ଓଡ଼ିଶାରେ ବୁନ୍ଦେଲଖଣ୍ଡ ଢାଞ୍ଚାରେ ‘କ୍ଷେତ ପୋଖରୀ’ ଯୋଜନା ପାଇଁ ସୁପାରିସ୍‌

ଇକ୍ରିସାର୍ଟର ସହଯୋଗ ନେବାକୁ ପରାମର୍ଶ, ସ୍ଥିତି ଅନୁଧ୍ୟାନ କଲେ ୭ ଜଣିଆ କୃଷି ପ୍ରତିନିଧିଦଳ

ଭୁବନେଶ୍ବର: ଉତ୍ତରପ୍ରଦେଶର ବୁନ୍ଦେଲଖଣ୍ଡ ଭଳି ଓଡ଼ିଶାର ସ୍ବଳ୍ପ ବୃଷ୍ଟିପାତ ଅଞ୍ଚଳର ଜମିରେ ପୋଖରୀ ଖୋଳି ଚାଷ ପାଇଁ ସୁପାରିସ୍‌ କରିଛି ରାଜ୍ୟ କୃଷି ପ୍ରତିନିଧିଦଳ। ସ୍ବଳ୍ପ ବର୍ଷା ହେଉଥିବା ସ୍ଥାନ ପାଇଁ ଫସଲ ଉପରେ ଗବେଷଣା କରୁଥିବା ଅନ୍ତର୍ଜାତୀୟ ଗବେଷଣା ପ୍ରତିଷ୍ଠାନ ଇକ୍ରିସାର୍ଟର ସହଯୋଗରେ ଏହି କାର୍ଯ୍ୟ କରାଯାଇ ପାରିବ ବୋଲି ପରାମର୍ଶ ଦିଆଯାଇଛି। ଏ ସଂକ୍ରାନ୍ତରେ ରିପୋର୍ଟ ଖୁବ ଶୀଘ୍ର ରାଜ୍ୟ କୃଷି ବିଭାଗ ନିକଟରେ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ନିକଟରେ ଇକ୍ରିସାର୍ଟର ଆମନ୍ତ୍ରଣରେ ରାଜ୍ୟ ସହକାରୀ କୃଷି ନିର୍ଦେଶକ ନଗେନ ମଲ୍ଲିକ, ବଲାଙ୍ଗୀର ଡିଡିଏଚ୍‌ ପ୍ରଫୁଲ୍ଲ ଭଞ୍ଜ, ସହକାରୀ କୃଷି ନିର୍ଦେଶକ ସଂଗ୍ରାମ ପଟ୍ଟନାୟକ, ଉଦ୍ୟାନ କୃଷି ପରିଚାଳକ ଶିବ ନାରାୟଣ ସିଂ, ସହକାରୀ କାର୍ଯ୍ୟନିର୍ବାହୀ ନିରଞ୍ଜନ ସାହୁ ବୁନ୍ଦେଲଖଣ୍ଡ ଅଞ୍ଚଳର ୭ଟି ଜିଲ୍ଲା ପରିଦର୍ଶନ କରିଥିଲେ। ଏହି ପ୍ରତିନିଧିଦଳ କହିଛି, ସ୍ବଳ୍ପ ବୃଷ୍ଟିପାତ ଅଞ୍ଚଳ ଭାବରେ ଜଣାଶୁଣା ବୁନ୍ଦେଲଖଣ୍ଡ ଅଞ୍ଚଳରେ ବାର୍ଷିକ ହାରାହାରି ୫୫୦ରୁ ୬୦୦ ମିଲିମିଟର ବର୍ଷା ହୋଇଥାଏ। ଏଥିଯୋଗୁଁ ମରୁଡ଼ି ପୀଡ଼ିତ ଏହି ଅଞ୍ଚଳରେ ଚାଷ ହୋଇପାରେ ନାହିଁ। ତେଣୁ ରୋଜଗାର ପାଇଁ ଲୋକେ ବାହାର ରାଜ୍ୟକୁ ପଳାୟନ କରନ୍ତି। କିଛି ବର୍ଷ ହେଲା ଚାଷ ପାଇଁ ଆବଶ୍ୟକ ପାଣି ସମସ୍ୟା ସମାଧାନ ନିମନ୍ତେ ସ୍ବତନ୍ତ୍ର ଢଙ୍ଗରେ ‘କ୍ଷେତ ପୋଖରୀ’ ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇଛି।

