ସିବିଏସ୍‌ଇ ଦଶମ ପରୀକ୍ଷା ଫଳରେ ରେକର୍ଡ, ଓଡ଼ିଶାରେ ୯୯% ପାସ୍‌

ଜାତୀୟସ୍ତରରେ ପାସ୍‌ହାର ୯୯.୦୪%, ୯୫% ମାର୍କ ରଖିଲେ ୫୭ ହଜାର ୮୨୪

ଭୁବନେଶ୍ବର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। କରୋନା ସଂକ୍ରମଣ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ପ୍ରକାଶ କରାଯାଇଥିବା ଏହି ପରୀକ୍ଷା ଫଳରେ ୨୦୨୦ ତୁଳନାରେ ପାସ୍ ହାର ବଢ଼ିଛି। ଓଡ଼ିଶା ସମେତ ଛତିଶଗଡ଼ ଓ ପଶ୍ଚିମବଙ୍ଗକୁ ନେଇ ଗଠିତ ଭୁବନେଶ୍ବର ଜୋନ୍‌ର ପାସ୍‌ହାର ଏଥର ୯୯.୬୨% ହୋଇଛି। ଜୋନ୍‌ରେ ମୋଟ ୧ ଲକ୍ଷ ୧୧ ହଜାର ୩୩୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଲାଗି ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୦ ହଜାର ୬୨୩ କୃତକାର୍ଯ୍ୟ ହୋଇଛନ୍ତି। ଓଡ଼ିଶାରେ ପାସ୍‌ହାର ୯୯.୨୧% ହୋଇଛି। ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ୪୩ ହଜାର ୬୩୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୩ ହଜାର ୨୮୮ ଜଣ ପାସ୍‌ କରିଛନ୍ତି। ସେହିପରି ପଶ୍ଚିମବଙ୍ଗର ୩୫ ହଜାର ୨୧୨ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୫ ହଜାର ୩୪ ଜଣ ପାସ୍‌ କରିଛନ୍ତି ଏବଂ ପାସ୍‌ହାର ୯୯.୪୯% ହୋଇଛି। ଛତିଶଗଡ଼ର ୩୨ ହଜାର ୪୯୩ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୨ ହଜାର ୩୦୧ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୯.୪% ହୋଇଛି। ଦ୍ବାଦଶ ଶ୍ରେଣୀ ପରି ଦଶମ ଶ୍ରେଣୀରେ ବି ଏଥର ଟପର୍‌ ତାଲିକା ପ୍ରକାଶ କରାଯାଇ ନ ଥିବା ସିବିଏସ୍‌ଇ ଭୁବନେଶ୍ବର ଜୋନ୍‌ ଅଧିକାରୀ ଟି ମାଟେ ସୂଚନା ଦେଇଛନ୍ତି। ଜାତୀୟସ୍ତରରେ ଦଶମ ଶ୍ରେଣୀ ପାସ୍‌ହାର ସର୍ବକାଳୀନ ରେକର୍ଡ ହୋଇଛି। ବିନା ପରୀକ୍ଷାରେ ଏଥର ୯୯.୦୪% ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

ପରୀକ୍ଷା ଲାଗି ୨୧ ଲକ୍ଷ ୫୦ ହଜାର ୬୦୮ ଜଣ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିଲେ। ରେଗୁଲାର୍‌ର ୨୧ଲକ୍ଷ ୧୩ହଜାର ୭୬୭ଛାତ୍ରଛାତ୍ରୀ ମଧ୍ୟରୁ ୨୦ଲକ୍ଷ ୯୭ହଜାର ୧୨୮ ଜଣଙ୍କ ରେଜଲ୍ଟ ପ୍ରକାଶ ପାଇଛି। ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ୭୬ ହଜାର ୯୯୭ ଜଣ ପାସ୍‌ କରିଛନ୍ତି। ୧୬ ହଜାର ୬୩୯ ଜଣ ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ ଏବେ ବି ଜାରି ରହିଛି। ବିଦେଶର ୨୪ହଜାର ୪୩୯ଜଣ ଦଶମ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪ ହଜାର ୪୨୦ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୯୯.୯୨% ରହିଛି। ସବୁଥର ପରି ଏଥର ମଧ୍ୟ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି। ଛାତ୍ରୀଙ୍କ ପାସ୍‌ହାର ୯୯.୨୪%, ଛାତ୍ରଙ୍କ ପାସ୍‌ହାର ୯୮.୮୯% ଓ କିନ୍ନରଙ୍କ ପାସ୍‌ହାର ଶତ ପ୍ରତିଶତ ହୋଇଛି। ଦେଶରେ ଥିବା‌ କେନ୍ଦ୍ରୀୟ ବିଦ୍ୟାଳୟ ଓ ସିଟିଏସ୍‌ଏ ବିଦ୍ୟାଳୟର ପାସ୍‌ହାର ଶତ ପ୍ରତିଶତ ହୋଇଛି। ଜେଏନ୍‌ଭିର ପାସ୍‌ ହାର ୯୯.୯୯% ଥିବା ବେଳେ ସରକାରୀ ବିଦ୍ୟାଳୟରେ ୯୬.୦୩%, ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ୯୫.୮୮% ଓ ସ୍ବାଧୀନ ଛାତ୍ରଛାତ୍ରୀଙ୍କ ପାସ୍‌ହାର ୯୯.୫୭% ହୋଇଛି। ୫୭ ହଜାର ୮୨୪ଜଣ ଛାତ୍ରଛାତ୍ରୀ ୯୫%ରୁ ଅଧିକ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି, ଯାହାକି ମୋଟ ପାସ୍‌ହାରର ୨.୭୬%। ୨ ଲକ୍ଷ ୯୬୨ଜଣ ଛାତ୍ରଛାତ୍ରୀ ୯୦ରୁ ୯୫% ମାର୍କ ମଧ୍ୟରେ ରଖିଛନ୍ତି। ସେମାନଙ୍କ ପାସ୍‌ହାର ୯.୫୮ ପ୍ରତିଶତ। ୧୭ ହଜାର ୬୩୬ଜଣ ଛାତ୍ରଛାତ୍ରୀ କମ୍ପାଟମେଣ୍ଟାଲ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଜୋନ୍‌ ଅନୁଯାୟୀ ଦେଖିଲେ ତ୍ରିବେନ୍ଦ୍ରମରେ ପାସ୍‌ହାର ୯୯.୯୯% ହୋଇଥିବା ବେଳେ ବେଙ୍ଗାଲୁରୁରେ ୯୯.୯୬%, ଚେନ୍ନାଇରେ ୯୯.୯୪%, ଦିଲ୍ଲୀ-ୱେଷ୍ଟରେ ୯୮.୭୪%, ଦିଲ୍ଲୀ-ଇଷ୍ଟରେ ୯୭.୮୦%, ପଞ୍ଚକୁଲାରେ ୯୯.୭୭%, ଚଣ୍ଡିଗଡ଼ରେ ୯୯.୪୬%, ଭୁବନେଶ୍ବରରେ ୯୯.୬୨%, ଭୋପାଲରେ ୯୯.୪୭%, ପୁନେରେ ୯୯.୯୨%, ଆଜମିରରେ ୯୯.୮୮%, ନୋଏଡ଼ାରେ ୯୮.୭୮%, ଗୌହାଟୀରେ ୯୦.୫୪%, ଡେରାଡୁନ୍‌ରେ ୯୯.୨୩%, ପ୍ରୟାଗରାଜରେ ୯୯.୧୯%, ପାଟଣାରେ ୯୯.୬୬% ହୋଇଛି। କୃତୀ ଛାତ୍ରଛାତ୍ରୀ ଡିଜି-ଲକର୍‌ରୁ ସେମାନଙ୍କ ଡିଜିଟାଲ ମାର୍କ ସିଟ୍‌, ମାଇଗ୍ରେସନ୍‌ ସାର୍ଟିଫିକେଟ୍‌, ସ୍କିଲ୍‌ ସାର୍ଟିଫିକେଟ୍‌ ଆଦି ପାଇପାରିବେ। ସିବିଏସ୍‌ଇ ପକ୍ଷରୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଡିଜିଲକର୍‌ ଆକାଉଣ୍ଟ ତଥ୍ୟ ପଠାଯାଇଛି। ପ୍ରଥମ ଥର ପାଇଁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ ମାର୍କସିଟ୍‌ ପ୍ରଦାନ କରାଯାଇଛି। ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୫ ମଧ୍ୟରେ କମ୍ପାର୍ଟମେଣ୍ଟାଲ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ସମ୍ପର୍କରେ ସବିଶେଷ ଘୋ‌ଷଣା ଖୁବ୍‌ଶୀଘ୍ର କରାଯିବ। ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ସନ୍ତୁଷ୍ଟ ନ ଥିବା ଛାତ୍ରଛାତ୍ରୀ ପ୍ରାଇଭେଟ୍‌/ପତ୍ରବିନିମୟ/କମ୍ପାର୍ଟମେଣ୍ଟ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ।

ସମ୍ବନ୍ଧିତ ଖବର