପ୍ରୋଜେକ୍ଟ ମଧ୍ୟରେ ସ୍ଥାନ ପାଇଥିଲା। କେବଳ ଏତିକି ନୁହେଁ ୪୨ ମୈଜାରେ ପ୍ରତିଷ୍ଠା କରିଥିବା ଆନ୍ତର୍ଜାତୀୟ ଗ୍ରାମୀଣ ଆବିଷ୍କାର ପବ୍ଲିକ ସ୍କୁଲ ବା (ଆଇପିଏସଆରଆଇ) ପାଇଁ ତାଙ୍କୁ ୨୦୧୮ରେ ଜାତୀୟ ଯୁବ ପ୍ରତିଭା ପୁରସ୍କାରରେ ସମ୍ମାନିତ କରିଥିଲେ କେନ୍ଦ୍ର ସରକାର। ଏହାସହ ସେ ଦେଶବ୍ୟାପୀ ଆବିଷ୍କାର ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଭାରତ ସରକାରଙ୍କ ‘ଅଟଳ ଇନୋଭେସନ ମିଶନ’ ଏବଂ ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ମଧ୍ୟ ଯୁବ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି।

ଏତେ ସବୁ ସଫଳତା ନେଇ ଅନିଲ କହନ୍ତି, ସେ କଟକ ଜିଲ୍ଲା ପଛୁଆ ଅଞ୍ଚଳ ୪୨ ମୌଜାରେ ଜନ୍ମ ନେଇଛି କିନ୍ତୁ ଉତ୍ତମ ଶିକ୍ଷା ପାଇଛି। ହେଲେ ଯେଉଁମାନେ ଦାରିଦ୍ର‌୍ୟ ସୀମାରେଖା ତଳେ ପେଶି ହୋଇ ନିଜ ପିଲାଙ୍କ ପାଇଁ ଉତ୍ତମ ଶିକ୍ଷା ପ୍ରଦାନ କରିବାକୁ ଅସମର୍ଥ ହେଉଛନ୍ତି ତାଙ୍କ ପିଲାମାନଙ୍କ ପାଇଁ ସହାୟତାର ହାତ ବଢ଼ାଇବାକୁ ମୋର ଏହି ଛୋଟ ପ୍ରୟାସ। ୨୦୧୭ରେ ମାତ୍ର ୨.୫ ଏକର ଜମିରେ ଆମ ଘରୋଇ ଜମିରେ ଏହି ଅତ୍ୟାଧୁନିକ ପବ୍ଲିକ ସ୍କୁଲର ପ୍ରତିଷ୍ଠା କରାଯାଇଥିଲା। ଆଉ ଆଗରୁ ଚାଲି ଆସୁଥିବା ପ୍ରଥା ଏହି ସ୍କୁଲରେ ନାହିଁ। ପିଲାଙ୍କ ଉପରେ ଏହି ସ୍କୁଲରେ କୌଣସି ବୋଝ ଦିଆଯାଏ ନାହିଁ। ତେଣୁ ପୁରୁଣା ପ୍ରଥାକୁ ଭାଙ୍ଗି ସେମାନଙ୍କୁ ଯେତେ ମୁକ୍ତ କରିବା ସେମାନେ ସେତେ ନୂଆ ନୂଆ ଚିନ୍ତାଧାରରେ ଉଦ୍ଭାବନ ଓ ଆବିଷ୍କାର କରିପାରିବେ ବୋଲି କହିଛନ୍ତି ଅନିଲ। ଏହି ସ୍କୁଲରେ ବିଭିନ୍ନ ପ୍ରକାର ଅତ୍ୟାଧୁନିକ ବିଜ୍ଞାନ ଓ ଜ୍ଞାନ କୌଶଳପୂର୍ଣ୍ଣ ଜିନିଷ ପିଲାଙ୍କ ପ୍ରାକ୍ଟିକାଲ ଅଭ୍ୟାସ ପାଇଁ ମହଜୁଦ ରହିଛି।

