ରେକର୍ଡ ଭାଙ୍ଗିଲା ଭୋଟ୍‌ହାର: ପଦ୍ମପୁରରେ ୮୧.୨୯% ମତଦାନ

ବରଗଡ଼/ ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ ୮୧.୨୯% ଭୋଟର୍‌ ମତଦାନ କରିଛନ୍ତି, ଯାହାକି ନିର୍ବାଚନୀମଣ୍ଡଳୀ ପାଇଁ ଏକ ସର୍ବକାଳୀନ ରେକର୍ଡ। ୨୦୦୪ ମସିହା ସାଧାରଣ ନିର୍ବାଚନରେ ୭୪.୦୯% ଭୋଟର୍‌ ମତଦାନ କରିଥିବା ବେଳେ ୨୦୦୯ ମସିହ‌ାରେ ୭୫.୫୧ % ଏବଂ ୨୦୧୪ ମସିହା ଓ ଗତ ନିର୍ବାଚନରେ ୭୯.୧୬ % ମତଦାନ ହୋଇଥିଲା। ତେବେ, ଚଳିତ ଉପନିର୍ବାଚନରେ ମୋଟ୍‌ ୨,୫୭,୪୭୪ ଭୋଟର୍‌ ମଧ୍ୟରୁ ୨,୦୯,୩୦୩ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝାରବନ୍ଧ ବ୍ଲକ୍‌ରେ ୮୩.୮୧ % ମତଦାନ ହୋଇଥିବା ବେଳେ ପଦ୍ମପୁର ଏନ୍‌ଏସିରେ ୬୯.୪୧% ମତଦାନ ହୋଇଛି। ଝାରବନ୍ଧ ବ୍ଲକ୍‌ରେ ୬୦,୫୬୬ ମତଦାତାଙ୍କ ମଧ୍ୟରୁ ୫୦,୭୬୨ ଜଣ (୮୩.୮୧%) ମତଦାନ କରିଛନ୍ତି। ପାଇକମାଳରେ ୮୯,୨୯୮ ମଧ୍ୟରୁ ୭୨, ୭୧୦ (୮୧.୪୨%) ମତଦାନ କରିଛନ୍ତି। ସେହିପରି, ପଦ୍ମପୁର ରାଜବୋଡାସମ୍ବର ବ୍ଲକ୍‌ରେ ୯୩,୯୩୬ ମଧ୍ୟରୁ ୭୬,୩୮୩ (୮୧.୩୧%) ଓ ପଦ୍ମପୁର ଏନ୍‌ଏସିରେ ୧୩,୬୩୪ ଭୋଟର ମଧ୍ୟରୁ ୯,୪୫୪ (୬୯.୧୪%) ମତଦାନ କରିଛନ୍ତି।

ପ୍ରାର୍ଥୀ ସଂଖ୍ୟାରେ ମଧ୍ୟ ଏହି ଉପନିର୍ବାଚନ ନିଜସ୍ୱ ରେକର୍ଡ ଭାଙ୍ଗିଛି। ୧୯୫୪ ଉପନିର୍ବାଚନରେ କେବଳ କଂଗ୍ରେସ ଓ ଗଣତନ୍ତ୍ର ପରିଷଦ ଦୁଇଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ବିତା କରିଥିବା ବେଳେ ଏଥର କିନ୍ତୁ ମଇଦାନରେ ସର୍ବାଧିକ ୧୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି। ସେହିପରି, ପ୍ରଥମଥର ମହିଳା ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଛନ୍ତି।

ସମ୍ବନ୍ଧିତ ଖବର