ପଲ୍ଲିଶ୍ରୀ ମେଳାରେ ରେକର୍ଡ ବିକ୍ରି: ୮ଦିନରେ ୬କୋଟି ୩୯ ଲକ୍ଷ ଟଙ୍କାର ବେପାର

ପୁରୀ : ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଶୁକ୍ରବାର ଦିନ ୮ମ ଦିନ ଥିବା ବ‌େଳେ ପଲ୍ଲିଶ୍ରୀ ମେଳାରେ ବେପାର ରେକର୍ଡ ଛୁଇଁଛି। ଶନିବାର ପଲ୍ଲିଶ୍ରୀ ମେଳା ଶେଷ ହେବ।‌ ତେଣୁ ଅପରାହ୍‌ଣରୁ ‌ମେଳା ପରିସର ଲୋକାରଣ୍ୟ ହେଉଛି। ୭ ତାରିଖ ମଧ୍ୟରେ ବେପାର ୬କୋଟି ଅତିକ୍ରମ କରିଛି। ୫ ତାରିଖରେ ୧ କୋଟି ୨୯ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିବା ବ‌େଳେ ୬ ତାରିଖରେ ୧କୋଟି ଲକ୍ଷ ଏବଂ ୭ ତାରିଖରେ ୧କୋଟି ୫୮ ଲକ୍ଷ ଟଙ୍କାର ବିକ୍ରିବଟା ହୋଇଛି। ମୋଟ ୮ ଦିନ ମଧ୍ୟରେ ୬କୋଟି ୩୯ ଲକ୍ଷ ୩୭ ହଜାର ଟଙ୍କାର ବେପାର ହୋଇଥିବା ଓର୍‌ମାସ ପକ୍ଷରୁ ସୂଚନା ମିଳିଛି। ବର୍ଷା ଯୋଗୁ ପ୍ରାଥମିକ ପର୍ଯ୍ୟାୟ ବେପାର ମାନ୍ଦା ଥିଲେ ହେଁ ଶେଷ ପର୍ଯ୍ୟାୟରେ ଆଶାନୁରୂପ ବ୍ୟବସାୟ କରିଛନ୍ତି ବ୍ୟବସାୟୀ। ଭୋଳାନାଥ ବିଦ୍ୟାପୀଠ ପରିସରରେ ଓର୍‌ମାସ ପକ୍ଷରୁ ଆୟୋଜିତ ହୋଇ ଆସୁଥିବା ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ସର୍ବାଗ୍ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ମଧ୍ୟ ବିପୁଳ ସମାଗମ ହୁଏ। ସୂଚନାଯୋଗ୍ୟ ମେଳା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ କିଛି ଷ୍ଟଲ୍‌ରେ ଆଜି ଭଲ ଅଫର ରଖାଯାଇଥିଲା। ଜିନିଷ ଫେରାଇ ନେବା ପରିବର୍ତ୍ତେ ଦୋକାନୀ କମ୍‌ ଦାମରେ ଜିନିଷ ବିକ୍ରିବଟା କରୁଥିବା ଦେଖିବାକୁ ମିଳିଛି। ଚାହିଦା ଅଧିକ ଥିଲେ ହେଁ ଶନିବାର ମେଳା ଶେଷ ହେଉଥିବାରୁ ଅଧିକାଂଶ ଷ୍ଟଲ୍‌ରେ ରିହାତିରେ ଜିନିଷ ଉପଲବ୍ଧ ହେଉଥିଲା।

ଆନ୍ଧ୍ରପ୍ରଦେଶ, ଆସାମ, ଦିଲ୍ଲୀ, ଗୁଜରାଟ, ହରିୟାଣା, ଜମ୍ମୁ ଓ କଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ପଞ୍ଜାବ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ରାଜସ୍ଥାନ ଭଳି ୧୪ଟି ରାଜ୍ୟର ବ୍ୟବସାୟୀମାନେ ସେମାନଙ୍କ ପାରମ୍ପରିକ ଜିନିଷ ବିକ୍ରି କରୁଛନ୍ତି। ମୋଟ୍‌ ୩୪୦ଟି ସ୍ବୟଂ ସହାୟକ ଓ ଉତ୍ପାଦକ ଗୋଷ୍ଠୀ ଯୋଗ ଦେଇଥିବା ବ‌େଳେ ମୋଟ୍‌ ୬୨୦ ଜଣ ଅଂଶଗ୍ରହଣ କରିଛନ୍ତି। ସେହିଭଳି ୨୫ଟି ଖାଦ୍ୟ ଷ୍ଟଲ୍‌ରେ ପାରମ୍ପରିକ ପିଠାଠୁ ନେଇ ପାଶ୍ଚାତ୍ୟ ଖାଦ୍ୟ ବିକ୍ରି ହେଉଛି। ସମୁଦାୟ ୨୭୯ଟି ଷ୍ଟଲ୍‌ ରହିଥିବା ବ‌େଳେ ୨୫୦ଟି ଷ୍ଟଲ୍‌ ବିଭିନ୍ନ ବ୍ୟବସାୟୀ, ସ୍ବୟଂ ସହାୟକ ଗୋଷ୍ଠୀ ଓ ଉତ୍ପାଦକ ଗୋଷ୍ଠୀକୁ ଦିଆଯାଇଛି। ଝାଡ଼ୁଠୁ ନେଇ ବଡ଼ି, ପାମ୍ପଡ଼, ଆଚାର, କାଠ ସଜା ସାମଗ୍ରୀ, ଶିଙ୍ଘ କାରିଗରୀ, ବାଉଁଶ କାରିଗରୀ, କାଚ କାରିଗରୀ, ଚାନ୍ଦୁଆ, ପଟ୍ଟଚିତ୍ର, ଧାନ ଓ କୁଟାରେ ପ୍ରସ୍ତୁତ କାରିଗରୀ, ବେତ ସାମଗ୍ରୀ, କତା ସାମଗ୍ରୀ, ମାଟିରେ ନିର୍ମିତ ପାତ୍ର ଓ ଖେଳଣା ସାମଗ୍ରୀରେ ବିଶେଷ ରିହାତି ଉପଲବ୍ଧ ହେଉଛି।

ପଲ୍ଲିଶ୍ରୀ ମେଳାରେ ବାଳାଶ୍ରମ ଅନ୍ତେବାସୀଙ୍କ କଳାକୃତି

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ପକ୍ଷରୁ ପଲ୍ଲିଶ୍ରୀ ମେଳାରେ ଶିଶୁ ସୁରକ୍ଷା ଆଇନ ଯୋଜନା ସମ୍ପର୍କିତ ସୂଚନା, ଶିକ୍ଷା ଓ ଯୋଗାଯୋଗର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଶିଶୁମାନଙ୍କ ଦ୍ବାରା ପ୍ରସ୍ତୁତ କଳାକୃତିଗୁଡ଼ିକର ପ୍ରଦର୍ଶନୀ ଆକର୍ଷଣ ସାଜୁଛି। ଉତ୍କଳ ବାଳାଶ୍ରମ ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ଟେଡି ବିୟର, ଆଦୃତା ଶିଶୁ ଦନର ଅନ୍ତେବାସୀଙ୍କ ପ୍ରସ୍ତୁତ କାଗଜ ବିଞ୍ଚଣା, ରଥ, ଝୁଲା, ଆଚାର୍ଯ୍ୟ ହରିହର ଶିଶୁ ଭବନ ଅନ୍ତେବାସୀଙ୍କ ଦ୍ବାରା କତାରେ ପ୍ରସ୍ତୁତ କଳାକୃତି, ଦ୍ରୌପଦୀ ମହିଳା ସମିତି ଓ ନୀଳାଚଳ ସେବା ପ୍ରତିଷ୍ଠାନ ଦ୍ବାରା ପ୍ରସ୍ତୁତ କାଗଜ ଅଳଙ୍କାର ପ୍ରଦର୍ଶିତ ହେଉଛି।

ସମ୍ବନ୍ଧିତ ଖବର