ଅନ୍ତର୍ନିହିତ ଗୁଣ ଚିହ୍ନିଲେ ସଫଳତା ମିଳିବ: ରାଜ୍ୟପାଳ

ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍‌ ଜୟନ୍ତୀ ଉଦ୍‌ଯାପିତ

ଖଣ୍ଡପଡ଼ା: ଛାତ୍ରଛାତ୍ରୀମାନେ ସେମାନଙ୍କ ଅନ୍ତର୍ନିହିତ ଗୁଣକୁ ଚିହ୍ନିଲେ, ସଫଳତା ପାଇପାରିବେ। ଖଣ୍ଡପଡ଼ା ରାମଚନ୍ଦ୍ର ଉଚ୍ଚବିଦ୍ୟାଳୟର ପ୍ଳାଟିନମ୍‌ ଜୟନ୍ତୀ ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିବା ସହିତ ୟୁଜି କୃଷ୍ଣମୂର୍ତ୍ତି, ଗୋପବନ୍ଧୁ ଦାସ, ମଧୁସଦନ ଦାସ କିଭଳି ସଫଳ ହୋଇଥିଲେ ତାକୁ ଅନୁସରଣ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।

ଆଜି ପୂର୍ବାହ୍ନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସେ କହିଥିଲେ, ଗୋଟିଏ ଶିଶୁ ତଥା ବ୍ୟକ୍ତିର ଜୀବନରେ ଦୁଇ ଦିନ ଅତ୍ୟନ୍ତ ମହତ୍ବପୂର୍ଣ୍ଣ। ପ୍ରଥମଟି ଯେବେ ସେ ଜନ୍ମ ନେଲା ଏବଂ ଦ୍ବିତୀୟଟି ଯେବେ ସେ ପୃଥିବୀକୁ ଆସିବାର କାରଣ ଜାଣିପାରେ। ଏ ମାଟିର ପୁଅ ମହାନ୍‌ ଜ୍ୟୋତିର୍ବିଦ ସାମନ୍ତ ଚନ୍ଦ୍ରଶେଖର ଦୁଇ ଖଣ୍ଡ କାଠି ସାହାଯ୍ୟରେ ଗ୍ରହ ନକ୍ଷତ୍ରଙ୍କ ଦୂରତ୍ବ ମାପି ସାରାବିଶ୍ବକୁ ଚମତ୍କୃତ କରିପାରିଥିଲେ। ପରିଶ୍ରମ, ସଂଯମତା ସହ ସହଜ ଓ ସରଳ ଜୀବନ ଛାତ୍ରଛାତ୍ରୀଙ୍କୁ ସଫଳତାର ଶିଖରରେ ପହଞ୍ଚାଇ ପାରିବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ୍‌ କହିଥିଲେ।

ମୁଖ୍ୟବକ୍ତା ଭାବେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ବିଭୂତିଭୂଷଣ ସିଂହମର୍ଦ୍ଦରାଜ ଯୋଗଦେଇ ଶିକ୍ଷାର ପ୍ରଚାରପ୍ରସାର ପାଇଁ ବିଦ୍ୟାଳୟର ଭୂମିକା ଉପରେ ମତବ୍ୟକ୍ତ କରିଥିଲେ। ଏ ଅବସରରେ ଶ୍ରୀ ମର୍ଦ୍ଦରାଜ ନୀଳମାଧବଙ୍କ ପ୍ରତିମୂର୍ତ୍ତି ସହ ଖଣ୍ଡପଡ଼ା ଇତିହାସ ଉପରେ ଲିଖିତ ପୁସ୍ତକ ଉପହାରସ୍ୱରୂପ ପ୍ରଦାନ କରିଥିଲେ। ସମ୍ମାନିତ ବକ୍ତା ଭାବେ ପୁରାତନ ଛାତ୍ର ତଥା ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ପ୍ରସନ୍ନ କୁମାର ଶତପଥୀ ପାଠ ସହ ଅନ୍ୟାନ୍ୟ ବିଷୟ ପ୍ରତି ମନସ୍କ ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ, ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ସମୟର ସ୍ମୃତିକୁ ମଧ୍ୟ ମନେପକାଇଥିଲେ। ଖଣ୍ଡପଡା ବିଧାୟକ ଶ୍ରୀ ପଟ୍ଟନାୟକ ଗୋଟିଏ ଜାତିକୁ ଆଗୁଆ କରିବାକୁ ହେଲେ ଶିକ୍ଷା ଅନୁଷ୍ଠାନର ମହତ୍ବପୂର୍ଣ ଭୂମିକା ରହିଛି ବୋଲି ନିଜ ସଭାପତୀୟ ଅଭିଭାଷଣରେ କହିଥିଲେ।

ଏହି ଅବସରରେ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ଜୁବୁଲି ବିଶେଷାଙ୍କ ‘ସୁଧା’, ଲେଖକ ଦାଶ ବେନହୁରଙ୍କ ‘ପ୍ଲାଟିନମ ପରିଚୟ’ର ଇଂରାଜୀ ସଂସ୍କରଣ, ବିଶ୍ବନାଥ ବେହେରାଙ୍କ ଲିଖିତ ‘ପେନ କିଲର’, କୁଳମଣି ଷଡ଼ଙ୍ଗୀଙ୍କ ଲିଖିତ ‘ପ୍ରବାହ କାଦମ୍ବରୀ’ ପ୍ରମୁଖ ପୁସ୍ତକ ଉନ୍ମୋଚନ କରିଥିଲେ।

ଗତ ତିନି ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅକୁଣ୍ଠ ସହଯୋଗ କରିଥିବା ଜୟନ୍ତୀ କମିଟିର କର୍ମକର୍ତ୍ତାଙ୍କ ସହିତ ପୁରାତନ ଛାତ୍ର, ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଜୟନ୍ତୀ ସାହୁ ସ୍ବାଗତ ଭାଷଣ ଦେଇଥିବାବେଳେ ଜୟନ୍ତୀ କମିଟି ଯୁଗ୍ମ ଆବାହକ ଦୀପକ ମିଶ୍ର ଅତିଥି ପରିଚୟ ଏବଂ ସହସମ୍ପାଦକ ବିନାୟକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରଚଣ୍ଡ ଖରା ସତ୍ତ୍ବେ ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆସିଥିବା ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର