ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିସ : ପ୍ରତି ବ୍ଲକରେ ବିଜ୍ଞାନ କଲେଜ ଖୋଲାଯାଉ

ଅଧ୍ୟାପକଙ୍କ ଅବସର ବୟସ ସୀମା ୬୨ କରାଯାଉ
ପରୀକ୍ଷା ଦର୍ପଣ ପ୍ରତିବର୍ଷ ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ଦିଆଯାଉ

ଭୁବନେଶ୍ବର : ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରି ମହାବିଦ୍ୟାଳୟଗୁଡ଼ିକରେ ବହୁ ଶିକ୍ଷକ ପଦବି ଖାଲି ରହିଛି। କେଉଁଠି ୫୦ ପ୍ରତିଶତ ସିଟ୍‌ ଖାଲି ତ ଆଉ କେଉଁଠି ପ୍ରମୁଖ ବିଷୟରେ ପଢ଼ାଇବାକୁ ଅଧ୍ୟାପକ ନାହାନ୍ତି। ‌ତେଣୁ କଲେଜ ଅଧ୍ୟାପକମାନଙ୍କ ଅବସର ବୟସ ସୀମା ୬୨ ବର୍ଷକୁ ବୃଦ୍ଧି କରାଯାଉ। ଏଥିସହ ଯେଉଁ ବ୍ଲକରେ ଗୋଟିଏ ବି ବିଜ୍ଞାନ କଲେଜ ନାହିଁ, ସେଠାରେ ଅତି କମ୍‌ରେ ଗୋଟିଏ ବିଜ୍ଞାନ ଡିଗ୍ରି କଲେଜ ଖୋଲିବା ପଦକ୍ଷେପ ନିଆଯାଉ। କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ଲାଗି ଅଧିକ ଫଣ୍ଡ୍‌ର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବାର ଆବଶ୍ୟକତା ରହିଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ବିଧାନସଭା ଷ୍ଟାଣ୍ଡିଂ କମିଟି ଉଚ୍ଚଶିକ୍ଷାରେ ବ୍ୟାପକ ସଂସ୍କାର ଆଣିବାକୁ ପ୍ରସ୍ତାବ ଦେଇଛି। ପ୍ରସ୍ତାବ ଅନୁଯାୟୀ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜର ଅଧ୍ୟାପକଙ୍କ ଲାଗି ଏକକ ନୀତି ଅପଣାଯାଉ। କଲେଜ ନାମରେ ଜମି କରାଯାଉ। କଲେଜର ପ୍ରଶାସନିକ କାର୍ଯ୍ୟର ସୁପରିଚାଳନା ଲାଗି ଅବିଭକ୍ତ ୧୩ଟି ଜିଲ୍ଲାରେ ୧୫ଟି ଆଞ୍ଚଳିକ ନିର୍ଦେଶାଳୟ ଖୋଲାଯିବାର ଆବଶ୍ୟକତା ରହିଛି। ରାଜ୍ୟ‌ରେ ଏମିତି ଅନେକ ଛାତ୍ରଛାତ୍ରୀ ରହିଛନ୍ତି, ଯାହାଙ୍କର କ୍ରୀଡ଼ା ପ୍ରତି ଆଗ୍ରହ ରହିଛି। ତେବେ ସେମାନେ ଆଗକୁ ଆସିପାରୁ ନାହିଁ। ତେଣୁ ଅନ୍ତଃ ମହାବିଦ୍ୟାଳୟସ୍ତରୀୟ ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା କରାଯିବାର ଆବଶ୍ୟକତା ରହିଛି। କେବଳ ସେତିକି ନୁହେଁ, ବକ୍ତୃତା ଓ ବିଜ୍ଞାନ ସମ୍ପର୍କିତ ପ୍ରତିଯୋଗିତା କରାଯାଉ। ଫଳରେ ବହୁ ପ୍ରତିଭା ଲୋକଲୋଚନକୁ ଆସିପାରିବେ। ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟଗୁଡ଼ିକରେ ନିୟମିତ ଅଧ୍ୟକ୍ଷ ନିଯୁକ୍ତି ଦିଗରେ ପଦକ୍ଷେପ ହାତକୁ ନେବାକୁ ପ୍ରସ୍ତାବରେ ଉଲ୍ଲେଖ ରହିଛି। କଲେଜ ଓ ବିଶ୍ବବିଦ୍ୟାଳୟଗୁଡ଼ିକର ହୋଲ୍‌ଡିଂ ଟ୍ୟାକ୍ସ ଛାଡ଼ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ। ନନ୍‌-ଏଷ୍ଟାବ୍ଲିସମେଣ୍ଟ ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକୁ ପ୍ରଦାନ କରାଯାଉଥିବା ଅର୍ଥ ବୃଦ୍ଧି କରିବାକୁ କମିଟି ସୁପାରିସ କରିଛି।

ଗଣଶିକ୍ଷା ବିଭାଗ ପାଇଁ ସୁପାରିସ ହୋଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ ମାଟ୍ରିକ୍‌ ଛାତ୍ରଛାତ୍ରୀଙ୍କ ଲାଗି ଗଣଶିକ୍ଷା ବିଭାଗ ପକ୍ଷରୁ ଏଥର ପ୍ରକାଶ କରାଯାଇଥିବା ପରୀକ୍ଷା ଦର୍ପଣଙ୍କୁ ପ୍ରତିବର୍ଷ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉ। କେବିକେରେ ୨୦ରୁ କମ୍‌ ପିଲା ଥିବା ବିଦ୍ୟାଳୟଗୁଡ଼ିକୁ ମିଶ୍ରଣ କରା ନ ଯାଉ। ସମସ୍ତ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ଲାଗି ବଜେଟ୍‌ରେ ସ୍ବତନ୍ତ୍ର ବ୍ୟବସ୍ଥା ଏବଂ ଡିଇଓ ଓ ବିଇଓ କାର୍ଯ୍ୟାଳୟ ବିଲ୍‌ଡିଂ ମରାମତି ଲାଗି ବ୍ୟୟ ବରାଦ କରିବାକୁ କୁହାଯାଇଛି। କୋଭିଡ୍‌-୧୯କୁ ନଜରରେ ରଖି ଉଭୟ ମାଟ୍ରିକ ଓ ଯୁକ୍ତ୨ ଛାତ୍ରଛାତ୍ରୀଙ୍କ ପରୀକ୍ଷା ନିଜ ବିଦ୍ୟାଳୟରେ କରାଯାଉ। ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଯେଉଁ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁନାହାନ୍ତି ସେମାନଙ୍କ ଯାତାୟାତ ପାଇଁ ବସ୍‌ରେ ସ୍ବତନ୍ତ୍ର ରିହାତି ମିଳୁ। ଏଥିପାଇଁ ରିହାତି ପାସ୍‌ ବ୍ୟବସ୍ଥା ହେଉ। ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟଭାର କମାଇବା ଲାଗି ଏଡିଇଓ ପଦବି ସୃଷ୍ଟି କରାଯାଉ। ବିଇଓଙ୍କ ଗମନାଗମନ ଭତ୍ତା ୫ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହେଉ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, କଳାହାଣ୍ଡି ବିଶ୍ବବିଦ୍ୟାଳୟ, ରାଜେନ୍ଦ୍ର ନାରାୟଣ ବିଶ୍ବବିଦ୍ୟାଳୟ ଓ ଜିଏମ୍‌ ବିଶ୍ବବିଦ୍ୟାଳୟ ସହ ମିଳିତ ଭାବେ ଥିବା ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ଭିତ୍ତିଭୂମି ଓ ଲାବରେଟୋରିର ବିକାଶ ଲାଗି ପଦକ୍ଷେପ ନେବାକୁ ସୁପାରିଶ କରାଯାଇଛି।

ସମ୍ବନ୍ଧିତ ଖବର