ବନ୍ଧା ପଡ଼ିଥିବା ରାସନ୍ କାର୍ଡ ଫେରସ୍ତ ପାଇଲେ ରେବତୀ

ଚାପରେ ଡରିଗଲେ ପରିବାର, ଦେଲେନି ପ୍ରତିକ୍ରିୟା
ଧରାପଡ଼ିଯିବା ଭୟରେ ଏତଲା ଦେବାକୁ କାର୍ପଟଦାରଙ୍କ ଧମକ୍‌
ଅଭିଯୋଗ ପାଇଲେ ତଦନ୍ତ ହେବ: ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ

ରାଇରଙ୍ଗପୁର : ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ୭ ମାସ ହେଲା ବନ୍ଧା ପଡ଼ିଥିଲା ରାସନ୍ କାର୍ଡ। ୪ଟି ଛୋଟ ପିଲାଙ୍କ ମୁହଁରେ ଆହାର ଦେବାକୁ ଦିନ ମଜୁରିଆ ଭାବେ କାମ କରୁଥିଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ୮ ନମ୍ବର ୱାର୍ଡର ବିଧବା ରେବତୀ ବେହେରା। ‘ସମ୍ବାଦରେ ଆଜି ଏ ସଂକ୍ରାନ୍ତରେ ଖବର ପ୍ରକାଶ ପାଇବା ପରେ ହଠାତ ରେବତୀଙ୍କ ପାଖକୁ ତାଙ୍କ କାର୍ଡ ଫେରସ୍ତ ଆସିଛି। ଖାଲି ସେ ନୁହନ୍ତି, ତାଙ୍କ ସହ ବିଧବା ନାଡ଼ି ବେହେରାଙ୍କ ସହ ଅନ୍ୟ କେତେକଙ୍କର ରାସନ୍ କାର୍ଡ ମଧ୍ୟ ଫେରିଆସିଛି। ତେବେ ଏହି ଘଟଣାରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ୱାର୍ଡର ଜନୈକ ବ୍ୟକ୍ତି। ଯିଏକି ଏହି ଘଟଣାକୁ ମିଥ୍ୟା ଦର୍ଶାଇ ‘ସମ୍ବାଦ ପ୍ରତିନିଧିଙ୍କ ନାଁରେ ଥାନାରେ ମାମଲା ରୁଜୁ କରିବାକୁ ଧମକ ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରବଳ ଚାପର ବଶବର୍ତ୍ତୀ ହୋଇ ରେବତୀ ଓ ନାଡ଼ି ଏ ଘଟଣାରେ ଆଉ ମୁହଁ ଖୋଲୁନାହାନ୍ତି। ଆଜି ଏହି ପ୍ରତିନିଧି ତାଙ୍କ ପାଖକୁ ଯାଇଥିବାବେଳେ ରେବତୀ ଏ ସଂପର୍କରେ ନିରୁତ୍ତର ରହିବା ସହ ସେ କାର୍ଡ ପାଇ ଯାଇଛନ୍ତି କହି ଘର ଭିତରକୁ ପଳାଇଥିଲେ। ହେଲେ ୱାର୍ଡର ଅନେକ ବାସିନ୍ଦା ରାସନ୍ କାର୍ଡ ବନ୍ଧା ପଡ଼ିବା କଥା ସମ୍ପୂର୍ଣ୍ଣ ସତ୍ୟ ବୋଲି କହିଛନ୍ତି। ଏହା ପଛରେ ଜଣେ କାର୍ପଟଦାର୍‌ କୁଜି ନେତାଙ୍କ ହାତ ରହିଛି ବୋଲି ସେମାନେ ଅଭିଯୋଗ ରଖିଛନ୍ତି।