ପ୍ରତିନିଧିଦଳର ଜଣେ ସଦସ୍ୟ କହିଛନ୍ତି, ବୁନ୍ଦେଲଖଣ୍ଡର ମାଟି ହେଲା ଚିକିଟା ମାଟି। ଏହାର ଜଳଧାରଣ ଶକ୍ତି ଅଧିକ। ବର୍ଷା ହେଲେ ମାଟିରେ ପାଣି ମିଶିଯାଏ; କିନ୍ତୁ ଭୂମିତଳକୁ ଯାଇପାରେ ନାହିଁ। ଏଥିଯୋଗୁଁ ଖରିଫ ଚାଷ ଏଠାରେ ଭଲ ହୁଏ ନାହିଁ। ବର୍ତ୍ତମାନ ସେମାନେ ନୂତନ ପ୍ରକ୍ରିୟା ଆରମ୍ଭ କରିଛନ୍ତି, ଖରାଦିନରେ ପୋଖରୀ ଖନନ କରି ପାଣି ବାନ୍ଧି ରଖୁଛନ୍ତି। ଇକ୍ରିସାର୍ଟ ସହଯୋଗରେ ଜମିକୁ ବାନ୍ଧି ଆଡ଼ି ବନ୍ଧ କରାଯାଇଛି। ସେହି ପାଣି ମାଟିରେ ରହିବା ଫଳରେ ଭୂତଳ ଜଳସ୍ତର ବଢୁଛି ଏବଂ କୂଅ, ପୋଖରୀରେ ପାଣି ରହୁଛି। ବର୍ଷା ଦିନରେ କିଛି ପାଣି ଭେଦି ତଳକୁ ଯାଉଥିବାରୁ ରବି ଋତୁରେ ଏହି ପାଣି ଖୋଲି ଦିଆଯାଏ, ଯାହା ଭୂମିତଳକୁ ଚାଲିଯାଏ। ଫଳରେ ଏଠାକାର ଚାଷୀମାନେ ରବି ଋତୁରେ ବୁଟ, ଗହମ, ବାଦାମ ଆଦି ଚାଷ କରନ୍ତି। ସ୍ଥାନୀୟ ଭାଷାରେ ଏହାକୁ ହାବେଲି ସିଷ୍ଟମ ମଧ୍ୟ କୁହାଯାଏ। କିଛି ଚାଷୀ ପାଣି ନ ଛାଡ଼ି ପୋଖରୀରେ ମାଛ ଚାଷ କରୁଛନ୍ତି। ଏଠାରେ ଚାଷ ସହିତ ବିଭିନ୍ନ ଗଛ ମଧ୍ୟ ଲଗାଯାଉଛି। ଓଡ଼ିଶାରେ ଏହି ପ୍ରକ୍ରିୟା ସହିତ ଆତ, ପିଜୁଳି, ସୀତାଫଳ ଆଦି ଗଛ ଲଗାଇବା ପାଇଁ ପରାମର୍ଶ ଦିଆଯାଉଛି। ଓଡ଼ିଶାରେ ଫାର୍ମପଣ୍ଡ ଚାରି ପଟ ଉଚ୍ଚ ଥିବାରୁ ପାଣି ନିଷ୍କାସିତ ହୁଏ ନାହିଁ। ବୁନ୍ଦେଲଖଣ୍ଡର ଏହି ହାବେଲି ସିଷ୍ଟମ କାର୍ଯ୍ୟକାରୀ ହେଲା ସ୍ଥାନୀୟ ଚାଷୀଙ୍କ ଆୟ ବୃଦ୍ଧି ପାଇବ। ଓଡ଼ିଶାର ମୁଖ୍ୟତଃ ପଶ୍ଚିମଓଡ଼ିଶା ଏବଂ ଫୁଲବାଣୀରେ କମ୍‌ ବର୍ଷା ହେଉଥିବାରୁ ଏହି ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇ ପାରିବ ବୋଲି ପ୍ରତିନିଧିଦଳ ମତ ଦେଇଛି।

ସମ୍ବନ୍ଧିତ ଖବର