ଦେଶୀ କୁକୁଡ଼ା ମାଂସ ଝୋଳ ସହ ବଡ଼ିଚୁରା ଓ ଡାଲମା ଖାଇବେ ଭାରତ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି

ଭୁବନେଶ୍ୱର: ବାରବାଟୀ ମୁକାବିଲା ଲାଗି  ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିସାରିଛନ୍ତି  ଭାରତ ଓ ୱେଷ୍ଟଇଣ୍ଡିଜ୍ ଖେଳାଳି | ୨୨ରେ ହେବ ଦୁଇ ଦେଶ ଭିତରେ ଦିନିକିଆ ମୁକାବିଲା। ଆଉ ଏଠାରେ ରହିଛି ଖେଳାଳିଙ୍କର ୪ ଦିନର ରହଣି କାର୍ଯ୍ୟକ୍ରମ। ଭୁବନେଶ୍ବରର ହୋଟେଲ୍ ମେ ଫେୟାରରେ ରହୁଥିବା ଦୁଇ ଦେଶର ଖେଳାଳିଙ୍କ ଖାଦ୍ୟପେୟ ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି | ଉଭୟ ଦେଶର ଖେଳାଳିଙ୍କୁ ପରଶା ଯିବ ଓଡ଼ିଆ ବ୍ୟଞ୍ଜନ | ମେନୁରେ ରହିବ କମ୍ ମସଲା ଓ ତେଲଯୁକ୍ତ ଖାଦ୍ୟ | ରବିବାର ମ୍ୟାଚ୍ ପୂର୍ବରୁ ଫିଟ୍ ରହିବେ ଖେଳାଳି । ସେଥିପାଇଁ ଲଂଚ ଓ ଡିନରରେ କମ୍ ମସଲା ଓ ତେଲଯୁକ୍ତ ଖାଦ୍ୟ ତିଆରି କରିବାକୁ କୁହାଯାଇଛି ।

ହୋଟେଲ୍ ସେଫଙ୍କ ଅନୁସାରେ ଅନ୍ୟାନ୍ୟ ଖାଦ୍ୟ ସହ ଖେଳାଳିଙ୍କ ମେନୁରେ ରହିଛି ମଟନ କଷା, ମଟନ ହାଣ୍ଡି, ଦେଶୀ କୁକୁଡା ମାଂସ ଝୋଳ, ଚିଙ୍ଗୁଡି ଓ ପାମ୍ପ୍ଲେଟ୍ ମାଛ ଭଳି ଆମିଷ ଖାଦ୍ୟ। ଆଉ ନିରାମିଷରେ କାନିକା ଭାତ, ଡାଲମା, ବଡ଼ିଚୁରା, ଖଟା, ଖିରି, ଜହ୍ନି ପୋସ୍ତ, ଛତୁ ବେସର ଓ ଶାଗ ଭଳି ସୁଆଦିଆ ଓଡ଼ିଆ ବ୍ୟଞ୍ଜନ ।

ଏଥିସହ ଓଡ଼ିଶାର ପାରମ୍ପରିକ କଂସା ଓ ପିତଳର ଥାଳି, ଗ୍ଲାସ ସାଙ୍ଗକୁ ଚାମଚରେ ଖାଦ୍ୟ ପରଶା ଯିବାର ବ୍ୟବସ୍ଥା କରାଯାଇଛି | ବିଶେଷ କରି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ସମ୍ପୂର୍ଣ୍ଣ ନିରାମିଷାଶୀ | ତେଣୁ କୋହଲିଙ୍କ ପାଇଁ ତିଆରି ହେବ ଖାଣ୍ଟି ଓଡ଼ିଆ ନିରାମିଷ ଖାଦ୍ୟ । ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ମେନୁ ସହ ହୋଟେଲର ଲୋକପ୍ରିୟ ଖାଦ୍ୟ ବି ଦିଆଯିବ ବୋଲି ମେ ଫେୟାର ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର