ଭୁବନେଶ୍ବର : ରାଜ୍ୟରେ ସୋମବାର ଦିନ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି। ଗୋଟିଏ ଦିନରେ ୪ଲକ୍ଷ ୧୬ହଜାର ୪୫୪ଜଣ ଟିକା ନେଇଛନ୍ତି। ଯାହାକି ଆଜି ପର୍ଯ୍ୟନ୍ତ ଟିକାକରଣରେ ସର୍ବକାଳୀନ ରେକର୍ଡ। ଗତ ଜୁଲାଇ ମାସରେ ଗୋଟିଏ ଦିନରେ ୪.୨ଲକ୍ଷ ଲୋକଙ୍କ ଟିକାକରଣ ହୋଇଥିଲା। ଆଜିର ଟିକାକରଣ ସଂଖ୍ୟାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୨କୋଟି ୭୯ଲକ୍ଷ ୩୪ହଜାର ୭୪୪ ଡୋଜ୍ ଟିକା ଦିଆଗଲାଣି।
ଚଳିତମାସଠାରୁ ରାଜ୍ୟ ସରକାର ଦୈନିକ ୪.୧୩ଲକ୍ଷ ଟିକା ଦେବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। କେନ୍ଦ୍ର ସରକାର ଓଡ଼ିଶାକୁ ଅଧିକ ଟିକା ଆବଣ୍ଟନ କରିବା ପରେ ରାଜ୍ୟ ସରକାର ଟିକାକରଣ ଲକ୍ଷ୍ୟରେ ସଂଶୋଧନ କରିଥିଲେ। ଏଥିପାଇଁ ପ୍ରତ୍ୟେକ ଜିଲ୍ଲାକୁ ନୂତନ ଦୈନିକ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ବର୍ଷା ଓ ପାର୍ବଣ ଋତୁ ଆରମ୍ଭ ହେବା କାରଣରୁ ଏହି ଲକ୍ଷ୍ୟ ହାସଲ ହୋଇପାରି ନ ଥିଲା। ଆଜି ସମୁଦାୟ ୧୭୫୮ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୮-୪୪ବର୍ଗର ୧ଲକ୍ଷ ୫୮ହଜାର ୪୪ ପ୍ରଥମ, ୧ଲକ୍ଷ ୨୭ହଜାର ୨୬୭ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ସେହିପରି ୪୫ବର୍ଷରୁ ଅଧିକ ୬୫,୩୨୬ଜଣ ପ୍ରଥମ ଓ ୬୪,୪୪୪ଜଣଙ୍କୁ ଦ୍ବିତୀୟ ଡୋଜ୍ ଟିକା ଦିଆଯାଇଛି। ଏହାସହ ୪୧୧୮ ଗର୍ଭବତୀ ମହିଳା ମଧ୍ୟ ଟିକା ନେଇଛନ୍ତି। ରାଜ୍ୟରେ ଏ ପର୍ଯ୍ୟନ୍ତ ୧ଲକ୍ଷ ୫୫ହଜାର ୩୪୦ ଗର୍ଭବତୀ ମହିଳା ଟିକା ନେଇ ସାରିଲେଣି।
ଗଞ୍ଜାମ ଜିଲ୍ଲାରେ ଆଜି ସର୍ବାଧିକ ୩୨,୦୨୧ଜଣ ଟିକା ନେଇଛନ୍ତି। ଏହା ପଛରେ ଯାଜପୁର ୨୬,୧୨୯, ବାଲେଶ୍ବର ୨୪, ୨୧୧, ଭଦ୍ରକ ୨୦,୧୨୨, କେନ୍ଦୁଝର ୧୯,୬୮୬, ସମ୍ବଲପୁର ୧୭,୮୬୯ ଓ ଭୁବନେଶ୍ବରରେ ୧୦,୪୩୨ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ବର୍ତମାନ ସୁଦ୍ଧା ୧୮-୪୪ବର୍ଗର ୫୬ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୭୮ ପ୍ରତିଶତ ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି। ରାଜ୍ୟରେ ସମୁଦାୟ ୩.୧କୋଟି ହିତାଧିକାରୀଙ୍କୁ ଟିକା ଦିଆଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଆସନ୍ତାକାଲି ରାଜ୍ୟରେ ୧୫୫୩ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ। ରାଜ୍ୟରେ ଏବେ ୨୦ଲକ୍ଷରୁ ଅଧିକ କୋଭିସିଲ୍ଡ ଓ ୧.୭୧ଲକ୍ଷରୁ ଅଧିକ କୋଭାକ୍ସିନ୍ ଟିକା ମହଜୁଦ ରହିଛି।