ବାବୁଙ୍କୁ ସରକାରଙ୍କ ପୁନଃନିଯୁକ୍ତି

ନଳିନୀକାନ୍ତ ପ୍ରଧାନ ବର୍ଷେ ପାଇଁ ପୂର୍ତ୍ତ ସଚିବ ରହିବେ
ଦୀପକ ପୂର୍ବଭଳି ଖଣି ନିର୍ଦେଶାଳୟ ଦାୟିତ୍ୱରେ ରହିବେ
ବିଧାନସଭା ସଚିବଙ୍କ କାର୍ଯ୍ୟକାଳ ବି ବଢିଲା

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନଙ୍କୁ ପୁନଃ ନିଯୁକ୍ତି ଦେଇଛନ୍ତି। ଆଜି ସେ ଅବସର ନେଇଥାନ୍ତେ। କିନ୍ତୁ ଏହା ପୂର୍ବରୁ ସରକାରଙ୍କ ପୁନଃ ନିଯୁକ୍ତି ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ପୂର୍ବଭଳି ଆଉ ଏକ ବର୍ଷ ପାଇଁ ପୂର୍ତ୍ତ ସଚିବ ତଥା ସର୍ବୋଚ୍ଚ ଯନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ପୂର୍ତ୍ତ ବିଭାଗରେ ଚାଲିଥିବା ବିକାଶ କାର୍ଯ୍ୟକ୍ରମକୁ ସାରିବା ଲାଗି ତାଙ୍କୁ ସରକାର ସୁଯୋଗ ଦେଇଥିବା କୁହାଯାଉଛି। ଆସନ୍ତାକାଲି ସବୁଠାରୁ ଦୀର୍ଘତମ ସେତୁ ଭାବେ ଉତ୍କଳ ଗୌରବ ମଧୁସୂଦନ ସେତୁ ଉଦ୍‌ଘାଟନ ହେବ। ବିଜୁ ଏକ୍ସପ୍ରେସ ଓ ଗୁରୁପ୍ରିୟା ସେତୁ ଏବେ ବି ଅଧାପନ୍ତରିଆ ଭାବେ ରହିଛି। ଏହାବ୍ୟତୀତ ୧୪୭ ନିର୍ବାଚନମଣ୍ଡଳୀରେ ରାସ୍ତାଘାଟର ବିକାଶ ପାଇଁ ଏକ ନକ୍ସା ପ୍ରସ୍ତୁତ ହୋଇଛି। ଏସବୁରେ ସ୍ଥାନ ପାଇଥିବା ପ୍ରକଳ୍ପ ଆଦିକୁ ଠିକଣା ସମୟରେ ଶେଷ କରିବା ଲାଗି ଶ୍ରୀ ପ୍ରଧାନଙ୍କୁ ପୁନଃ ଅବସ୍ଥାପିତ କରାଯାଇଥିବା ସଚିବାଳୟ କ୍ଷମତା କରିଡରରେ ଚର୍ଚ୍ଚା ଚାଲିଛି। ସେହିଭଳି ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର ତଥା ଖଣି ନିର୍ଦେଶକ ଦୀପକ ମହାନ୍ତିଙ୍କୁ ପୁନଃ ନିଯୁକ୍ତି ମିଳିଛି। ଏ ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ସେ ଅବସର ନେଇଥାନ୍ତେ। ସେ ଖଣି ବିଭାଗର ଓଏସ୍‌ଡି ତଥା ସ୍ୱତନ୍ତ୍ର ଶାସନ ସଚିବ ଭାବେ ଆଉ ୬ମାସ ପାଇଁ କାର୍ଯ୍ୟ କରିବେ। ଏହା ସହିତ ସେ ଏହି ସମୟ ପାଇଁ ଅତିରିକ୍ତ ଭାବେ ଖଣି ନିର୍ଦେଶକ ଦାୟିତ୍ୱ ନିର୍ବାହ କରିବେ।

ସେପଟେ ବିଧାନସଭା ସଚିବ ଅମୀୟ କୁମାର ଷଡଙ୍ଗୀଙ୍କ କାର୍ଯ୍ୟକାଳ ଆଜି ପୁଣି ଏକ ବର୍ଷ ପାଇଁ ବୃଦ୍ଧି କରାଯାଇଛି। ଲଗାତର ଚତୁର୍ଥ ଥର ପାଇଁ ଶ୍ରୀ ଷଡଙ୍ଗୀଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର