ରେକର୍ଡ ସଂକ୍ରମଣ: ଓଡ଼ିଶାରେ ଦିନକରେ ୪୪୪୫ ପଜିଟିଭ୍, ୪ ମୃତ; ରେଡ୍‌ ଜୋନ୍‌ରେ ୭ ଜିଲ୍ଲା

ଭୁବନେଶ୍ବର : ୨୦୨୦ ମାର୍ଚ୍ଚ ୧୫ତାରିଖରେ ରାଜ୍ୟରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲା। ଧୀରେ ଧୀରେ ସଂକ୍ରମଣ ବଢ଼ି ସେପ୍ଟେମ୍ବର ମାସ ୨୫ତାରିଖରେ ରାଜ୍ୟର ସର୍ବାଧିକ ୪୩୫୬ ପିଜିଟିଭ୍ ଚିହ୍ନଟ ହୋଇଥିଲେ। ଏହିଦିନି ୫୩,୫୩୪ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିଲା। ସେଦିନ ଟେଷ୍ଟ ପଜିଟିଭ୍ ରେଟ୍ ବା ଟିପିଆର ରହିଥିଲା ୮.୧୩ ପ୍ରତିଶତ। ଅର୍ଥାତ୍ ପ୍ରତି ଶହେ ଜଣରେ ୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଏହାପରେ ସଂକ୍ରମଣ କମିବାକୁ ଆରମ୍ଭ କରିଥିଲା।

୭ମାସ ପରେ ରାଜ୍ୟରେ କରୋନା ସ୍ଥିତି ଗତବର୍ଷର ସ୍ଥିତିଠାରୁ ଆହୁରି ଭୟଙ୍କର ହୋଇଛି। ଚଳିତବର୍ଷ ମାର୍ଚ ୧୯ତାରିଖଠାରୁ ରାଜ୍ୟରେ ସଂକ୍ରମଣ ବଢ଼ିବାକୁ ଆରମ୍ଭ କରିଥିଲା। ଏହିଦିନ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏକମାସର ପରର ଚିତ୍ର ହେଲା, ରାଜ୍ୟର ସଂକ୍ରମଣ ସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୪୪୫ଜଣ କୋଭିଡ୍ ସଂକ୍ରମିତ ହୋଇଛନ୍ତି। ଏହି ସମୟରେ ରାଜ୍ୟରେ ୩୬,୧୭୫ କୋଭିଡ୍‌ ନମୁନା ପରୀକ୍ଷା ହୋଇଥିବା ତହିଁରୁ ୧୪,୭୬୨ ଆର୍‌ଟି-ପିସିଆର ନମୁନା ରହିଛି। ରାଜ୍ୟର ଟିପିଆର ୧୨.୨୮କୁ ଛୁଇଁଛି। ଅର୍ଥାତ୍ ଏବେ ପ୍ରତି ଶହେଟି ନମୁନାରୁ ୧୨ଜଣ ପଜିଟିଭ୍ ବାହାରୁଛନ୍ତି।

ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ନିର୍ଦ୍ଦିଷ୍ଟ ଭାବେ କେବେ ଶୀର୍ଷ ସଂକ୍ରମଣ ଆସିବ ଓ ଏହି ସମୟରେ ଦୈନିକ ସଂକ୍ରମଣ କେତେ ରହିବ ତାହା ସ୍ପଷ୍ଟ ଭାବେ କେହି କହିପାରୁ ନାହାନ୍ତି। ରାଜ୍ୟ ସରକାର ମଧ୍ୟ ଯେଉଁ ସଂକ୍ରମଣ ମଡେଲକୁ ଅନୁକରଣ କରୁଛନ୍ତି ଏଥିରେ ମଧ୍ୟ ଯଥେଷ୍ଟ ପରିବର୍ତନ ନଜରକୁ ଆସୁଛି। ତେଣୁ ପ୍ରଥମ ଲହରଠାରୁ ଦ୍ବିତୀୟ ଲହର ଯେ ଭୀଷଣ ଓ ଭୟଙ୍କର ହେବ, ଏଥିରୁ ଜଳ ଜଳ ହୋଇ ବାରି ହୋଇ ପଡ଼ୁଛି।

ଇତିମଧ୍ୟରେ ରାଜ୍ୟର ୭ଟି ଜିଲ୍ଲା ରେଡ୍‌ ଜୋନ୍‌ରେ ସାମିଲ ହୋଇସାରିଲାଣି। ଖୋର୍ଧା, କଟକ, ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, ନୂଆପଡ଼ା ଓ ସମ୍ବଲପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ଅସମ୍ଭାଳ ସ୍ଥିତିରେ ବଢ଼ୁଛି। ଆହୁରି ୪/୫ ଜିଲ୍ଲା ମଧ୍ୟ ଖୁବଶୀଘ୍ର ରେଡ୍‌ ଜୋନ୍‌ରେ ସାମିଲ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କରୋନା ଭୂତାଣୁର ‘ଆର’ ଭ୍ୟାଲୁ ମଧ୍ୟ ବଢ଼ି ବଢ଼ି ଚାଲିଛି। ଓଡ଼ିଶାର ‘ଆର’ ଭ୍ୟାଲୁ ୨.୩୯ ପ୍ରତିଶତ ରହିଛି। ଯାହାକି ବିହାର ପରେ ସର୍ବାଧିକ। ଦିନକୁ ଦିନ ଏହା ବଢ଼ୁଥିବା ଦେଖିବାକୁ ମିଳୁଛି। ଏଭଳି ପରିସ୍ଥିତି ଲାଗି ରହିଲେ ରାଜ୍ୟର ସ୍ବାସ୍ଥ୍ୟସେବା ଦୋହଲିଯିବା ଭଳି ପରିସ୍ଥିତି ଉପୁଜିପାରେ।

ବରିଷ୍ଠ ଚିକିତ୍ସକ ଡା. ନିରଜ ମିଶ୍ରଙ୍କ କହିବା କଥା, କରୋନା ସଂକ୍ରମଣ ଚେନ୍‌କୁ ରୋକିବା ଲାଗି ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ସ୍ବାଗତଯୋଗ୍ୟ। ନଚେତ୍ ମହାରାଷ୍ଟ୍ର ଓ ଦିଲ୍ଲୀ ଭଳି ସ୍ଥିତି ଓଡ଼ିଶାରେ ଉପୁଜିପାରେ। ଶଯ୍ୟାର ଅଭାବ ହେବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବ। ତେଣୁ ଲୋକମାନେ ପୂର୍ବାପେକ୍ଷା ଅଧିକ ମାତ୍ରାରେ ସତର୍କ ରହିବା ଜରୁରୀ। ରାଜ୍ୟରେ କେବେ ଶୀର୍ଷ ସଂକ୍ରମଣ ଆସିବ ଉତ୍ତରରେ ଡା. ମିଶ୍ର କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ଆସନ୍ତା ମେ’ ୧୫ତାରିଖ କିମ୍ବା ଏହା ପରେ ଶୀର୍ଷ ସଂକ୍ରମଣ ଆସିପାରେ। ଏ ସମୟରେ ୩୦ହଜାର ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ବଢ଼ିପାରେ। ତେଣୁ ଏଭଳି ସ୍ଥିତିକୁ ଦୂରେଇବାକୁ ହେଲେ ଅତ୍ୟନ୍ତ ସାବଧାନତା ଅବଲମ୍ବନ କରିବାକୁ ହେବ।

ଗୋଟିଏ ଦିନରେ ସୁନ୍ଦରଗଡ଼ରେ ସର୍ବାଧିକ ୭୨୨ଜଣ ଓ ଖୋର୍ଧାରେ ୫୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ନୂଆପଡ଼ା ୪୩୭, କଳାହାଣ୍ଡି ୨୭୩, କଟକ ୨୫୧, ସମ୍ବଲପୁର ୨୪୧, ଝାରସୁଗୁଡ଼ା ୨୩୧, ପୁରୀ ୨୧୯, ବରଗଡ଼ ୧୭୮, ବଲାଙ୍ଗୀର ୧୬୮, ନବରଙ୍ଗପୁର ୧୨୭ ଓ ମୟୂରଭଞ୍ଜରେ ୧୦୦ଜଣ ଆକ୍ରାନ୍ତ ବାହାରିଛନ୍ତି। ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୭୨ହଜାର, ୭୦୩କୁ ବୃଦ୍ଧି ପାଇଛି। କେବଳ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁନାହିଁ, ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ୪ଜଣ କରୋନା ସଂକ୍ରମିତ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁନ୍ଦରଗଡ଼ରେ ୨, କେନ୍ଦୁଝର ଓ ଝାରସୁଗୁଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୯୪୮କୁ ବୃଦ୍ଧି ପାଇଛି। ଅପରପକ୍ଷରେ ଆଜି ରାଜ୍ୟରେ ୧୫୦୩ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୪୭ହଜାର ୬୩୭କୁ ବୃଦ୍ଧି ପାଇଛି। ରାଜ୍ୟରେ ଏବେ ୨୩,୦୬୫ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ଯାହାକି ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୬ ପ୍ରତିଶତରୁ ଅଧିକ।

ସମ୍ବନ୍ଧିତ ଖବର