ଭୁବନେଶ୍ବର : ୨୦୧୮-୧୯ ଖରିଫ ଋତୁରେ ଧାନ ସଂଗ୍ରହ ହାର ରେକର୍ଡ ସୃଷ୍ଟି କରିଛି। ୨୦୧୬-୧୭ ଖରିଫ ଋତୁରେ ସର୍ବାଧିକ ୪୩.୮୬ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା। ଏଥର ୫୧.୪୪ ଲକ୍ଷ ମେଟ୍ରିକ ଟନ୍ ଅର୍ଥାତ୍ ଆହୁରି ୭.୫୮ ଲକ୍ଷ ମେଟ୍ରିକ ଟନ୍ ଧାନ ଆଦାୟ ହୋଇଛି। ବର୍ତମାନ ରାଜ୍ୟରେ ରବି ଧାନ ସଂଗ୍ରହ ଆରମ୍ଭ ହୋଇସାରିଥିବା ବେଳେ ଏଥିପାଇଁ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ବି ଆଗେଇ ଚାଲିଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ପଞ୍ଜୀକରଣ ଜାରି ରହିବ। ଏଥର ପରୀକ୍ଷାମୂଳକ ଭାବେ କିଛି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଉପରୋକ୍ତ ନିଷ୍ପତ୍ତିମାନ ନିଆଯାଇଛି। ଏ ସଂପର୍କରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସଚିବ ବୀର ବିକ୍ରମ ଯାଦବ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ। ୨୦୧୮-୧୯ ଖରିଫ ଋତୁରେ ୫୧.୪୪ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି। ଏହା ସର୍ବକାଳୀନ ରେକର୍ଡ। ଧାନର ମୂଲ୍ୟ ବାବଦରେ ମୋଟ ୯୦୦୨.୧୫ କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି। ୨୦୧୬-୧୭ ଖରିଫ ଋତୁରେ ୧୧.୨ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିଲେ। ୨୦୧୮-୧୯ରେ ୧୨.୫୯ ଲକ୍ଷ ଚାଷୀ।
ଚଳିତ ରବି ଋତୁ ଧାନ ସଂଗ୍ରହ ନିମନ୍ତେ ୮.୩୨ ଲକ୍ଷ ଏକର ଚାଷ ଜମି ପଞ୍ଜୀକୃତ ହୋଇଥିବା ବେଳେ ବର୍ତମାନ ସୁଦ୍ଧା ୨.୦୮ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ୧୫୬୯୮ଜଣ ଭାଗଚାଷୀ। ରବି ଧାନ କ୍ବିଣ୍ଟାଲ୍ ପିଛା ୧୭୫୦ ଟଙ୍କାରେ କିଣାଯିବ। ରବି ଋତୁରେ ମୋଟ ୧୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବାକୁ ବୈଠକରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆଜି ସୁଦ୍ଧା ୫ଟି ଜିଲ୍ଲା ଯଥା: ସମ୍ବଲପୁର, ବରଗଡ଼, ସୋନପୁର, ରାୟଗଡ଼ା ଓ ନୂଆପଡ଼ାରୁ ୧.୪୮ ଲକ୍ଷ ଟନ୍ ଧାନ ସଂଗ୍ରହ ହୋଇଛି। ଅନ୍ୟ ଜିଲ୍ଲାଗୁଡ଼ିକରୁ ଚଳିତ ମାସ ଶେଷ ସୁଦ୍ଧା ଧାନ ସଂଗ୍ରହ ଆରମ୍ଭ ହେବ।
ଧାନର ମୂଲ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଧାନ ସଂଗ୍ରହର ଦୁଇଦିନ ଭିତରେ ପୈଠ କରିବାକୁ ମୁଖ୍ୟ ସଚିବ ନିର୍ଦେଶ ଦେଇଥିଲେ। ତେବେ ସବୁଠାରୁ ବଡ଼ କଥା ହେଉଛି ଧାନ ସଂଗ୍ରହ କାର୍ଯ୍ୟରେ ନିୟୋଜିତ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ମାନଙ୍କ କାର୍ଯ୍ୟ ଦକ୍ଷତାକୁ ବିଶ୍ଳେଷଣ କରାଯିବ। ନିର୍ଦିଷ୍ଟ କିଛି ସ୍ଥାନରେ ତାଲିମପ୍ରାପ୍ତ ତଥା ଅଭିଜ୍ଞ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ପାକ୍ସଙ୍କ ଭଳି ଧାନ ସଂଗ୍ରହ କରିବାକୁ ଦାୟିତ୍ବ ଦିଆଯିବ। ଧାନ ସଂଗ୍ରହ ବ୍ୟବସ୍ଥାକୁ ଅଧିକ ଉତ୍ତରଦାୟୀ ଓ ଦୃଢ଼ କରିବା ପାଇଁ ସଂପୂର୍ଣ୍ଣ ପ୍ରକ୍ରିୟାକୁ ଅନ୍ଲାଇନ କରିବାକୁ ମଧ୍ୟ ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ।