ଭାରତରେ ରେକର୍ଡ: ଦିନକରେ ୩୯୦୦ ଆକ୍ରାନ୍ତ, ୧୯୫ ମୃତ

ମୃତ୍ୟୁ ସଂଖ୍ୟା ୧୫୦୦ ଟପିଲା, ଗୋଷ୍ଠୀ ସଂକ୍ରମଣ ହୋଇନି: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଗତକାଲି ସର୍ବାଧିକ ସଂଖ୍ୟକ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିଲେ। ଏହି ଖବର କିଛି ସମୟ ପାଇଁ ଦେଶବାସୀଙ୍କୁ ଆଶ୍ବସ୍ତି ଦେଇଥିବା ବେଳେ ଆଜିର ଖବର ନିଦ ହଜାଇ ଦେଇଛି। ‌ଗୋଟିଏ ଦିନରେ ଦେଶରେ ସର୍ବାଧିକ ୩୯୦୦ କରୋନା ରୋଗୀଙ୍କ ବୃଦ୍ଧି ହୋଇଥିବା ବେଳେ ୧୯୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହିତ ଦେଶରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାର ୪୩୩ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୩୨ ହଜାର ୧୩୪ ଜଣ ଏବେ ବି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦେଶରେ ‌କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୧୫୦୦ ଟପିଯାଇଛି।

ଆଜି ସାମ୍ବାଦିକ ସମ୍ମିଳନୀରେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ହଜାର ୪୩୩ ଥିବାବେଳେ ମୃତ୍ୟୁ ସଂଖ୍ୟା ୧୫୬୮ରେ ପହଞ୍ଚିଛି। ଆମେ ଏକ ସଂକ୍ରାମକ ରୋଗର ମୁକାବିଲା କରୁଛୁ। ତେଣୁ ଠିକ୍ ସମୟରେ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେବା ଏବଂ ତାହାର ପରିଚାଳନା କରିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କରୋନା ଆକ୍ରାନ୍ତଙ୍କ ସଂକ୍ରାନ୍ତରେ କିଛି ରାଜ୍ୟ ଠିକ୍ ସମୟରେ ତଥ୍ୟ ଦେଉ ନଥିଲେ। ଏବେ ସେହି ସମସ୍ୟା କିଛିମାତ୍ରାରେ ଦୂର ହୋଇଛି। କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟାରେ ଆଜି ସର୍ବାଧିକ ବୃଦ୍ଧି ହେବାର ଏହା ଏକ କାରଣ ହୋଇପାରେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସଫେଇ ଦିଆଯାଇଛି।୨୪ ଘଣ୍ଟା ମଧ୍ୟରେ ଦେଶରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟାରେ ସର୍ବାଧିକ ବୃଦ୍ଧି ଦେଖାଦେଇଥିଲେ ମଧ୍ୟ ଏହି ସମୟ ମଧ୍ୟରେ ୧୦୨୦ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଦେଶରେ ଆରୋଗ୍ୟ ଲାଭ କରିଥିବା ସମୁଦାୟ ଲୋକଙ୍କ ସଂଖ୍ୟା ୧୨ ହଜାର ୭୨୬ରେ ପହଞ୍ଚିଛି। ଅର୍ଥାତ ଆରୋଗ୍ୟ ହାର ୨୭.୪୧ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ଦେଶ ସନ୍ତୋଷଜନକ ସ୍ଥିତିରେ ରହିଛି। କିନ୍ତୁ ତୃଣମୂଳ ସ୍ଥରରେ କୌଣସି ପ୍ରକାର ଅବହେଳା ରହିଲେ ତାହାର ପରିଣାମ ଭୟଙ୍କର ହୋଇପାରେ ବୋଲି ଶ୍ରୀ ଅଗ୍ରୱାଲ ସତର୍କ କରାଇ ଦେଇଛନ୍ତି। ଲକ୍‌ଡାଉନ୍‌ର ଭଲ ପ୍ରଭାବ ଦେଶ ଦେଖିଛି। ଲକ୍‌ଡାଉନ୍ ପୂର୍ବରୁ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩.୪ ଦିନରେ ଦୁଇଗୁଣ ହୋଇଯାଉଥିବା ବେଳେ ଲକ୍‌ଡାଉନ୍ ପରେ ତାହା ୧୨ ଦିନକୁ ବୃଦ୍ଧି ପାଇଛି ବୋଲି ଶ୍ରୀ ଅଗ୍ରୱାଲ କହିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୫୮୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଗୁଜରାଟରେ ୩୧୯ ଜଣ, ମଧ୍ୟପ୍ରଦେଶରେ ୧୬୫ ଜଣ, ପଶ୍ଚିମବଙ୍ଗରେ ୧୩୩ ଜଣ, ରାଜସ୍ଥାନରେ ୭୭ ଜଣ, ଦିଲ୍ଲୀରେ ୬୪ ଜଣ, ଉତ୍ତର ପ୍ରଦେଶରେ ୫୦ ଜଣ ଏବଂ ଆନ୍ଧ୍ର ପ୍ରଦେଶରେ ୩୬ ଜଣଙ୍କର ମୃତ୍ୟୁ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ମହାରାଷ୍ଟ୍ରରେ ସର୍ବାଧିକ ୧୪ ହଜାର ୫୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଗୁଜରାଟରେ ୫୮୦୪ ଜଣ, ଦିଲ୍ଲୀରେ ୪୮୯୮ ଜଣ, ତାମିଲନାଡ଼ୁରେ ୩୫୫୦ ଜଣ, ମଧ୍ୟପ୍ରଦେଶରେ ୨୯୪୨ ଜଣ, ରାଜସ୍ଥାନରେ ୩୦୬୧ ଜଣ ଏବଂ ଉତ୍ତର ପ୍ରଦେଶରେ ୨୭୬୬ ଜଣ ବ୍ୟକ୍ତି କରୋନାରେ ସଂକ୍ରମିତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୫୦କୁ ବୃଦ୍ଧି ପାଇଥିବା ବେଳେ ପଶ୍ଚିମବଙ୍ଗରେ ୧୨୫୯କୁ ବୃଦ୍ଧି ପାଇଛି। ଭାରତରେ ଏପର୍ଯ୍ୟନ୍ତ କରୋନାର ‌ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି। ଦେଶରେ କରୋନା ସଂକ୍ରମଣ ଯୋଗୁଁ ଲୋକଙ୍କ ବ୍ୟବହାରରେ ଯେଉଁ ପରିବର୍ତ୍ତନ ଆସିଛି ତାହା ଆଗାମୀ ଦିନରେ ଏକ ସ୍ବାସ୍ଥ୍ୟକର ସମାଜ ପ୍ରତିଷ୍ଠାରେ ସହାୟକ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର