ହରଭଙ୍ଗା : ୨୦୦୮ ମସିହାରେ ଲୋମଶ କନ୍ୟା ଭାବେ ରାଜ୍ୟ ଓ ଜାତୀୟ ସ୍ତରରେ ଗଣମାଧ୍ୟମର ଶୀର୍ଷକରେ ଥିବା ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଖଳିସାହି ଗାଁର ରେବତୀ କହଁର ଏବେ ସରକାର ଓ ପ୍ରଶାସନର ଉପେକ୍ଷାର ଶିକାର। ତାଙ୍କୁ ସହାୟତା ଓ ଥଇଥାନ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ସବୁ ପାଣିର ଗାର ହୋଇ ଲିଭି ଯାଇଛି। ପିତାମାତା ଓ ଭାଇଙ୍କୁ ହରାଇବା ପରେ ପ୍ରଶାସନ ତାଙ୍କୁ ସହଯୋଗ କରିବା ତ ଦୂର ତାଙ୍କ ମୁହଁରୁ ଦାନା ଛଡ଼ାଇ ନେଇଛି। ଅନ୍ୟ ଜଣେ ଭାଇଙ୍କ ଆଶ୍ରାରେ ଗାଁରେ ପଡ଼ିଥିବା ଏହି ଯୁବତୀ ସମାଜର ଲୋଲୁପ ଦୃଷ୍ଟିରୁ ବି ରକ୍ଷା ପାଇ ପାରିନାହାନ୍ତି।

Advertisment

publive-image newindianexpress.com

କିଶୋରୀ ବୟସରେ ‘ଇଡ଼ିଓପାଥିକ୍‌ ଜିଞ୍ଜିଭାଲ ଏନ୍‌ଲାର୍ଜମେଣ୍ଟ’ ନାମକ ଏହି ଅତି ବିରଳ ଜେନେଟିକ୍‌ ରୋଗର ଶିକାର ହେବା ପରେ ରେବତୀଙ୍କ ଥୋଡ଼ି ଓ ମାଢ଼ି ସବୁ ଫୁଲିଯିବା ସହ ମୁହଁର ଆକାର ବଦଳିଯାଇଥିଲା। ମୁହଁ ଧୀରେ ଧୀରେ ବାନରାକୃତି ହେବାକୁ ଲାଗିଥିଲା। ଏଥିସହ ଶରୀର ସାରା ଭର୍ତ୍ତି ହୋଇ ଯାଇଥିଲା ବହଳିଆ ଲୋମ। ତାଙ୍କର ଏ ଅବସ୍ଥା ଗଣମାଧ୍ୟମ ଜରିଆରେ ଲୋକଲୋଚନକୁ ଆସିବା ପରେ ସାରା ରାଜ୍ୟ ଓ ଦେଶରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡକାଲ କଲେଜ ଡାକ୍ତରଖାନାର ଏକ ବିଶେଷଜ୍ଞ ଦଳ ତାଙ୍କୁ ଠିକ୍‌ କରିବା ପାଇଁ ଉଦ୍ୟମ କରିଥିଲେ। ତାଙ୍କ ଉପରେ ଗବେଷଣା ହୋଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ତାଙ୍କ ଚିକିତ୍ସାର ସବୁ ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଥିଲେ। ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ଓ ମୁମ୍ବାଇସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇମ୍ୟୁନୋଲୋଜିର ତତ୍ତ୍ବାବଧାନରେ ତାଙ୍କ ଚିକିତ୍ସା ଓ ଅନେକଥର ଅସ୍ତ୍ରୋପଚାର କରାଯାଇଥିଲା। ଦୀର୍ଘ ଦିନର ପ୍ରଚେଷ୍ଟା ପରେ ତାଙ୍କ ଅବସ୍ଥା ସାମାନ୍ୟ ବଦଳିଥିଲା। ସେ ସାଧାରଣ ରୂପ ଫେରି ପାଇବା ଆରମ୍ଭ କରିଥିଲେ। ସେହି ସମୟରେ ତାଙ୍କ ଥଇଥାନ ଓ ସହାୟତା ଲାଗି ସରକାର ଓ ପ୍ରଶାସନ ପକ୍ଷରୁ ଘୋଷଣା ମଧ୍ୟ କରାଯାଇଥିଲା। ମାତ୍ର ରେବତୀ ଡାକ୍ତରଖାନାରୁ ଫେରିବା ପରେ ଯେମିତି ସବୁ ପ୍ରତିଶ୍ରୁତି ଭୁଲିଗଲେ ସରକାର ଓ ପ୍ରଶାସନ।

ଇତିମଧ୍ୟରେ ବାଉଁଶ ଟୋକେଇ ବୁଣି ଗୁଜୁରାଣ ମେଣ୍ଟାଉଥିବା ପିତା ବାଳକୃଷ୍ଣ କହଁରଙ୍କ ମୃତ୍ୟୁ ଘଟିଲା। ତାଙ୍କର ଏକାଦଶାହ ଦିନ ମା’ ମଧ୍ୟ ମୃତ୍ୟୁବରଣ କଲେ। ଅନ୍ୟ ସହାୟତା ତ ଦୂର ସେମାନଙ୍କ ହରିଶ୍ଚନ୍ଦ୍ର ଯୋଜନା ଅର୍ଥ ବି ରେବତୀଙ୍କୁ ମିଳିଲା ନାହିଁ। ପୂର୍ବରୁ ତାଙ୍କୁ ମିଳୁଥିବା ଚାଉଳ ମଧ୍ୟ ମିଳିବା ବନ୍ଦ ହୋଇଗଲା। ଏବେ ଭାଇଙ୍କ ନିକଟରେ ପଡ଼ି ରହିଥିବା ରେବତୀଙ୍କୁ ଯେମିତି ସରକାର ଓ ପ୍ରଶାସନ ସମସ୍ତେ ଭୁଲି ଯାଇଛନ୍ତି। ଭିନ୍ନ କାରଣ ପାଇଁ ସେ ପୁଣି ଚର୍ଚ୍ଚାରେ।