ବଲାଙ୍ଗୀର : ନକଲି ସାର୍ଟିଫିକେଟ ମାମଲାରେ ଅସଲି ଫଟୋକୁ ନେଇ ଗରମାଗରମ ଏବେ ବଲାଙ୍ଗୀର ରାଜନୀତି ଗରମାଗରମ। କଂଗ୍ରେସ-ବିଜେଡି ଭିତରେ ଚାଲିଛି ତୁତୁ ମେମେ। କଂଗ୍ରେସ ବିଜେଡିକୁ ଦାୟୀ କରୁଥିବା ବେଳେ ବିଜେଡି ଏହା କଂଗ୍ରେସର ରାଜନୀତି ବୋଲି କହୁଛି।
ବଲାଙ୍ଗୀରରେ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ନକଲି ସାର୍ଟିଫିକେଟ ମାମଲାର ମାଷ୍ଟରମାଇଣ୍ଡ ସହ ଉପସ୍ଥିତ ଥିବା ନେତାଙ୍କ ଅନେକ ଫଟୋ। କେଉଁଠି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ତ ଆଉ କେଉଁଠି ବର୍ତ୍ତମାନର ହାଉସିଂ ବୋର୍ଡ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ। ସ୍ୱର୍ଗତ ମନ୍ତ୍ରୀ ନବ ଦାସ, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଫଟୋ ବି ଭାଇରାଲ ହେଉଛି। ଆଉ ସମସ୍ତଙ୍କ ସହିତ ମାଷ୍ଟର ମାଇଣ୍ଡ ମନୋଜ ମିଶ୍ରଙ୍କ ଫଟୋ ରହିଛି।
ବିଜେଡି ନେତାଙ୍କ ସହ ଏସବୁ ଫଟୋକୁ ନେଇ କଂଗ୍ରେସ ଗର୍ଜୁଥିବା ବେଳେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ସହିତ ମନୋଜ ମିଶ୍ରଙ୍କ ଫଟୋକୁ ନେଇ ବିଜେଡି କର୍ମକର୍ତ୍ତା କଂଗ୍ରେସ ଉପରେ ପ୍ରତି ଆକ୍ରମଣ କରୁଛନ୍ତି। ଇତିମଧ୍ୟରେ କଂଗ୍ରେସ ଗଣମାଧ୍ୟମ ସମ୍ମିଳନୀ ଡାକି କହିଛି, ଅଭିଯୁକ୍ତ ମନୋଜ ମିଶ୍ର ବିଜେଡି ଆଇଟି ସେଲ୍ ପରିଚାଳନା କରୁଥିଲେ। ଅନଙ୍ଗ ଉଦୟ ସିଂହଦେଓ ଓ କଳିକେଶଙ୍କ ସେ ଘନିଷ୍ଠ ସହଯୋଗୀ। ତେଣୁ ସେମାନଙ୍କ ଫୋନ୍ କଲ୍ ଯାଞ୍ଚ ପାଇଁ କଂଗ୍ରେସ ଜିଲ୍ଲା ସଭାପତି ଦିଲୀପ ବେହେରା ଦାବି କରିଛନ୍ତି। ଅନ୍ୟପଟେ କଂଗ୍ରେସକୁ କାଉଣ୍ଟର କରି ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି କହିଛନ୍ତି, କଂଗ୍ରେସକୁ ରାଜାଘର ଭୂତ ଘାରିଛି। ଯାହା ହେଲେ ରାଜା ଘରକୁ ଦାୟୀ କରନ୍ତି। ନକଲି ସାର୍ଟିଫିକେଟରେ ରାଜାଘରର ସଂପୃକ୍ତି ନାହିଁ। ମନୋଜ ମିଶ୍ର ଆଇଟି ସେଲ୍ କିମ୍ବା ବିଜେଡିର ସଦସ୍ୟ ନଥିବା ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/balangir-fake-certificate-1Manoj-and-Alok.jpg)