ରାଇରଙ୍ଗପୁର ପୌରାଞ୍ଚଳ ୮ ନମ୍ବର ୱାର୍ଡ ପୁରୁଣାଘାଟୀ ସାହିରେ ରହୁଛନ୍ତି ରେବତୀ ବେହେରା। ପରିବାରଟି ଅତ୍ୟନ୍ତ ଗରିବ। ଆଜିକୁ ୭ ମାସ ତଳେ ରେବତୀଙ୍କ ସ୍ବାମୀ କୁନା ବେହେରାଙ୍କର ମୃତ୍ୟୁ ଘଟିଥିଲା। ସ୍ବାମୀଙ୍କର ଦାହସଂସ୍କାର କୌଣସି ପ୍ରକାର ସାରିଥିଲେ ମଧ୍ୟ ଶୁଦ୍ଧିକ୍ରିୟା ପାଇଁ ଅର୍ଥ ଯୋଗାଡ଼ କରିପାରିନଥିଲେ ରେବତୀ। ଫଳରେ ନିଜର ରାସନ୍ କାର୍ଡକୁ ୩ ହଜାର ଟଙ୍କାରେ ବନ୍ଧା ପକାଇଥିଲେ। ପିଲାଛୁଆଙ୍କୁ ନେଇ ଦହଗଞ୍ଜ ହେଉଥିବା ରେବତୀ ନିଜେ ଏ କଥା ‘ସମ୍ବାଦକୁ ଜଣାଇଥିଲେ କି ତାଙ୍କର ରାସନ୍ କାର୍ଡ ବନ୍ଧା ପଡ଼ିଛି ଏବଂ ସେ ୭ ମାସ ହେଲା ସରକାରୀ ଚାଉଳ ପାଇବାରୁ ବଞ୍ଚିତ ଅଛନ୍ତି। ଯାହାର ଅଡିଓ ରେକର୍ଡିଂ ମଧ୍ୟ ରହିଛି। ତେବେ ଆଜି ‘ସମ୍ବାଦରେ ଖବର ପ୍ରକାଶିତ ହେବା ପରେ ରେବତୀ ଓ ନାଡ଼ି ବେହେରାଙ୍କ ସମେତ ଅନ୍ୟମାନଙ୍କ ରାସନ୍ କାର୍ଡ ବନ୍ଧା ନେଇଥିବା ବ୍ୟକ୍ତିଜଣକ ସକାଳୁ ସକାଳୁ ଆସି ହିତାଧିକାରୀଙ୍କ କାର୍ଡ ଫେରସ୍ତ କରିଥିଲେ। ପରେ ଏ ଘଟଣାକୁ ମିଥ୍ୟା ପ୍ରମାଣିତ କରାଯିବାକୁ ଅପଚେଷ୍ଟା କରାଯାଇଥିଲା। ଏମିତିକି ରେବତୀଙ୍କ ଜରିଆରେ ଥାନାରେ ମାମଲା ରୁଜୁ କରିବାର ଧମକ ବି ଦିଆଯାଇଥିଲା। ତେବେ ଦିନକ ପୂର୍ବରୁ ଯେଉଁ ମହିଳା ତାଙ୍କ ରାସନ୍ କାର୍ଡ ବନ୍ଧା ପଡ଼ିଛି ବୋଲି କହୁଥିଲେ ଆଜି ସକାଳୁ କେମିତି ତାଙ୍କ ପାଖକୁ କାର୍ଡ ଆସିଲା ସେ ନେଇ ସାଧାରଣରେ ଭ୍ରୁକୁଞ୍ଚନ ସୃଷ୍ଟି ହୋଇଛି।

ନିଜ ନାମ ଗୋପନ ରଖି ୱାର୍ଡର କିଛି ଲୋକ କହିଛନ୍ତି, କାର୍ଡ ବନ୍ଧା ରଖୁଥିବା ବ୍ୟକ୍ତିଜଣକ ଲୋକଙ୍କ ଅସହାୟତା ଓ ଦାରିଦ୍ର୍ୟର ସୁଯୋଗ ନିଅନ୍ତି। ପ୍ରତ୍ୟେକ ମାସରେ ଅଟୋ ଯୋଗେ ହିତାଧିକାରୀଙ୍କୁ ସରକାରୀ କଣ୍ଟ୍ରୋଲ ଦୋକାନକୁ ନେଇ ସେଠାରେ ବାୟୋ ମେଟ୍ରିକ୍ସରେ ଟିପ ଚିହ୍ନ ଦ୍ବାରା ଚାଉଳ ଉଠାଇବା ପରେ ହିତାଧିକାରୀଙ୍କୁ ଆଣି ତାଙ୍କ ଘରେ ଛାଡ଼ି ଦିଅନ୍ତି। କାର୍ଡ ବନ୍ଧା ପକାଇଥିବା ବିଚରା ହିତାଧିକାରୀ ବଜାରରୁ ଚାଉଳ କେଜି ପିଛା ୩୦ ଟଙ୍କାରେ କିଣିଥାଏ। ଗାଁଗଣ୍ଡାରେ ଗରିବମାନେ ଏମିତି ଶୋଷଣ ହେଉଛନ୍ତି, ଏ ଘଟଣା ତାର ନିଚ୍ଛକ ଦୃଷ୍ଟାନ୍ତ। ଏ ସଂକ୍ରାନ୍ତରେ ରାଇରଙ୍ଗପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଭାଗବତ ପ୍ରସାଦ ବେହେରାଙ୍କ ସହିତ ଯୋଗାଯୋଗ କରିବାରୁ ସେ ଘଟଣା ବିଷୟରେ ଜାଣିନଥିବା କହିଥିଲେ। ତେବେ ଅଭିଯୋଗ ଆସିଲେ ତାର ତଦନ୍ତ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର