ଟିକାକରଣରେ ରେକର୍ଡ: ଦେଶରେ ଦିନକୁ ୨ କୋଟି, ଓଡ଼ିଶାରେ ମୋଟ ପ୍ରଥମ ଡୋଜ୍‌ ୨ କୋଟି

ନୂଆଦିଲ୍ଲୀ/ଭୁବନେଶ୍ବର : କୋଭିଡ୍‌ ଟିକାକରଣରେ ଉଭୟ କେନ୍ଦ୍ର ଓ ରାଜ୍ୟ ଆଜି ଉଲ୍ଲେଖନୀୟ ଯୋଗଦାନ ସଂଲଗ୍ନ କରିଛନ୍ତି। ଉଭୟ ୨ କୋଟି ଟିକାକରଣର ଶ୍ରେୟ ଅର୍ଜନ କରିଛନ୍ତି। ତେବେ, ଏଥିରେ କିଛିଟା ଭିନ୍ନତା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ତମ ଜନ୍ମଦିନ ଅବସରରେ ଗୋଟିଏ ଦିନରେ ୨ କୋଟି ଟିକାକରଣ କରାଯାଇଛି। ଯାହାକି ସବୁ ରେକର୍ଡକୁ ଭାଙ୍ଗିଛି। ସେହିଭଳି, ରାଜ୍ୟରେ ପ୍ରଥମ ଡୋଜ୍‌ ଡିକାକରଣ ୨ କୋଟି ଅତିକ୍ରମ କରିଛି।

ସାରାଦେଶରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ୭୧ ତମ ଜନ୍ମଦିନ ଅବସରରେ କେନ୍ଦ୍ର ସରକାର ଅଢ଼େଇ କୋଟି ଟିକାକରଣର ଲକ୍ଷ୍ୟ ରଖିଥିଲେ। ଆଜି ଅପରାହ୍ନ ୧.୩୦ ସୁଦ୍ଧା ଦେଶରେ ଟିକାକରଣ ୧ କୋଟି ଟପିଥିଲା ଏବଂ ମିନିଟ୍‌କୁ ୪୨ହଜାର ଟିକାଦାନ ହୋଇଥିବା ଜଣାପଡ଼ିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡଭିୟ‌ା କହିଛନ୍ତି, ଆଜି ଆମେ ଟିକାକରଣରେ ନୂଆ ରେକର୍ଡ କରିବୁ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏହା ଉପହାର ଦେବୁ।

ସନ୍ଧ୍ୟା ସୁଦ୍ଧା ୨ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ ହୋଇଛି ବୋଲି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଏହା ସମଗ୍ର ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ଚୀନ୍‌ ଦିନକରେ ସର୍ବାଧିକ ୨.୪୭ କୋଟି ଟିକାକରଣ କରିଥିଲା।

ଅନ୍ୟପକ୍ଷରେ, କୋଭିଡ୍‌ ଟିକାକରଣରେ ରାଜ୍ୟ ସରକାର ମଧ୍ୟ ଅନୁରୂପ ଭାବେ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କରିଛି। ଏବେ ସୁଦ୍ଧା ୨ କୋଟିରୁ ଅଧିକ ଲୋକ ପ୍ରଥମ ଡୋଜ୍‌ କୋଭିଡ୍‌ ଟିକା ନେଇଥିବା ଆଜି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ ଆଜି ସୁଦ୍ଧା ୨କୋଟି ୨ କୋଟି ୬୭ ହଜାର ୧୮୮ ଜଣ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ସେହିଭଳି ୬୯ ଲକ୍ଷ ୨୦ ହଜାର ୫୩୬ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଜଣାପଡ଼ିଛି । ବୟସାନୁପାତରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ସର୍ବାଧିକ ୧ କୋଟି ୩୨ ଲକ୍ଷ ୮୧ ହଜାର ୮୭୮ ଡୋଜ୍ ଟିକା ଦିଆଯାଇଛି । ୪୫ରୁ ୬୦ ବର୍ଷ ବୟସ୍କ ମଧ୍ୟରେ ୮୧ ଲକ୍ଷ ୬୦ ହଜାର ୩୩୭ ଡୋଜ୍ ଟିକା ଦିଆଯାଇଥିବା ବେଳେ ୬୦ ବର୍ଷ ବୟସ୍କରୁ ଅଧିକ ୫୫ ଲକ୍ଷ ୪୫ ହଜାର ୫୦୯ ଡୋଜ୍ ଦିଆଯାଇଛି । ମୋଟ ୨ କୋଟି ୩୪ ଲକ୍ଷ ୪୬ ହଜାର ୭୬୪ କୋଭିସିଲ୍ଡ ଡୋଜ୍ ଦିଆଯାଇଥିବା ବେଳେ ୩୫ ଲକ୍ଷ ୩୫ ହଜାର ୨୭୪ ଡୋଜ୍ କୋଭିସିଲ୍ଡ ଡୋଜ୍ ଦିଆଯାଇଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି।

୨ କୋଟି ପ୍ରଥମ ଡୋଜ୍‌ ଟିକା ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୯ ଲକ୍ଷ ୪୩ ହଜାର ୨୩୮ ଜଣ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ କ୍ଷେତ୍ରରେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧାରେ ସର୍ବାଧିକ ୧୨ ଲକ୍ଷ ୬ ହଜାର ୩୮୪ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର