ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟର ମାନ୍ୟତା ଦିଅ, ନିତି ଆୟୋଗ ବୈଠକରେ ଦାବି ଦୋହରାଇଲେ ନବୀନ

ଭୁବନେଶ୍ବର/ନୂଆଦିଲ୍ଲୀ : ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ରାଜ୍ୟର ମାନ୍ୟତା ପ୍ରଦାନ କରିବା ଦାବିକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରବିବାର ଦିନ ରାଷ୍ଟ୍ରପତି ଭବନର କଲ୍‌ଚରାଲ ସେଣ୍ଟରରେ ଅନୁଷ୍ଠିତ ନିତି ଆୟୋଗର ସପ୍ତମ ପରିଚାଳନା ପରିଷଦ ବୈଠକରେ ଏହି ଦାବି ଉଠାଇବା ସହ ଶ୍ରୀ ପଟ୍ଟନାୟକ ଯୁକ୍ତି ବାଢ଼ିଛନ୍ତି ଯେ ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ ହେଉଛି, ଯାହା ଫଳରେ ଓଡ଼ିଶାର ଆର୍ଥିକ ସ୍ଥିତି ଦୋହଲିଯାଉଛି। ରାଜ୍ୟର ବିକାଶ ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି। ପ୍ରକୃତିର ଅନିୟମିତତାରୁ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବା ପାଇଁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଉପରେ ଜୋର୍‌ ଦେବାକୁ ପଡ଼ିବ। ରାଜ୍ୟକୁ ସ୍ବତନ୍ତ୍ର ଫୋକସ ରାଜ୍ୟର ମାନ୍ୟତା ପ୍ରଦାନ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ବତନ୍ତ୍ର ପାଣ୍ଠି ଯୋଗାଇ ଦେବାକୁ ବି ସେ ଦାବି କରିଥିଲେ।

ଓଡ଼ିଶାକୁ କେନ୍ଦ୍ରର ଅବହେଳା କଥା ଉଠାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାକୁ ଟେଲିକମ୍‌, ରେଳବାଇ ଓ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଐତିହାସିକ ଅବହେଳା କରାଯାଇଛି। ଉପରୋକ୍ତ ତିନିଟି ସେବାର ସାନ୍ଧ୍ରତାରେ ଓଡ଼ିଶା ସର୍ବନିମ୍ନରେ ରହିଛି। ଏ ଦିଗ‌ରେ କେନ୍ଦ୍ର ସରକାର ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍‌ ଦେବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର କ୍ରିୟାନ୍ବୟନରେ ତ୍ରୁଟି ରହିବା ଯୋଗୁଁ ଓଡ଼ିଶାରେ କୃଷକ ଏହି ଯୋଜନାରେ ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଯଦି ନିତି ଆୟୋଗ ଏହାକୁ ଅଧ୍ୟୟନ କରନ୍ତି ଏବଂ କୃଷକଙ୍କ ସ୍ବାର୍ଥ ରକ୍ଷା ପାଇଁ ପରାମର୍ଶ ଦିଅନ୍ତି ତେବେ କୃଷକମାନେ ଲାଭ ପାଇ ପାରିବେ।

ଟେଲିକମ୍‌, ରେଳ ଓ ବ୍ୟାଙ୍କିଙ୍ଗ୍‌ରେ ଐତିହାସିକ ଅବହେଳା
ଏଏସ୍‌ଆଇର ରୂପାନ୍ତର ଓ ଆମ୍‌ସାର୍‌ ଆଇନରେ ସଂଶୋଧନ ହେଉ
କୋଭିଡ୍‌ ନିୟନ୍ତ୍ରଣରେ ନେତୃତ୍ବ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ରାଜ୍ୟର ଅନେକ ଆଦିବାସୀ ଓ କେବିକେ ଜିଲ୍ଲାକୁ ନୂଆ ଆବଣ୍ଟନରୁ ବାଦ୍‌ ଦିଆଯାଇଛି। ଯାହା ଫଳରେ ଆଦିବାସୀ ଓ କେବିକେ ଜିଲ୍ଲାର ଅଧିବାସୀ ନୂତନ ଗୃହ ଆବଣ୍ଟନରୁ ବଞ୍ଚିତ ହୋଇଛନ୍ତି। ଯୋଜନା ସଂପର୍କିତ ଅସାମଞ୍ଜସ୍ୟକୁ ତୁରନ୍ତ ଦୂର କରାଯାଉ। ଏହି ପ୍ରସଙ୍ଗରେ କେନ୍ଦ୍ର ପକ୍ଷରୁ ଉଠାଯାଇଥିବା ସମସ୍ତ ପ୍ରଶ୍ନର ଉତ୍ତର ରାଜ୍ୟ ପକ୍ଷରୁ ଦିଆସରିଛି।

ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଣୀ କା ଭାବ (ୟୁ‌େନସ୍କୋ ହେରିଟେଜ ସାଇଟ) ଭଳି ଷ୍ଟେପ୍‌ୱେଲ୍‌ର ସୁରକ୍ଷା ଓ ‌ସଂରକ୍ଷଣ କରିଥିଲେ, ତାହାକୁ ଶ୍ରୀ ପଟ୍ଟନାୟକ ପ୍ରଶଂସା କରିଥିଲେ। ସଂରକ୍ଷଣ ଓ ରକ୍ଷଣାବେକ୍ଷଣ ସିଷ୍ଟମରେ ବିଶ୍ବରେ ବ୍ୟାପକ ପରିବର୍ତ୍ତନ ହୋଇଛି। ବୈଷୟିକ ଜ୍ଞାନକୌଶଳ ଓ ଆଇନଗତ ଢାଞ୍ଚାର ଆବଶ୍ୟକତା ଅନୁସାରେ ତଥା ଆମ ବ୍ୟବସ୍ଥାକୁ ଗ୍ଲୋବାଲ ବେଂଚମାର୍କ ସହିତ ତାଳଦେଇ ପ୍ରତ୍ନତାତ୍ତ୍ବିକ ସର୍ଭେକ୍ଷଣ ସଂସ୍ଥା(ଏଏସ୍‌ଆଇ)ର ରୂପାନ୍ତରଣ ସହ ଆମ୍‌ସାର ଆଇନର ସଂଶୋଧନ କରାଯିବାର ଆବଶ୍ୟକତା ରହିଛି। ଏହାଦ୍ବାରା ଆମର ଐତିହାସିକ ସ୍ଥଳ କୋଣାର୍କ ସମେତ ଅନ୍ୟ ସ୍ଥାନର ସୁରକ୍ଷା ଓ ସଂରକ୍ଷଣ କରିବା ସହଜ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ବୈଠକର ପ୍ରାରମ୍ଭରେ ଶ୍ରୀ ପଟ୍ଟନାୟକ ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଆହୂତ ନିତି ଆୟୋଗର ବୈଠକ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ କୋଭିଡ୍‌ ମହାମାରୀକୁ ପ୍ରଭାବଶାଳୀ ଢଙ୍ଗରେ ନିୟନ୍ତ୍ରଣ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କୁ ଧନ୍ୟବାଦ ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ ଯେ ତିନି ଦିନିଆ ଦିଲ୍ଲୀ ଗସ୍ତରେ ଗତକାଲି ମୁଖ୍ୟମନ୍ତ୍ରୀ ଦିଲ୍ଲୀ‌ରେ ପହଂଚିବା ପରେ କେନ୍ଦ୍ର ସରକାରଙ୍କ ଦ୍ବାରା ଆୟୋଜିତ ଆଜାଦି କି ଅମୃତ ମହୋତ୍ସବର ଜାତୀୟ କମିଟି ବୈଠକରେ ଯୋଗଦେଇଥିଲେ। ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର