ଧାଇପୁର ଓ ଛଅଗାଁ ସମବାୟ ସମିତିର ରେକର୍ଡ ଗାଏବ୍

ଗୁରୁଡ଼ିଝାଡିଆ ସମବାୟ କେଳେଙ୍କାରୀ ତଦନ୍ତ ଇଓଡବ୍ଲୁକୁ ଦେବା ପାଇଁ ସୁପାରିସ୍‌

କଟକ : ଆଠଗଡ଼ର ୩ ଚାଷୀ ବିଧାନସଭା ସାମନାରେ ଆତ୍ମାହୁତି ଉଦ୍ୟମ କରିବା ଘଟଣା ଗୋଟିଏ ପଟେ ଯେତିକି ଚାଞ୍ଚଲ୍ୟ ସୃଷ୍ଟି କରିଛି, ଅନ୍ୟପଟେ ଦୁର୍ନୀତି ସଂପର୍କରେ ସାମନାକୁ ଆସୁଥିବା ଚିତ୍ର ଚକିତ କଲା ଭଳି ସ୍ଥିତି ସୃଷ୍ଟି କରିଛି। ରାଜ୍ୟ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିର୍ବାଚନମଣ୍ଡଳୀ ଆଠଗଡ଼ରେ ଏଭଳି କେଳେଙ୍କାରୀ ଏବେ ସରକାରଙ୍କ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଛି। ଆଜି ଆଠଗଡ଼ ବ୍ଲକ୍‌ର ଚାଷୀ କୈଳାଶ ନାୟକ, ଚିନ୍ତାମଣି ପ୍ରଧାନ, କୈଳେନ୍ଦ୍ର ବାରିକ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ସେମାନଙ୍କ ଅଜାଣତରେ ୩/୪ ଲକ୍ଷ ଟଙ୍କା ଋଣ ଉଠିଛି, କିନ୍ତୁ ବାରମ୍ବାର ଦାବି ପରେ ବି ନ୍ୟାୟ ମିଳୁ ନଥିବାରୁ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା କହିଛନ୍ତି।

ଏଭଳି କେଳେଙ୍କାରୀର ପ୍ରମାଣ ଗୁରୁଡିଝାଟିଆ ସେବା ସମବାୟ ସମିତିରେ ମିଳି ସାରିଥିବା ବେଳେ ଏବେ ଆଠଗଡ଼ ଅଞ୍ଚଳର ଧାଇପୁର ଓ ଛଅଗାଁ ସେବା ସମବାୟ ସମିତିରେ ଚାଷୀଙ୍କୁ ଦିଆଯାଇଥିବା ଋଣର ରେକର୍ଡ ଗାଏବ ହୋଇଯାଇଛି। ୨୦୧୫ ପୂର୍ବରୁ ଉକ୍ତ ସେବା ସମବାୟ ସମିତିରୁ କେତେ ଚାଷୀ ଋଣ ନେଇଥିଲେ, କେତେ ଚାଷୀ ଋଣ ପରିଶୋଧ କରିଛନ୍ତି, ତାହାର ରେକର୍ଡ ମିଳୁନି। ଛଅଗାଁର ସଂପାଦକଙ୍କୁ ରେକର୍ଡ ବାରମ୍ବାର ମଗାଯିବା ସତ୍ବେ ସେ ଦେଉ ନ ଥିବାରୁ ତାଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିବାବେଳେ ତାଙ୍କ ନାମରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିସହ କେଉଁ ସେବା ସମବାୟ ସମିତିରେ ୫ବର୍ଷ ହେଲା ତ ପୁଣି କେଉଁଥିରେ ୬ବର୍ଷ ହେଲା ଅଡିଟ୍‌ ହୋଇନଥିବା ଜଣାପଡିଛି। ଅନ୍ୟପଟେ ଗୁରୁଡ଼ିଝାଡିଆ ସମବାୟ ସମିତିରେ ୧ କୋଟିରୁ ଅଧିକ ଟଙ୍କା ଆର୍ଥିକ ଅନିୟମିତତା ସ୍ବତନ୍ତ୍ର ଅଡିଟ୍‌ରେ ଧରାପଡିବା ପରେ ୯ଜଣଙ୍କୁ ନିଲମ୍ବନ କରାଯାଇଥିଲା। ଏବେ ଏହି ଘଟଣାର ତଦନ୍ତ ପାଇଁ ରେଜିଷ୍ଟ୍ରାର କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)କୁ ସୁପାରିସ କରିଥିବା କଟକ ଡିଆରସିଏସ୍‌ ଲକ୍ଷ୍ମୀଧର ସୁବୁଦ୍ଧି ସୂଚନା ଦେଇଛନ୍ତି। ଗୋଟିଏ ପଟେ ଆଠଗଡର ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏବେ ସମବାୟ ବିଭାଗର ମନ୍ତ୍ରୀ ଥିବା ବେଳେ ତାଙ୍କ ବଡ ଭାଇ ବୀରେନ୍ଦ୍ର ପ୍ରତାପ ସ୍ବାଇଁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଥିବା ବେଳେ ଏଭଳି ଜାଲିଆତି ହୋଇଥିବା ଅଭିଯୋଗ ହେଉଛି।

ସୂଚନା ଯୋଗ୍ୟ ଯେ ସମବାୟ ସମିତିରେ ବର୍ଷ ବର୍ଷ ହେଲା ଅଡିଟ୍‌ ହୋଇନାହିଁ। ଦୀର୍ଘବର୍ଷ ହେଲା କୃଷିଋଣ ପ୍ରଦାନରେ ଅନିୟମିତତା ନେଇ ଅଭିଯୋଗ ହୋଇ ଆସୁଥିଲେ ବି ଏହାର ତଦନ୍ତ ହେଉନି, ଯେଉଁଠି ହେଉଛି ତାକୁ ବି ଚାପି ଦିଆଯାଉଛି। ଏପରି ଅନିୟମିତତା ନେଇ ୨୦୧୨ରେ ତତ୍‌ତ୍କାଳୀନ ଜିଲ୍ଲାପାଳ ଏସ୍‌.ଏନ୍‌. ଗିରିଶ ୪ଟି ସେବା ସମବାୟ ସମିତର ସ୍ବତନ୍ତ୍ର ଯାଂଚ କରି ‌ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ, ସେ ତଦନ୍ତର ରିପୋର୍ଟ ବି ଏଯାଏ ବାହାରି ପାରିନି। ସବୁ ସେବା ସମବାୟ ସମିତିର ଦୁର୍ନୀତି ନେଇ ଏବେ ସ୍ବତନ୍ତ୍ର ଅଡିଟ୍‌ କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି।

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ରହିଛି କଟକ, ଜଗତ୍‌ସିଂହପୁର, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ୩୮ଟି ଶାଖା ବା ବ୍ୟା‌ଙ୍କ ଓ ୨୬୮ଟି ସେବା ସମବାୟ ସମିତି। ସେଥିରୁ କେବଳ ଆଠଗଡ଼ ବ୍ଲକ୍‌ରେ ରହିଛି ୨୬ଟି ସେବା ସମବାୟ ସମିତି। ଗୁରୁଡ଼ିଝାଟିଆ ସେବା ସମବାୟ ସମିତିର ଋଣ ଜାଲିଆତି ଘଟଣାକୁ ଗୁରୁତ୍ବର ସହ ନେବାରୁ ତଦନ୍ତରେ କୋଟିଏରୁ ଅଧିକ ଟଙ୍କାର ଅନିୟମିତତା ଧରାପଡିଥିଲା। ହେଲେ ଉକ୍ତ ସେବା ସମବାୟ ସମିତିରେ ଚାଷୀଙ୍କ ବ୍ଲାଙ୍କ ଚେକ୍‌ ନିଆଯାଇ ସେହି ଚେକ୍‌ ମାଧ୍ୟମରେ ବର୍ଷ ବର୍ଷ ହେଲା ସେମାନଙ୍କ ନାଁରେ ଋଣ ଉଠା ଯାଉଥିଲା। କିନ୍ତୁ ଋଣ ସୁଝିବାକୁ ନୋଟିସ୍‌ ଆସିବା ପରେ ଏଭଳି ଦୁର୍ନୀତି ସଂପର୍କରେ ଚାଷୀ ଜାଣିବା ସହିତ ନ୍ୟାୟ ପାଇଁ ସମବାୟ ସମିତିଠାରୁ ଆରମ୍ଭ କରି ବିଧାୟକ, ଜିଲ୍ଲାପାଳ, ଏସପି ଅଫିସ ଯାଏ ଯାଇଥିଲେ। ଧାରଣା, ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏସବୁ ପରେ ଦଶ ଜଣିଆ କମିଟି ଗଠନ କରାଯାଇ ତଦନ୍ତ କରାଯିବା ସହିତ ୯ଜଣଙ୍କୁ ସମବାୟ ବିଭାଗ ନିଲମ୍ବନ କରିଥିଲେ।

ଅନ୍ୟପଟେ କିନ୍ତୁ ଛଅଗାଁ ଓ ଧାଇପୁର ସେବା ସମବାୟ ସମିତିରେ ବି ଏବେ ସମାନ ଅବସ୍ଥା ଦେଖିବାକୁ ମିଳିଛି। ୨୦୧୫ ପୂର୍ବର ରେକର୍ଡ ଆଉ ମିଳୁନି। ଦୁଇ ସେବା ସମବାୟ ସମିତି ସଂପାଦକଙ୍କୁ ନୋଟିସ୍‌ ଦିଆଯାଇଥିଲେ ବି ସେମାନେ ରେକର୍ଡ ଦାଖଲ କରୁନାହାନ୍ତି। ଏ ସଂପର୍କରେ କଟକ ଡିଆରସିଏସ୍‌ଙ୍କୁ କହିଛନ୍ତି ଯେ ଛଅଗାଁ ସେବା ସମବାୟ ସମିତି ସଂପାଦକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇନ୍ତି। କିନ୍ତୁ ଆଠଗଡ଼ ବ୍ଲକ୍‌ର ସବୁ ସେବା ସମବାୟ ସମିତିରେ ‌କୃଷି ଋଣରେ ବ୍ୟାପକ ଜାଲିଆତି ହୋଇଥିବାରୁ ତୁରନ୍ତ ଏହାର ତଦନ୍ତ ସହିତ ସବୁ ସେବା ସମବାୟ ସମିତିର ସ୍ବତନ୍ତ୍ର ଅଡିଟ୍‌ କରାଯାଉ ବୋଲି ଯୁବ ସଂଗଠକ ଅଭୟ ବାରିକ ଡିଆରସିଏସ୍‌ଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର