ଜିଲ୍ଲାପାଳଙ୍କ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ସୁପାରିସ

ସୋନପୁର : ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ତଥା ଭାରପ୍ରାପ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ଠାରେ ସୁପାରିସ ହୋଇଛି। ଏକ ଅଡିଟ୍ ରିପୋର୍ଟକୁ ଭିତ୍ତିକରି ବଲାଙ୍ଗୀର ଜିଲ୍ଲାପାଳ ଚଂଚଳ ରାଣା ପୂର୍ବରୁ ବଲାଙ୍ଗୀର ତହସିଲଦାର ଥିବା ସୂର୍ଯ୍ୟନାରାୟଣ ଦାଶଙ୍କ ବିରୋଧରେ ପତ୍ରସଂଖ୍ୟା ୧୫୯୧/ ୨୩/୫/୨୦୨୩ରେ କଟକ ରାଜସ୍ବ ପର୍ଷଦ ସଚିବଙ୍କୁ ଏହି ସୁପାରିସ କରିଥିବା ଜଣାଯାଇଛି।

ଶ୍ରୀ ଦାଶ ବଲାଙ୍ଗୀର ତହସିଲଦାର ଥିବା ସମୟରେ ଅନିୟମିତତା ଏବଂ କର୍ତ୍ତବ୍ୟରେ ଅବହେଳା କାରଣରୁ ସରକାରଙ୍କ ୨ କୋଟି ୪୨ ଲକ୍ଷ ୬୬ ହଜାର ୧୧୭ ଟଙ୍କା ରାଜସ୍ବହାନୀ ହୋଇଥିବା ଅଡିଟ୍ ରିପୋର୍ଟ ନମ୍ବର ୧୧୦/୨୦୦୯-୧୦ରେ ଦର୍ଶାଯାଇ ଥିଲା। ମାତ୍ର ଏହି ରିପୋର୍ଟକୁ ଦୀର୍ଘ ୧୩ ବର୍ଷଧରି ଚାପି ଦିଆଯାଇ ଥିଲା। ଖୋଳତାଡ଼ ହେବାପରେ ଏବେ ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି। ୧୦ ମାର୍ଚ୍ଚ ୨୦୦୪ ଠାରୁ ୩ ମାର୍ଚ୍ଚ ୨୦୦୯ ପର୍ଯ୍ୟନ୍ତ ଶ୍ରୀ ଦାଶ ବଲାଙ୍ଗୀର ତହସିଲଦାର ଥିଲେ। ଏହି ସମୟର ଏକ ଘଟଣାରେ ଏକ ଜମି ରେଜିଷ୍ଟ୍ରି ହୋଇ ନ ଥିବାବେଳେ ସମ୍ପୃକ୍ତ ଜମିମାଲିକଙ୍କୁ ଅନୁକମ୍ପା ଦେଖାଇ ଓଏଲଆର ଧାରା ୮(କ)ରେ ତହସିଲଦାର ଶ୍ରୀ ଦାଶ ପ୍ରିମିୟମ ଆଦାୟ କରିଥିବା ଅଭିଯୋଗ ହୋଇଥିଲା। ସେହିଭଳି ଜମିର ପ୍ରକୃତ ମୂଲ୍ୟାଙ୍କନ ନ କରି ସରକାରଙ୍କ ଧାର୍ଯ୍ୟ ଦରଠାରୁ ଅଧା ଦାମରେ ଚାଷଜମିକୁ ଘରବାରି କିସମକୁ ପରିବର୍ତ୍ତନ କରିଥିଲେ।

ଫୁଟି ବାହାରିଲା ପାଉଁଶ ତଳର ନିଆଁ
୧୩ ବର୍ଷ ପୂର୍ବର ଅଡିଟ୍ ରିପୋର୍ଟକୁ ଚାପି ଦିଆଯାଇଥିଲା
ସରକାରଙ୍କ ୨ କୋଟି ୪୨ ଲକ୍ଷ ୬୬ ହଜାର ୧୧୭ ଟଙ୍କା ରାଜସ୍ବହାନୀ ହୋଇଥିଲା
ଗୋଟିଏ ଦିନରେ ୧ ହଜାରରୁ ଅଧିକ ମାମଲାର ଫଇସଲା

ଫଳରେ ଜମିମାଲିକଙ୍କୁ ଫାଇଦା ହୋଇଥିବା ବେଳେ ସରକାରଙ୍କ ରାଜସ୍ବହାନୀ ହୋଇଥିଲା। ଏପରିକି ସରକାର ଦେୟବୃଦ୍ଧି ସମ୍ପର୍କରେ ନିର୍ଦ୍ଦେଶନାମା ଜାରି କରିବାର ଦିନକ ପୂର୍ବରୁ ମାତ୍ର ଗୋଟିଏ ଦିନରେ ୧ ହଜାରରୁ ଅଧିକ ମାମଲାର ଫଇସଲା ଓଏଲଆର ଧାରା ୮(କ)ରେ କରି ଦେଇଥିଲେ। ଯାହା ଗୋଟିଏ ଦିନରେ ଆଦୌ ସମ୍ଭବ ନୁହେଁ ବୋଲି ଅଡିଟ୍ ରିପୋର୍ଟରେ ଦର୍ଶାଯାଇ ଥିଲା। ଏହିପରି ତତ୍କାଳୀନ ବଲାଙ୍ଗୀର ତହସିଲଦାର ଶ୍ରୀ ଦାଶଙ୍କର ୧୦ଟି ତ୍ରୁଟିକୁ ଅଡିଟରେ ଧରିବା ସହ ଏହାଦ୍ବାରା ରାଜ୍ୟ ରାଜ‌କୋଷରୁ ବିପୁଳ ଅର୍ଥ କ୍ଷତି ହୋଇଥିବା ରିପୋର୍ଟରେ ଦର୍ଶାଯାଇ ଥିଲା। ତେବେ ସବୁଠାରୁ ବଡ଼କଥା ହେଉଛି, ଏହି ଅଡିଟ୍ ରିପୋର୍ଟ ୧୩ ବର୍ଷ ପୂର୍ବରୁ ପ୍ରଦାନ କରାଯାଇ ଥିଲା। ତେବେ, ଏତେ ବର୍ଷ ଧରି ଏହି ରିପୋର୍ଟକୁ ଚାପି ଦିଆଯିବା ପଛରେ କେଉଁ ଅଧିକାରୀଙ୍କ ହାତ ଅଛି ତାହା ମଧ୍ୟ ତଦନ୍ତସାପେକ୍ଷ ବୋଲି କୁହାଯାଉଛି। ତଦନ୍ତ ରିପୋର୍ଟକୁ ଦୀର୍ଘବର୍ଷ ଚାପି ରଖିଥିବା ଅଧିକାରୀଙ୍କ ବିରୋଧରେ ପ୍ରଥମେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର