ଟେକ୍ସ ଫାଙ୍କିବା ନାଁରେ ରସିଦ୍‌ ଜାଲିଆତି, ବେଧଡ଼କ ଚାଲିଛି ବାଲି ଚୋରା ଚାଲାଣ!

ଡୁଙ୍ଗୁରିପାଲି : ସ୍ଥାନୀୟ ତେତେଁଲ ଗାଁ ଓ ସାଲେଭଟା ଅଙ୍ଗନଦୀରୁ ବାଲି ଚୋରା ଚାଲାଣ ହେଉଛି। ଟ୍ୟାକ୍ସ ଫାଙ୍କିବା ନାଁରେ ରସିଦ୍‌ ଜାଲିଆତି କରି ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଡୁଙ୍ଗରିପାଲି ବ୍ଲକ୍‌ର କପାସିରା ନିକଟସ୍ଥ ତେତେଁଲଗାଁ ବାଲି ଘାଟରେ ଟ୍ରାକ୍ଟର ଯୋଗେ ବାଲି ଆଣିବାକୁ ଗଲେ ୨ ପ୍ରକାର ରସିଦ୍‌ ଦିଆଯାଉଛି। ଅରିଜିନାଲ ରସିଦ୍‌ରେ ଓଡ଼ିଶା ସରକାରଙ୍କ ଷ୍ଟିଲ୍‌ ଓ ମାଇନିଂର ଲୋଗୋ ଥାଇ ୱାଇ ଫର୍ମ ଦିଆଯାଉଛି। ଅନ୍ୟପଟେ ଆଉ ଗୋଟିଏ ଜାଲିଆତି ରସିଦ୍‌ରେ ତେନ୍ତୁଳି ଗାଁ ସ୍ୟାଣ୍ଡ୍‌ ଆଗଲପୁର ତହସିଲ୍‌ ବୋଲି ଲେଖାଯାଇଛି। ଟ୍ରାକ୍ଟରେ ବାଲି ଆଣିବା ପାଇଁ ଯିବାବେଳେ ଉକ୍ତ ରସିଦ୍‌ ବାଧ୍ୟ ବାଧ୍ୟକତାରେ ଦିଆଯାଉଥିବା ଜଣାପଡ଼ିଛି।

ନିର୍ଭରଯୋଗ୍ୟ ସୂତ୍ରରୁ ପ୍ରକାଶ ସାଲେଭଟା ଅଙ୍ଗନଦୀ ଓ ତେତେଁଲ ଗାଁ ବାଲିଘାଟରେ ବାଲି ବିକ୍ରି ପାଇଁ ଟେଣ୍ଡର ହୋଇଛି। ଓଡ଼ିଶା ସରକାରଙ୍କ ସଂପୃକ୍ତ ବିଭାଗ ପକ୍ଷରୁ ବିଭିନ୍ନ ନିୟମର ସର୍ତ୍ତ ଅନୁଯାୟୀ ଟେଣ୍ଡର କରାଯାଇଛି। କିନ୍ତୁ ଉକ୍ତ ନିୟମ ବାହାରେ ଶହଶହ ଗାଡ଼ିରେ ବାଲିସବୁ ସମ୍ବଲପୁର ଓ ଝାରସୁଗୁଡ଼ାକୁ ଚାଲାଣ ହେଉଥିବା ଜଣାପଡ଼ିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର