ଭୁବନେଶ୍ବର: ଯୋଗ୍ୟତା ଭିତ୍ତିରେ ଲୋକପ୍ରତିନିଧିମାନେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପାରିସ କରିପାରିବେ। ପ୍ରତି ସାଂସଦ ଓ ବିଧାୟକ ଗୋଟିଏ ଶିକ୍ଷାବର୍ଷରେ ନିଜ ନିର୍ବାଚନମଣ୍ଡଳୀର ସର୍ବାଧିକ ୧୫ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲା ଭିତରେ ବଦଳି କରିବାକୁ ସୁପାରିସ କରିବାର କ୍ଷମତା ରହିଛି। ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ବିଧାୟକ ଓ ସାଂସଦଙ୍କ ଉପରେ ଚାପ ବଢ଼ିବାରେ ଲାଗିଛି। ମେ’ ୧୫ରୁ ଜୁନ୍ ୧୫ ମଧ୍ୟରେ ସାଂସଦ ଓ ବିଧାୟକମାନେ ଯୋଗ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତାଲିକା ଜିଲ୍ଲାପାଳମାନଙ୍କୁ ଦେବାକୁ କହିଛନ୍ତି। ତେଣୁ ପ୍ରତିଦିନ ସକାଳୁ ଜନପ୍ରତିନିଧିଙ୍କ ବାସଭବନ ସମ୍ମୁଖରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଲମ୍ବା ଧାଡ଼ି ଲାଗୁଛି। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି। କିଏ ପରିବାରିକ ଅସୁବିଧା ସମ୍ପର୍କରେ ଜଣାଉଛନ୍ତି ତ ଆଉ କିଏ ସମ୍ପର୍କୀୟ ପରିଚୟ ଦେଇ ଘର ନିକଟକୁ ବଦଳି ହୋଇ ଆସିବାକୁ ନିବେଦନ କରୁଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି, କିଏ ଆଗ ବିଧାୟକ କିମ୍ବା ସାଂସଦଙ୍କ ମନ ଜିଣିବ ଏବଂ ବଦଳି କରିବାରେ ସକ୍ଷମ ହେବ ସେନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଆରମ୍ଭ ହୋଇଛି। ସବୁ ସ୍ତରରେ ଉଦ୍ୟମ କରୁଛନ୍ତି। ଅଧିକାଂଶ କ୍ଷେତ୍ରରେ ଗ୍ରାମାଞ୍ଚଳ ତଥା ଉପାନ୍ତ ଅଞ୍ଚଳରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଘର ନିକଟ ନ ହେଲେ ସହର ପାଖାପାଖି ବିଦ୍ୟାଳୟକୁ ଆସିବାକୁ ଲବି କରୁଛନ୍ତି। ଯଦି ହିସାବ ଦେଖାଯାଏ ୧୪୭ବିଧାୟକ ୨,୨୦୫ ଜଣଙ୍କ, ୨୧ଜଣ ଲୋକସଭା ସାଂସଦ ୩୧୫ଜଣଙ୍କ ଓ ୧୦ଜଣ ରାଜ୍ୟସଭା ସାଂସଦ ୧୫୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ସୁପରିସ କରିପାରିବେ। ଅର୍ଥାତ୍ ଚଳିତ ଶିକ୍ଷାବର୍ଷରେ ଜନପ୍ରତିନିଧିମାନେ ୨,୬୭୦ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପାରିସ କରିବେ।
ଯେହେତୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ତେଣୁ ବିଜେପି ବିଧାୟକମାନେ ଯଥାସମ୍ଭବ କାର୍ଯ୍ୟକାରୀ କରିବାକୁ ଆଗଭର ପ୍ରକାଶ କରିଛନ୍ତି। ଇତିମଧ୍ୟରେ ଜଣେ ଜଣେ ବିଧାୟକଙ୍କ ନିକଟରେ ଶତାଧିକ ଆବେଦନପତ୍ର ପହଞ୍ଚିଥିବା ଜଣାପଡ଼ିଛି। କିଛି କ୍ଷେତ୍ରରେ ସ୍ଥିତି ଏମିତି ହେଲାଣି ଯେ ବିଧାୟକମାନେ କାହା ନାଁକୁ ସୁପାରିସ କରିବେ ସେନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଜଣେ ଯଦି ଅସନ୍ତୁଷ୍ଟ ହୁଅନ୍ତି ତାହାର ପ୍ରଭାବ ନିର୍ବାଚନମଣ୍ଡଳୀର ଭୋଟ ଉପରେ ପଡ଼ିବ। ତେଣୁ ଭାବିଚିନ୍ତି ଆବେଦନପତ୍ରଗୁଡ଼ିକୁ ଗ୍ରହଣ କରିବା ସହ ମାନସମନ୍ଥନ କରୁଛନ୍ତି। କାହାକୁ ନାହିଁ କରୁ ନାହାନ୍ତି। ବରଂ ଆଶ୍ବାସନା ଦେଉଛନ୍ତି। ସମସ୍ତଙ୍କୁ କିଭଳି ସନ୍ତୁଷ୍ଟ କରିହେବ ସେନେଇ ମଧ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି।
ରାଜ୍ୟ ସରକାରଙ୍କ ଏଭଳି ବଦଳି ନିଷ୍ପତ୍ତି ପରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଥିଲେ ଯେ ଅନେକ ଶିକ୍ଷକ ବଦଳି ପାଇଁ ଲୋକ ପ୍ରତିନିଧିମାନଙ୍କ ପାଖକୁ ଯାଇଥାନ୍ତି। ସେମାନଙ୍କ ଅସୁବିଧାକୁ ବିଚାରକୁ ନେଇ ବଦଳି ପାଇଁ ସୁପାରିସ କରିପାରିବେ। ଏଥିରେ କୌଣସି ଦୁର୍ନୀତି ହେବ ନାହିଁ। ୬ବର୍ଷରୁ ଅଧିକ ସମୟ ଧରି ଥିବା ଶିକ୍ଷକଙ୍କ ବଦଳି ପାଇଁ ବିଧାୟକ ଓ ସାଂସଦମାନେ ସୁପାରିସ କରିବେ। ଫଳରେ ନିର୍ବାଚନମଣ୍ଡଳୀ ସ୍ତରରେ ଶିକ୍ଷକ ସମସ୍ୟା ଦୂର ହୋଇପାରିବ ବୋଲି ମନ୍ତ୍ରୀ କହିଥିଲେ। ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ସ୍ୱାଗତଯୋଗ୍ୟ। ମାତ୍ର ଉଭୟ ଅଫ୍ଲାଇନ୍ ଓ ଅନ୍ଲାଇନ୍ରେ ଆବେଦନ ଗ୍ରହଣ କରାଯିବା ଦିଗରେ ସରକାର ପଦକ୍ଷେପ ନିଅନ୍ତୁ। ରାଜ୍ୟର ଅନେକ ବିଦ୍ୟାଳୟ ରହିଛି ଯେଉଁଠାରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଯଥେଷ୍ଟ ଶିକ୍ଷକ ନାହାନ୍ତି। କେଉଁଠି ଶିକ୍ଷକ ଅଛନ୍ତି, ମାତ୍ର ଛାତ୍ରଛାତ୍ରୀ ନାହାନ୍ତି। ଯେଉଁଠାରେ ଛାତ୍ରଛାତ୍ରୀଙ୍କ ତୁଳନାରେ ଶିକ୍ଷକ କମ୍ ରହିଛନ୍ତି ସେଠାରେ ଶିକ୍ଷକ ନିଯୁକ୍ତି କରାଯାଉ। ବଳକା ଶିକ୍ଷକ ଥିବା ବିଦ୍ୟାଳୟରୁ ଶିକ୍ଷକଙ୍କୁ ଅପସାରଣ କରାଯାଇ ଆବଶ୍ୟକ ସ୍ଥାନରେ ନିଯୁକ୍ତିର ବ୍ୟବସ୍ଥା କରାଗଲେ ଶିକ୍ଷକ ଅଭାବ ପୂରଣ ହେବ। ନୂତନ ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବିଦ୍ୟାଳୟ କ୍ଷେତ୍ରରେ ଏହି ବଦଳି ନିର୍ଦ୍ଦେଶନାମା ଲାଗୁ କରାଯିବା ଏବଂ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ କରିବାକୁ ସେ ଦାବି କରିଛନ୍ତି।