ଦିନକରେ ରେକର୍ଡ ୧୯୭୭ ପଜିଟିଭ୍ ଚିହ୍ନଟ
ଆଉ ୧୦ ମୃତ, ସୁସ୍ଥ ହେଲେ ୧୩୦୫, ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ୧୫୦ ଟପିଲା
ଭୁବନେଶ୍ୱର : ଗଞ୍ଜାମରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ପୂର୍ବରୁ ଚିହ୍ନଟ ହୋଇଥିବା ରୋଗୀମାନେ ମଧ୍ୟ ସୁସ୍ଥ ହେବାରେ ଲାଗିଛନ୍ତି। ମାତ୍ର ମୃତ୍ୟୁ ସଂଖ୍ୟା କମୁନାହିଁ। ଜିଲ୍ଲାରୁ ପ୍ରତ୍ୟେକ ଦିନ ଏକାଧିକ କରୋନା ଆକ୍ରାନ୍ତ ପ୍ରାଣ ହରାଉଛନ୍ତି। ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୫୧ରେ ପହଞ୍ଚି ଯାଇଛି। ଅପରପକ୍ଷରେ ଖୋର୍ଧା ଜିଲ୍ଲାରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ବିଶେଷକରି ଭୁବନେଶ୍ବରରେ ଲଗାତାର ଦୁଇଦିନ ଧରି ୨ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ ସଂଖ୍ୟକ ସକ୍ରିୟ କରୋନା ରୋଗୀ ରହିଛନ୍ତି। ଖୋର୍ଧା କମ୍ ସଂଖ୍ୟାରେ ରୋଗୀ ସୁସ୍ଥ ହେଉଥିବା ନଜରକୁ ଆସିଛି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ସମସ୍ତ ଜିଲ୍ଲାରୁ ୧୯୭୭ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିରେ ୫ଟି ଜିଲ୍ଲାରେ ଶହେରୁ ଅଧିକ ରୋଗୀ ରହିଛନ୍ତି। ଏଥିରୁ ୧୨୪୧ ସଙ୍ଗରୋଧରୁ ଥିବା ବେଳେ ୭୩୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସ୍ଥାନୀୟ ସଂକ୍ରମଣ ହାର ୩୭ପ୍ରତିଶତ ରେକର୍ଡ କରାଯାଇଛି। ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୬୩୦ରେ ପହଞ୍ଚିଛି। ରାଜ୍ୟରେ କୋଭିଡ୍ ନମୁନା ପରୀକ୍ଷା ସଂଖ୍ୟାରେ ଦିନକୁ ଦିନ ବୃଦ୍ଧି ଦେଖିବାକୁ ମିଳିଛି। ଗତ ୧୨ ତାରିଖରେ ରାଜ୍ୟରେ ୪୦ ହଜାରରୁ ସାମାନ୍ୟ ଅଧିକ ନମୁନା ପରୀକ୍ଷା ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ୪୨୭୬୧ ନମୁନା ପରୀକ୍ଷା ହୋଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୮ଲକ୍ଷ ୭ହଜାର ୮୨୬ ନମୁନା ପରୀକ୍ଷା କରାଯାଇ ସାରିଲାଣି।
ଆଜି ରାଜ୍ୟରେ ଆଉ ୧୦ଜଣ କରୋନା ରୋଗୀଙ୍କ ମୃତ୍ୟୁ ସଂପର୍କରେ ଘୋଷଣା ହୋଇଛି। ଏଥିରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୪ଜଣ ରହିଛନ୍ତି। ପୁରି ଜିଲ୍ଳାରେ ତିନି ଜଣ, କଟକ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ରୋଗୀ ପ୍ରାଣ ହରାଇଛନ୍ତି। ଏହାସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୨୪ରେ ପହଞ୍ଚିଛି। ଗଞ୍ଜାମରେ ସର୍ବାଧିକ ୧୫୧ଜଣ ପ୍ରାଣ ହରାଇଛନ୍ତି। ଏହାବାଦ୍ ଖୋର୍ଧାରେ ୪୨, ସୁନ୍ଦରଗଡ଼ ୨୧, ଗଜପତି ୧୬, ରାୟଗଡ଼ା ଓ କଟକରୁ ୧୪ଜଣ ଲେଖାଏଁ, ପୁରୀ ଓ ନୟାଗଡ଼ରେ ୮ଜଣ ଲେଖାଏଁ ଓ ବାଲେଶ୍ବରର ୭ ମୃତ୍ୟୁକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ କମ୍ ସଂଖ୍ୟକ ମୃତ୍ୟୁ ରେକର୍ଡ କରାଯାଇଛି। ରାଜ୍ୟର ୨୫ଟି ଜିଲ୍ଲାରେ ଏ ପର୍ଯ୍ୟନ୍ତ କରୋନା ମୃତ୍ୟୁ ହୋଇଛି।
ଦିନକରେ ଚିହ୍ନଟ ପଜିଟିଭ୍ଙ୍କ ମଧ୍ୟରେ ଖୋର୍ଧାରୁ ସର୍ବାଧିକ ୩୩୨ଜଣ ରହିଛନ୍ତି। ଗଞ୍ଜାମ ୨୮୦, ମୟୂରଭଞ୍ଜ ୧୨୦, ଭଦ୍ରକ ୧୧୮, କଟକ ୧୦୧, ଗଜପତି ୯୩, କୋରାପୁଟ ୯୦, ସୁନ୍ଦରଗଡ଼ ୮୮, ପୁରୀ ୮୩, ନୟାଗଡ଼ ୭୫, ରାୟଗଡ଼ା ୭୦, ଯାଜପୁର ୬୯, କନ୍ଧମାଳ ୬୦, ସମ୍ବଲପୁର ୫୯, ବାଲେଶ୍ବର ୫୬, ମାଲକାନଗିରି ୫୨, କନ୍ଧମାଳ ୪୮, ଢେଙ୍କାନାଳ ୪୦, ଜଗତସିଂହପୁର ୩୪, ବରଗଡ଼ ୨୨, ନୂଆପଡ଼ା ୨୦, ନବରଙ୍ଗପୁର ୧୭, ଝାରସୁଗୁଡ଼ା ୧୧, କେନ୍ଦୁଝର ୧୦, ବଲାଙ୍ଗୀର ଓ ସୋନପୁର ୭ଜଣ ଲେଖାଏଁ, ବୌଦ୍ଧ ୫, ଅନୁଗୁଳ ଓ ଦେବଗଡ଼ରେ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ସର୍ବାଧିକ ୧୪୧୨୨ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଖୋର୍ଧା ୭୭୮୪, କଟକ ୩୬୧୯, ସୁନ୍ଦରଗଡ଼ ୨୮୦୫, ଗଜପତି ୨୨୧୨, ଯାଜପୁର ୧୮୩୧, ରାୟଗଡ଼ା ୧୮୦୪, ବାଲେଶ୍ବର ୧୬୮୪, କୋରାପୁଟ ୧୫୮୦, ପୁରୀ ୧୫୫୫, ନୟାଗଡ଼ ୧୩୩୪, ସମ୍ବଲପୁର ୧୩୨୮, ଭଦ୍ରକ ୧୩୦୦, କନ୍ଧମାଳ ୧୨୦୧, ମୟୂରଭଞ୍ଜ ୧୧୫୪, କେନ୍ଦୁଝର ୧୧୨୦, ମାଲକାନାଗିରି ୧୦୮୩ ଓ ଜଗତସିଂହପୁର ୧୦୧୦ ସର୍ବାଧିକ ଆକ୍ରାନ୍ତ ଜିଲ୍ଲା ରହିଛନ୍ତି।
ଅନ୍ୟପକ୍ଷରେ ଆଜି ରାଜ୍ୟରେ ମୋଟ ୧୩୦୫ ରୋଗୀ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥିରେ ଗଞ୍ଜାମର ସର୍ବାଧିକ ୨୬୬ଜଣ ରହିଛନ୍ତି। ଏହାବାଦ୍ ଖୋର୍ଧା ୧୫୬, କଟକ ୧୨୮, ଯାଜପୁର ୧୧୧, ମାଲକାନଗିରି ୭୫, ବାଲେଶ୍ବର ୭୧, ସୁନ୍ଦରଗଡ଼ ୬୩, ପୁରୀ ୫୦, କଳାହାଣ୍ଡି ୪୪, କେନ୍ଦ୍ରାପଡ଼ା ୪୨, କୋରାପୁଟ ଓ ନୟାଗଡ଼ ୩୩ଜଣ ଲେଖାଏଁ, ଢେଙ୍କାନାଳ ୨୮, ଗଜପତି ୨୫, ସମ୍ବଲପୁର ୨୪, ଭଦ୍ରକ ୨୦, ଝାରସୁଗୁଡ଼ା ୧୯, ମୟୂରଭଞ୍ଜ ୧୮, ନୂଆପଡ଼ା ୧୬, କନ୍ଧମାଳ ଓ କେନ୍ଦୁଝର ୧୨ଜଣ ଲେଖାଏଁ, ରାୟଗଡ଼ା ୧୦, ଜଗତସିଂହପୁର ୯, ବଲାଙ୍ଗୀର ୮ ଓ ବରଗଡ଼ରୁ ୭ଜଣ ରହିଛନ୍ତି। ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩୯୨୦୫ରେ ପହଞ୍ଚିଛି।