ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଅମର୍ଦ୍ଦାସ୍ଥିତ ଐତିହାସିକ ବିମାନଘାଟିର ଭାଗ୍ୟ ଫିଟୁନି। ପୂର୍ବରୁ କେନ୍ଦ୍ର ବିଜେପି ସରକାର ଓ ରାଜ୍ୟ ବିଜେଡି ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ସମସ୍ୟା ହେଉଥିଲା ବୋଲି କୁହାଯାଉଥିଲା। ହେଲେ ଏବେ ଡବଲ୍ ଇଞ୍ଜିନ୍ ସରକାର ଥିବାରୁ ଏ ନେଇ ଆଶା ସଂଚାର ହୋଇଛି। ତେବେ ବ୍ୟାବସାୟିକ ବିମାନ ଚଳାଚଳ କ୍ଷେତ୍ରରେ ଏହାର ବ୍ୟବହାର ନେଇ ଯେଉଁ ଯୋଜନା ରହିଛି, ତାହା କେତେ ସଫଳ ହେବ ସେ ନେଇ ବିଶେଷଜ୍ଞଙ୍କ ମଧ୍ୟରେ ସନ୍ଦେହ ରହିଛି।
ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ତିଆରି ଏହି ବିମାନଘାଟିର ୩ ହଜାର ୪ ଶହ ମିଟର (୧୧ଶହ ଫୁଟ୍)ର ଲମ୍ବା କଂକ୍ରିଟ୍ ରନ୍ୱେ ରହିଛି। ବିଶ୍ବଯୁଦ୍ଧ ବେଳେ ଇଂରେଜ ସରକାରଙ୍କ ପାଇଁ ଏହା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା। ଯୁଦ୍ଧର ପରିସମାପ୍ତି ପରେ ଏହି ଘାଟିକୁ ଇଂରେଜ ସରକାର ଭୁଲିଗଲେ। ପରବର୍ତ୍ତୀ ସମୟରେ ଭାରତ ସରକାରଙ୍କ ପ୍ରତିରକ୍ଷା ବିଭାଗ ଅଧୀନକୁ ଏହି ବିମାନଘାଟି ଚାଲିଯାଇଥିବାରୁ ରାଜ୍ୟ ସରକାର ବି ଏହାର ପୁନରୁଦ୍ଧାର ନେଇ ବିଶେଷ ଆଗ୍ରହ ଦେଖାଇ ନଥିଲେ। ତେବେ ୨ ଦଶନ୍ଧି ହେବ ପୁଣିଥରେ ଏହାର ପୁନରୁଦ୍ଧାର ପାଇଁ ଦାବି ଜୋର୍ ଧରିଥିଲା ଏବଂ ୨ ବର୍ଷ ତଳେ କେନ୍ଦ୍ର ସରକାରଙ୍କ ‘ଉଡାନ୍’ ଯୋଜନାରେ ଏହାକୁ ସାମିଲ କରାଯାଇଥିଲା। ଗତବର୍ଷ ଫେବ୍ରୁଆରି ମାସରେ ଓଡ଼ିଶା ସରକାରଙ୍କ ତତ୍କାଳୀନ ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ସଚିବଙ୍କୁ ପତ୍ର ଲେଖି ଏଠାରୁ ଯାତ୍ରୀବାହୀ ବିମାନ ଚଳାଚଳ ଆରମ୍ଭ ନିମନ୍ତେ ନିବେଦନ କରିଥିଲେ। ବିମାନବନ୍ଦରର ୧୬୦.୩୫ ଏକର ଜମି ହସ୍ତାନ୍ତର ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି କୁହାଯାଇଥିଲା। ପରେ ଜମି ଅଧିଗ୍ରହଣ ପାଇଁ ରାଜ୍ୟ ସରକାର ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନ ଡିଆର୍ଡିଓ ଚାନ୍ଦିପୁରକୁ ୨୬ କୋଟି ୩ ଲକ୍ଷ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ। ଏଥିସହ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ୪୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ତେବେ ଜମି ହସ୍ତାନ୍ତରଣ ପ୍ରକ୍ରିୟା କେତେବାଟ ଗଲା, କିଛି ସ୍ପଷ୍ଟ କରାଯାଉନି।
ଜମି ହସ୍ତାନ୍ତରକୁ ନେଇ ରହିଥିଲା ଦ୍ବନ୍ଦ୍ବ
ଡବଲ୍ ଇଞ୍ଜିନ୍ ସରକାର ଫିଟାଇବେ ବାଟ?
ବ୍ୟାବସାୟିକ ଦୃଷ୍ଟିକୋଣକୁ ନେଇ ଉଠିଲା ପ୍ରଶ୍ନ
ଏହାକୁ ନେଇ ଗତବର୍ଷ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଇଂ. ବିଶ୍ବେଶ୍ବର ଟୁଡ଼ୁ ଓ ରାଜ୍ୟ ବିଜେଡି ନେତାଙ୍କ ମଧ୍ୟରେ ବିକ୍ବିତଣ୍ଡା ବି ହୋଇଥିଲା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ବୟ ଅଭାବରୁ ଏମିତି ହେଉଥିବା କୁହାଯାଉଥିଲା। ହେଲେ, ଏବେ ଡବଲ୍ ଇଞ୍ଜିନ୍ ସରକାର ଥିବାରୁ ବିମାନଘାଟିର ଭାଗ୍ୟ ଖୋଲିବା ନେଇ ଆଶା କରାଯାଉଛି। ଏ ନେଇ ନିକଟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ମଧ୍ୟ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ହେମକାନ୍ତ ସାଏ କହିଛନ୍ତି, ରାଷ୍ଟ୍ରପତିଙ୍କ ଗାଁ ନିକଟତର ହେଉଥିବାରୁ ପ୍ରାଥମିକ ପର୍ଯ୍ୟାୟରେ ରାଇରଙ୍ଗପୁରସ୍ଥିତ ଦାଣ୍ଡବୋଷ ବିମାନବନ୍ଦରର ପୁନରୁଦ୍ଧାରକୁ ପ୍ରାଥମିକତା ଦିଆଯାଉଛି। ପରେ ଅମର୍ଦ୍ଦା ରୋଡ୍ ବିମାନବନ୍ଦରର ଉନ୍ନତୀକରଣ କାର୍ଯ୍ୟ କରାଯିବ। ତେବେ ବିଶିଷ୍ଟ ଐତିହାସିକ ଅନୀଲ ଧୀରଙ୍କ କହିବା କଥା; ଏଠାରୁ ମାତ୍ର କେଇ ମିନିଟ୍ ଦୂରରେ ଥିବା ଚାନ୍ଦିପୁର ଡିଆର୍ଡିଓ ଓ ପଶ୍ଚିମବଙ୍ଗର କଲେଇକୁଣ୍ଡା ବିମାନଘାଟି ହେଉଛି ନୋ ଫ୍ଲାଇଂ ଜୋନ୍। ତେଣୁ ଏହାକୁ ଯାତ୍ରୀବାହୀ ବ୍ୟାବସାୟିକ ବିମାନବନ୍ଦରରେ ପରିଣତ କରିବା ସହଜ ନୁହେଁ। ବରଂ, ଏହାକୁ ବିମାନ ମରାମତି କେନ୍ଦ୍ର କରାଯାଉ। ଏଥିପାଇଁ ଏଠାରେ ୫ଶହ ଏକରରୁ ଅଧିକ ଜମି ସହରରେ ଉପଲବ୍ଧ ଅଛି। ଏବେ ଆମେ ଯାତ୍ରୀବାହୀ ବିମାନ ମରାମତି ପାଇଁ ସିଙ୍ଗାପୁର, ହକଂ, ଅଷ୍ଟେଲିଆ ଉପରେ ନିର୍ଭର କରୁଛୁ। ଅମର୍ଦ୍ଦା ବିମାନଘାଟିରେ ଏହି ମରାମତି କେନ୍ଦ୍ର ହେଲେ ସ୍ଥାନୀୟ ଅର୍ଥନୀତିକୁ ବଳ ମିଳିବ ଏବଂ ୨୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟିହେବ। ଏ ଦିଗରେ ସରକାର ଦୃଷ୍ଟି ଦେବାକୁ ପ୍ରସ୍ତାବ ମଧ୍ୟ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/10/29/BamAorrLOQFEsaMpfHu5.jpg)