ବାରିପଦା/ଚିତ୍ରଡ଼ା: ମାଟିରୁ ହିଁ ସୃଷ୍ଟି, ସର୍ଜନା ଓ ସମ୍ଭାବନା। ହେଲେ ସେହି ମାଟି ଏବେ ବିଷାକ୍ତ ହେଉଛି। ପ୍ରଦୂଷିତ ମାଟି ପାଇଁ ଗଛର ଚେରଠୁ ନେଇ ଫୁଲ, ଫଳ ଓ ପତ୍ର ସବୁକିଛି ବିଷାକ୍ତ ହେଲାଣି। ଆଉ ସେହି ଗଛର ଉତ୍ପାଦକୁ ଖାଦ୍ୟ ଭାବେ ଗ୍ରହଣ କଲାପରେ ଆମ ଶରୀର ବି ବିଷାକ୍ତ ହେଉଛି। ତେଣୁ ମାଟିର ଯତ୍ନ ନେଲେ ସବୁକିଛି ଆପେ ଆପେ ସଜାଡ଼ି ହୋଇଯିବ ଓ ‘ପୁନଶ୍ଚ ପୃଥିବୀ’ର ପରିକଳ୍ପନା ସାକାର ହେବ ବୋଲି ‘ସମ୍ବାଦ’ ପକ୍ଷରୁ ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମତ ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର।
ମୟୂରଭଞ୍ଜଜିଲ୍ଲା ଚିତ୍ରଡ଼ାସ୍ଥିତ ଜବାହାରଲାଲ ସରକାରୀ ଉଚ୍ଚବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଡା. ମହାପାତ୍ର କହିଲେ କିଛି ସ୍ବାର୍ଥବାଦୀଙ୍କ ପାଇଁ ବିଶ୍ବ ଆଜି ସଙ୍କଟରେ ପଡ଼ିଛି। ଶିମିଳିପାଳର ଗଛଲତା କମି କମି ଯାଉଛି। ତେଣୁ ବେଳ ଥାଉଣୁ ବ୍ୟାପକ ବୃକ୍ଷରୋପଣ କରି ଶିମିଳିପାଳକୁ ପୁଣି ସବୁଜ ସୁନ୍ଦର କରିବାକୁ ହେବ। ସେହିପରି ବର୍ଜ୍ୟବସ୍ତୁ ପରିଚାଳନା ଆଜିର ଦିନରେ ପରିବେଶ ପାଇଁ ସବୁଠୁ ବଡ଼ ଆହ୍ବାନ ସୃଷ୍ଟି କରିଛି। ତେଣୁ ବର୍ଜ୍ୟବସ୍ତୁର ସୁପରିଚାଳନା ସହ ଏହାର ପ୍ରକ୍ରିୟାକରଣ କରି ପୁନଃ ବ୍ୟବହାରକ୍ଷମ କରିବାକୁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟର ୬ଟି ପୌରପାଳିକାରେ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ୟୁନିଟ୍ ବସିବ। ସେହିପରି ରାସାୟନିକ ସାରର ବହୁଳ ବ୍ୟବହାର ରୋକିବା ସହ ଜୈବିକ ଖତର ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ହେବ।
‘ମୁଁ ବଦଳରେ ଆମେ’ ଭାବ ନେଇ କାର୍ଯ୍ୟ କଲେ ହିଁ ପୃଥିବୀ ପୁଣି ହସିଉଠିବ ବୋଲି ଡା. ମହାପାତ୍ର କହିଥିଲେ।
‘ସମ୍ବାଦ’ ବାଲେଶ୍ବର ସଂସ୍କରଣ ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ବୈଦନାଥ ମହାନ୍ତ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ଶିକ୍ଷାବିତ ଡ. ବସନ୍ତ କୁମାର ମହାନ୍ତ, ସାହିତ୍ୟିକ ଅଜୟ କୁମାର ପାଲ, ପରିବେଶବିତ୍ ପ୍ରଦୀପ କୁମାର ମାହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ। ‘ସମ୍ବାଦ’ ଜିଲ୍ଲା ପ୍ରତିନିଧି ଶ୍ରୀକାନ୍ତ ସାହୁ, ମୋରଡ଼ା ବ୍ଲକ୍ ପ୍ରତିନିଧି ବିଶ୍ବବନ୍ଦନ ବେହେରା, ରାସଗୋବିନ୍ଦପୁର ବ୍ଲକ୍ ପ୍ରତିନିଧି ପ୍ରଦୀପ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।