କନ୍ଧମାଳରେ ରେକର୍ଡ଼ ପଣସ ଉତ୍ପାଦନ, ଅଭାବୀ ବିକ୍ରି ଯୋଗୁଁ ଆଦିବାସୀ କ୍ଷତିରେ

ଦାବି ଓ ପ୍ରସ୍ତାବରେ ଅଟକିଛି ଫୁଲବାଣୀରେ ପ୍ରୋସେସିଂ ପ୍ଲାଣ୍ଟ

ଫୁଲବାଣୀକନ୍ଧମାଳ ଜିଲ୍ଲାରେ ଚଳିତବର୍ଷ ରେକର୍ଡ ପରିମାଣର ପଣସ ଉତ୍ପାଦନ ହେବାକୁ ଯାଉଛି। ଏତେ ମାତ୍ରାରେ ପଣସ ଉତ୍ପାଦନ ହେଉଛି ଯେ, ବର୍ତ୍ତମାନ ଗଦାଗଦା କଞ୍ଚା ପଣସ ବାହାରକୁ ଚାଲାଣ ହେଉଛି। ଏମିତିରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ହାଟ ବଜାରରେ ୧୦ ଟଙ୍କାରେ ଦୁଇଟି କିମ୍ବା ତିନୋଟି କଞ୍ଚା ପଣସ ବିକ୍ରି ହେଉଛି। ବର୍ତ୍ତମାନ କଞ୍ଚାପଣସକୁ କେବଳ ରୋଷେଇ ଉଦ୍ଦେଶ୍ୟ‌ରେ ବ୍ୟବହାର କରାଯାଉଛି। ତେବେ ଗଦାଗଦା କଞ୍ଚାପଣସ ବାହାରକୁ ମଧ୍ୟ ଚାଲାଣ ହେଉଛି। ବିଶେଷକରି ବାହାର ଅଞ୍ଚଳରୁ ଫୁଲବାଣୀକୁ ଆସୁଥିବା ବିଦେଶୀ ପର୍ଯ୍ୟଟକ ଓ ଗ୍ରାହକମାନେ ହିଁ ପଣସ କିଣି ନେଇଥା’ନ୍ତି। ପଣସ ପାଚିଲା ପରେ ମଧ୍ୟ ଏହାର ବିକ୍ରିବଟା ହେବ। ମାତ୍ର, ପଣସକୁ ମୂଲ୍ୟଯୁକ୍ତ ସମ୍ଭବ ହୋଇ ପାରୁ ନଥିବାରୁ ପଣସ ଉପରେ ନିର୍ଭର କରି ବଞ୍ଚୁଥିବା ଆଦିବାସୀମାନେ ବହୁ କ୍ଷତି ସହୁଛନ୍ତି।

ସୂଚନାଯୋଗ୍ୟ, କନ୍ଧମାଳ ଜିଲ୍ଲାର ବିଭିନ୍ନ ବଣଜଙ୍ଗଲଠାରୁ ଆରମ୍ଭ କରି ରାସ୍ତାପାର୍ଶ୍ବ ଏମିତିକି ଲୋକଙ୍କ ବାଡ଼ିବଗିଚାରେ ପ୍ରବଳ ପଣସ ଗଛ ଦେଖିବାକୁ ମିଳିଥାଏ। ଏସବୁ ପଣସ ଗଛ ପ୍ରାକୃତିକ ଉପାୟରେ ଉଠିଥାଏ। ପ୍ରତିବର୍ଷ ଶହଶହ ଟନ୍‌ ପଣସ କନ୍ଧମାଳ ଜିଲ୍ଲାରୁ ଉତ୍ପାଦନ ହୋଇଥାଏ। ମାତ୍ର ଦୁଃଖର କଥା ଆଜିଯାଏ ପ୍ରଶାସନ ପକ୍ଷରୁ ପଣସର ମାର୍କେଟିଂ ଏବଂ ପ୍ରୋସେସିଂ ୟୁନିଟ୍‌ର ସୁବିଧା କରାଯାଇ ପାରୁନାହିଁ। ଫୁଲବାଣୀ ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ, କନ୍ଧମାଳର ବିଭିନ୍ନ ଜଙ୍ଗଲରେ ୯ରୁ ୧୦ ଲକ୍ଷ ପଣସ ଗଛ ରହିଛି। ଗୋଟିଏ ଗଛରୁ ଆନୁମାନିକ ୧୦୦ଟି (୫ କ୍ବିଣ୍ଟାଲ) ପଣସ ଫଳିଥାଏ। ଏହି ହିସାବକୁ ବିଚାରକୁ ନେଲେ କନ୍ଧମାଳ ଜିଲ୍ଲାରେ ବାର୍ଷିକ ୨.୫ ଲକ୍ଷ ଟନ୍‌ ପଣସ ଉତ୍ପାଦିତ ହୋଇଥାଏ। ମାତ୍ର ଚଳିତବର୍ଷ ପଣସ ଉତ୍ପାଦନରେ କନ୍ଧମାଳ ଜିଲ୍ଲା ପୂର୍ବବର୍ଷମାନଙ୍କର ରେକର୍ଡ ଭାଙ୍ଗି ଦେଇଛି।

ପଣସଗୁଡ଼ିକ ସାଧାରଣତଃ ପାରମ୍ପରିକ ଭାବେ ଆଦିବାସୀ ପୁରପଲ୍ଲୀ ଓ ଜଙ୍ଗଲରେ ହେଉଥିବାରୁ ଏହା ଆଦିବାସୀଙ୍କର ଏକ ପ୍ରମୁଖ ଖାଦ୍ୟର ମାନ୍ୟତା ପାଇଛି। ମାତ୍ର ଚଳିତବର୍ଷ ଶୀଘ୍ର ବର୍ଷା ଆସିଯିବା ଫଳରେ ପଣସଗୁଡ଼ିକ ଶୀଘ୍ର ନଷ୍ଟ ହୋଇଯାଉଛି। କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଏକ ପଣସ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ ନେଇ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଏ ନେଇ ତତ୍ପରତା ପ୍ରକାଶ କରୁନାହିଁ। ଯଦି ଫୁଲବାଣୀରେ ପ୍ରୋସେସିଂ ପ୍ଲାଣ୍ଟ୍‌ ସ୍ଥାପନ ହୋଇପାରନ୍ତା ତେବେ ପାଚିଲା ପଣସରୁ ପଲ୍‌ପ, ଜୁସ୍‌, କ୍ୟାଣ୍ଡି, ଚକ୍‌ଲେଟ, କେକ୍‌, ସଫ୍‌ଟ ଡ୍ରିଙ୍କ୍‌ସ ଆଦି ପ୍ରସ୍ତୁତ ହୋଇ ପାରନ୍ତା। ମାତ୍ର, ଦୀର୍ଘବର୍ଷ ବିତି ଯାଇଥିଲେ ମଧ୍ୟ ଆଜିଯାଏ ଫୁଲବାଣୀରେ ପଣସ ପ୍ରୋସେସିଂ ୟୁନିଟ୍‌ ସ୍ଥାପନ ସମ୍ଭବପର ହୋଇପାରୁନାହିଁ। ଅନ୍ୟପଟେ ରାଜ୍ୟ ସରକାରଙ୍କ ଜ୍ୟାକଫ୍ରୁଟ୍‌ ମିସନ ମଧ୍ୟ ଶୀତଳ ଭଣ୍ଡାରରେ ରହିଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଫୁଲବାଣୀଠାରେ ଏକ ପ୍ରୋସୋସିଂ ୟୁନିଟ୍‌ ସ୍ଥାପନ କରିବାକୁ ତତ୍କାଳୀନ କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ଘୋଷଣା କରିଥିଲେ। ମାତ୍ର, ସରକାରଙ୍କ ଏହି ଘୋଷଣା କେବଳ କାଗଜକଲମରେ ସୀମିତ ରହିଯାଇଛି।

ସମ୍ବନ୍ଧିତ ଖବର