ଭୁବନେଶ୍ୱର : ଆମେରିକୀୟ କମ୍ପାନି ଏଇଏସ୍ର ଲାଭଖୋର ମନୋବୃତ୍ତି ସାଙ୍ଗକୁ ଏହାର ଅଣବୈଷୟିକ ଓ ଅଣବୃତ୍ତିଗତ କାର୍ଯ୍ୟକଳାପ ଯୋଗୁଁ ରାଜ୍ୟ ସରକାରଙ୍କ ‘ଓଡ଼ିଶା ଶକ୍ତି ଉତ୍ପାଦନ ନିଗମ’ (ଓପିଜିସି) ସଙ୍କଟର ସମ୍ମୁଖୀନ ହେବା ପରେ ଏହି ବିଦେଶୀ କମ୍ପାନି ପୁଞ୍ଜି ପ୍ରତ୍ୟାହାର କରି ବାଟ କାଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ସମୟୋପଯୋଗୀ ପଦକ୍ଷେପ ନେଇ ଇତିମଧ୍ୟରେ ଏଇଏସ୍ର ଅଂଶଧନ କିଣିଥିବାରୁ ରାଜ୍ୟ ସରକାରଙ୍କ ଏକମାତ୍ର ତାପଜ ବିଦ୍ୟୁତ ପ୍ରକଳ୍ପ ପୁନର୍ବାର ସରକାରୀ ପରିଚାଳନାଧୀନ ହେବାକୁ ଯାଉଛି। ମାତ୍ର ପରିତାପର ବିଷୟ ଏହି ଯେ ଏଇଏସ୍ ଓହରିଯାଇଥିଲେ ମଧ୍ୟ ଓପିଜିସିରୁ ମହୁ ଚାଖିଥିବା ଏହି ବିଦେଶୀ ସଂସ୍ଥାର ନିର୍ଦିଷ୍ଟ କେତେକ ପୂର୍ବତନ ଅଧିକାରୀ ପୂର୍ବ ପରି ଓପିଜିସିରେ ଅାସ୍ଥାନ ଜମାଇବାକୁ ହୀନ ପ୍ରଚେଷ୍ଟା ଜାରି ରଖିଛନ୍ତି। କାରଣ ବୈଷୟିକ ଅଭିଜ୍ଞତା ବିନା ସେମାନେ ଅନ୍ୟ କୌଣସି ସଂସ୍ଥାରେ ଏଭଳି ଉଚ୍ଚ ପଦପଦବି ହାତେଇବା ଅସମ୍ଭବ। ଏପରିସ୍ଥଳେ ସେହି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିବିଶେଷଙ୍କୁ କିଛି ସ୍ୱାର୍ଥପର ନେତା ଓ ନିର୍ଦିଷ୍ଟ ପଦାଧିକାରୀ ଓପିଜିସିରେ ଥଇଥାନ କରିବାକୁ ଚଞ୍ଚକତା କରୁଥିବା ସୂଚନା ପାଇବା ପରେ ଓପିଜିସି ଅଫିସରଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନାରୁ ପ୍ରକାଶ ଯେ ଓପିଜିସିରେ ଡାଇରେକ୍ଟର (ଅପରେସନ୍) ଓ ଡାଇରେକ୍ଟର (ପ୍ରୋଜେକ୍ଟ) ନିଯୁକ୍ତି ନିମନ୍ତେ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞାପନ ପ୍ରକାଶ ପାଇଥିଲା। ଏଇଏସ୍ ଅଧୀନରେ ଏକଦା କାର୍ଯ୍ୟରତ ଯେଉଁ ଅନଭିଜ୍ଞ ଅଧିକାରୀଙ୍କ କୁପରିଚାଳନା ଯୋଗୁଁ ଓପିଜିସିର ୬୬୦ ମେଗାଵାଟ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ନୂଆ ପ୍ରକଳ୍ପ ଦ୍ୱୟ (ୟୁନିଟ୍ ୩ ଓ ୪)ରେ ଗୁରୁତର ତ୍ରୁଟି ପରିଲକ୍ଷିତ ହୋଇଛି ଓ ଏହି ଦୁଇଟି ପ୍ରକଳ୍ପ ପୂର୍ଣ୍ଣ କ୍ଷମତାରେ ଚାଲିପାରୁ ନାହିଁ। ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଲାଗି ମରାମତି ବାବଦରେ ବ୍ୟାପକ ଅତିରିକ୍ତ ବ୍ୟୟ ଓପିଜିସି ମୁଣ୍ଡରେ ପଡ଼ିବ।
ମୋଟାମୋଟି ଭାବେ ଓପିଜିସିକୁ ଅଯଥା କ୍ଷତିରେ ପକାଇଥିବା ସେହି ଅଧିକାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଡାଇରେକ୍ଟର (ଅପରେସନ୍) ପଦ ପାଇଁ ମନୋନୀତ କରାଯାଉଥିବାରୁ କର୍ମଚାରୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ ଯେ ଏଇଏସ୍ ପରିଚାଳନାରେ ଏହି ଅଧିକାରୀ ଜଣକ ଓପିଜିସିର ପୁରାତନ ୟୁନିଟ୍ ଦ୍ୱୟ ପାଇଁ ଅାଇଟି ସାମଗ୍ରୀ ଓ ଯନ୍ତ୍ରାଂଶ କିଣା ଦାୟିତ୍ୱରେ ଥିଲେ। ପୁନଶ୍ଚ ଏହି ପଦବି ପାଇଁ ୬୬୦ ମେଗାଵାଟ୍ କ୍ଷମତାବିଶିଷ୍ଟ ସୁପର କ୍ରିଟିକାଲ୍ ତାପଜ ଶକ୍ତି ପ୍ଲାଣ୍ଟ ପରିଚାଳନାରେ ଦୁଇ ବର୍ଷର ଅଭିଜ୍ଞତା ଥିବା ସର୍ତ୍ତ ରଖାଯାଇଥିଲା। ସମ୍ପୃକ୍ତ ଅାବେଦନକାରୀଙ୍କର ଏହି ଅଭିଜ୍ଞତା ନଥିବାରୁ ଯାଞ୍ଚ ବେଳେ ତାଙ୍କ ଅାବେଦନ ରଦ୍ଦ ହେବା କଥା। ମାତ୍ର ଧାର୍ଯ୍ୟ ସର୍ତ୍ତକୁ ଉଲ୍ଲଂଘନ କରି କେଉଁ ବିଶେଷ ଗୁଣ ପାଇଁ କତ୍ତୃର୍ପକ୍ଷ ତାଙ୍କ ଅବେଦନକୁ ରଦ୍ଦ କରିବା ବଦଳରେ ତାଙ୍କୁ ମନୋନୀତ କରୁଛନ୍ତି, ତାହା ବିସ୍ମୟ ଓ ପ୍ରଶ୍ନବାଚୀ ସୃଷ୍ଟି କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/opgc-f.jpg)