ରାୟଗଡା ବିଜେପିରେ ବିଦ୍ରୋହ : ପାଙ୍ଗୀଙ୍କୁ ହଁ, ନୂଆ ମୁହଁକୁ ନା’

ରାୟଗଡା : ରାୟଗଡା ବିଜେପିରେ ବିଦ୍ରୋହର ସ୍ବର। ଟିକେଟ୍ ବଣ୍ଟନକୁ ନେଇ ତେଜିବାରେ ଲାଗିଛି ଦଳୀୟ ଅସଂତୋଷ। ରାୟଗଡା, ବିଷମକଟକ, ଗୁଣପୁର ନିର୍ବାଚନ ମଣ୍ଡଳୀରେ ପୁରୁଣା ନେତାଙ୍କୁ ଉପେକ୍ଷା କରି ଦଳ ନୂଆଁ ମୁହଁକୁ ପ୍ରାର୍ଥୀ କରିଛି। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କ ଏଣ୍ଟ୍ରିକୁ କର୍ମୀ ସବୁଜ ସଂକେତ ଦେଇଥିବା ବେଳେ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଟିକେଟ୍ ପାଇଥିବା ନୂଆ ମୁହଁକୁ ନେଇ ତୀବ୍ର ଅସଂତୋଷ ପ୍ରକାଶ କରିଛନ୍ତି। ପ୍ରତିବାଦରେ ପୁରୁଖା କର୍ମୀ ଓ ନେତା ଦଳ ଛାଡ଼ିବା ସହ ଭୋଟ ବିଭାଜନ ପାଇଁ ଚେତାବନୀ ଦେଇଛନ୍ତି।

କୋରାପୁଟ ଲୋକସଭା ଆସନରେ ବିଜେପି ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ପ୍ରାର୍ଥୀ କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ଗିରିଧର ଗମାଙ୍ଗ ବି ସାଂସଦ ପ୍ରାର୍ଥୀ ପାଇଁ ଦାବିଦାର ଥିଲେ। ମାତ୍ର, ନିର୍ବାଚନ ଲଢ଼ିବାକୁ ଗମାଙ୍ଗ ମନା କରିବା ପରେ ପାଙ୍ଗୀଙ୍କ ନାଁ ଚୂଡ଼ାନ୍ତ ହୋଇଥିଲା। ପାଙ୍ଗୀଙ୍କୁ ସାଂସଦ ପ୍ରାର୍ଥୀ ଭାବେ ଘୋଷଣା ପରେ ବିଜେପିରେ ବିଦ୍ରୋହ ଦେଖା ଦେଇନାହିଁ। ସବୁ ଦଳୀୟ କର୍ମୀ ପାଙ୍ଗୀଙ୍କ ନେତୃତ୍ବକୁ ସମର୍ଥନ ଜଣାଇଛନ୍ତି। କିନ୍ତୁ ବିଧାନସଭା ପ୍ରାର୍ଥୀ ଘୋଷଣା ପରେ ଆଶାୟୀ ଓ ପୁରୁଖା ନେତା ଦଳୀୟ ହାଇକମାଣ୍ଡଙ୍କ ଉପରେ ଅସଂତୋଷ ପ୍ରକାଶ କରିଛନ୍ତି। ଗୁଣପୁର ନିର୍ବାଚନ ମଣ୍ଡଳୀରେ ଏହାର ପ୍ରଭାବ ସବୁଠୁ ଅଧିକ ପରିଲକ୍ଷିତ ହୋଇଛି। ଗିରିଧର ଗମାଙ୍ଗଙ୍କ ପୁଅ ଶିଶିର ଗମାଙ୍ଗଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ପୂର୍ବତନ ବିଧାୟକ ରାମମୂର୍ତି ମୁଟିକା ଦଳ ଛାଡ଼ି ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ପୁଲିସ୍ ଚାକିରି ଛାଡ଼ି ଗୁଣପୁରରେ ବିଜେପି ସଂଗଠନକୁ ସୁଦୃଢ଼ କରିଥିବା ରବି ଗମାଙ୍ଗ ଟିକେଟରୁ ବଂଚିତ ହେବା ପରେ ଖପ୍ପା ହୋଇ ପଡ଼ିଛନ୍ତି।

ବିଷମକଟକ ନିର୍ବାଚନ ମଣ୍ଡଳୀରେ ମଧ୍ୟ ବିଜେପି ନୂଆ ମୁହଁ ଭାବେ ଶିବଶଙ୍କର ଉଲ୍ଲକାଙ୍କୁ ପ୍ରାର୍ଥୀ କରିବାରୁ ଦଳୀୟ ଅସଂତୋଷ ଦିନକୁ ଦିନ ବଢ଼ୁଛି। ଏହି ଆସନରେ ଲଢ଼ିବା ନିମନ୍ତେ ପୂର୍ବତନ ବିଧାୟକ ସାରଙ୍ଗଧର କାଡ୍ରାକା ଆଶାୟୀ ଥିଲେ। କିନ୍ତୁ ଦଳ ଶିବଙ୍କୁ ପ୍ରାର୍ଥୀ କରିବା ପରେ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେବାକୁ ସାରଙ୍ଗଧର ଭୁବନେଶ୍ବର ଯାଇଛନ୍ତି। ରାୟଗଡା ବିଧାନସଭା ଆସନରେ ମଧ୍ୟ ଦଳ ନୂଆ ମୁହଁକୁ ଗୁରୁତ୍ବ ଦେଇଛି। ୨୦୦୯ ଓ ୨୦୧୪ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହୋଇଥିବା ରାଷ୍ଟ୍ରୀୟ ଜନଜାତି ମୋର୍ଚା ଉପାଧ୍ୟକ୍ଷ କାଳୀରାମ ମାଝୀଙ୍କ ବଦଳରେ ଦଳ ବସନ୍ତ ଉଲ୍ଲକାକୁ ପ୍ରାର୍ଥୀ କରିଛି। ଯୁବ ନେତୃତ୍ବକୁ ନେଇ ଦଳର ବହୁ କର୍ମୀ ଉତ୍ସାହିତ ଅଛନ୍ତି। କିନ୍ତୁ କାଳୀରାମ ଟିକେଟରୁ ବଂଚିତ ହେବା ପରେ କାଶୀପୁରରେ ସ୍ଥାନୀୟ ପ୍ରାର୍ଥିତ୍ବକୁ ନେଇ ଚାଲିଥିବା ଆନ୍ଦୋଳନ ଜୋର୍ ଧରିଛି।

ସମ୍ବନ୍ଧିତ ଖବର