ଗରିବ ପିଲାଙ୍କୁ ମାଗଣାରେ ଏକ ଉତ୍ତମ ସ୍କୁଲ ଜରିଆରେ ଶିକ୍ଷା ପ୍ରଦାନ କରିବା ଚିନ୍ତାଧାରାକୁ ନେଇ ଅନିଲ କହିଛନ୍ତି କି, ତାଙ୍କ ମା’ ବାପା ହିଁ ତାଙ୍କ ପାଇଁ ପ୍ରେରଣା। କାରଣ ତାଙ୍କ ମା’ ସୁଜାତା ପ୍ରଧାନ ହିଁ ତାଙ୍କୁ ମାଗଣାରେ ଗରିବ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରିବାକୁ ଉତ୍ସାହିତ କରିଥିଲେ। ତେଣୁ ପ୍ରଥମେ ଯେଉଁଠି ମାତ୍ର ଅଳ୍ପ କେତେଜଣ ଛାତ୍ରଛାତ୍ରୀ ନାଁ ଲେଖାଇଥିଲେ ଆଜି ତାହା ୨୫୦ରେ ପହଁଚିଲାଣି। ଆଉ ପ୍ରି- ନର୍ସରୀ ଠାରୁ ଆରମ୍ଭ କରି ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ପିଲାମାନେ ନିଜର ନୂତନ ଦକ୍ଷତାକୁ ବିକଶି କରୁଛନ୍ତି। ତେଣୁ ଏଭଳି ପ୍ରୟାସ ପାଇଁ ସେ ତାଙ୍କ ମାଙ୍କୁ ଏହି ପବ୍ଲିକ ସ୍କୁଲର ପ୍ରିନ୍ସପାଲ ଭାବେ ଦାୟିତ୍ୱ ସମ୍ଭାଳିବାକୁ ଦେଇଛନ୍ତି।

Mycitylinks

ସେପଟେ ଅନିଲ ଏଭଳି ପ୍ରଶଂସନୀୟ କାର୍ଯ୍ୟକୁ ନେଇ ତାଙ୍କ ବାପା ଏସ.କେ ପ୍ରଧାନ ଯିଏ କି ପୂର୍ବତନ ସିଆରପିଏଫ ଯବାନ ଭାବେ କାର୍ଯ୍ୟ କରି ଆସିଛନ୍ତି। ସେ କହିଛନ୍ତି କି, ଅନିଲ ସବୁବେଳେ କିଛି ନା କିଛି ଉଦ୍ଭାବନ କରିବାକୁ ଚେଷ୍ଟା କରୁଥାଏ। ଆଉ ବିଭିନ୍ନ ସମୟରେ ଗରିବ ପିଲାଙ୍କ ପାଇଁ ଉତ୍ତମ ଶିକ୍ଷା ପ୍ରଦାନ କିଭଳି ହେବ ସେନେଇ ସେ ସର୍ବଦା ଚିନ୍ତା କରୁଛନ୍ତି। ଅନ୍ୟପଟେ ଅନିଲ ତାଙ୍କ ସଫଳତାକୁ ନେଇ ସମସ୍ତ ଶ୍ରେୟ ତାଙ୍କ ବାପା ଏସ.କେ ପ୍ରଧାନଙ୍କୁ ଦେଇ କହିଛନ୍ତି, ଲୋକଙ୍କ ପାଇଁ ସେବା କରିବା ଆଉ ସମାଜର ସସସ୍ତ ବର୍ଗ ଧର୍ମର ଲୋକଙ୍କୁ ଉତ୍ତମ ଶିକ୍ଷା ମିଳିବା ଦିଗରେ ବାପା ସବୁବେଳେ ନୀତିଶିକ୍ଷା ଦେଇଛନ୍ତି। ଯାହାକି ବାସ୍ତବତାରେ ପରିଣତ ହୋଇଛି। ଏହି ସ୍କୁଲରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଜ୍ଞାନ କୌଶଳ ଥିବାବେଳେ ଏଠାରେ, ପିଲାମାନେ ବେଶ୍ ଖୋଲା ମନୋଭାବରେ ପଢ଼ିପାରୁଛନ୍ତି । ଆଉ ଏହି ସ୍କୁଲରେ ଶାନ୍ତ ନମ୍ର ଥିବା ପିଲା ଯିଏ କି ପାଠ୍ୟକ୍ରମରେ ବେଶ୍ ଉତ୍ତମ ନହୋଇଥାଏ ସେ ହିଁ ଦିନେ ଚମତ୍କାର କରିଦେଖାଏ । ଆଉ ସେଥି ପାଇଁ ଗୋଟଏ ମନ୍ତ୍ର ସବୁବେଳେ ପ୍ରତ୍ୟେକ ଅଭିଭାବକମାନେ ମନେ ରଖିବା ଆବାଶ୍ୟକ କି, ବିଦ୍ୟା ଭବଗବନାଙ୍କର ଏକ ବରଦାନ ଏହାକୁ ପିଲାଙ୍କ ଉପରେ ବୋଝ କରିବା ଉଚିତ୍ ନୁହେଁ ।

ସମ୍ବନ୍ଧିତ ଖବର