ମାଲକାନଗିରି : ମାଲକାନଗିରି ଜିଲ୍ଲା ପୁଲିସକୁ ମିଳିଛି ବଡ଼ ସଫଳତା। ମାଟି ତଳୁ ଜବତ କରିଛି ବିପୁଳ ପରିମାଣର ବିସ୍ଫୋରକ। ଗତ ମାସକ ମଧ୍ୟରେ ତିନି ତିନି ଥର ମାଟି ତଳୁ ନକ୍ସଲ ଲୁଚାଇ ରଖିଥିବା ବିସ୍ଫୋରକ, ମାରଣାସ୍ତ୍ର ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଇଦ୍ୟାତି ଜବତ କରାଯାଇଛି। ସେଥିରେ ଶହେରୁ ଊର୍ଦ୍ଧ୍ବ ଜୀବନ୍ତ ଗୁଳି, ଦୁଇଟି ଲ୍ୟାଣ୍ଡମାଇନ,୧୪ଟି ହ୍ୟାଣ୍ଡ ଗ୍ରେନେଡ,୧୩ଟି ଇଲେକ୍ଟ୍ରୋନିକ ଡିଟୋନେଟର ଇତ୍ୟାଦି ରହିଛି। ଫଳରେ, ନକ୍ସଲଙ୍କୁ ଶକ୍ତ ଧକ୍କା ଲାଗିଛି।
ମାଲକାନଗିରି ଏସଓଜି, ଡିଭିଏଫ ଓ ବିଏସଏଫ ଯବାନ ମିଳିତ ଭାବେ ସ୍ବାଭିମାନ ଅଞ୍ଚଳର ଯୋଡ଼ାମ୍ବ ପଞ୍ଚାୟତ ଅରାପଦର ଓ ଅଣ୍ଡ୍ରାପାଲୀ ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ସର୍ଚ୍ଚ ଅପରେସନ କରିଥିଲେ। ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ବହୁ ପରିମାଣର ବିସ୍ଫୋରକ ଲୁଚାଇ ରଖିଥିଲେ। ପୁଲିସ୍ ଏସବୁକୁ ଜବତ କରିବା ସହିତ ଏକ ବଡ଼ ଅଘଟଣକୁ ଏଡ଼ାଇବାରେ ସଫଳ ହୋଇଛି।
ଅନ୍ୟପକ୍ଷରେ, ପୁଲିସର ଏଭଳି ପଦକ୍ଷପରେ ନକ୍ସଲ ଏକପ୍ରକାର ଘାଇଲା ବାଘ ଭଳି ହୋଇଯାଇଛନ୍ତି। ନିଜର ଗୋଟିଏ ପରେ ଗୋଟିଏ ଦୁର୍ଗ ଧସି ଯାଉଥିବାରୁ ଯେଉଁ ଅଞ୍ଚଳରେ ବିଏସଏଫ କ୍ୟାମ୍ପ କିମ୍ବା ପୁଲିସ ପହଞ୍ଚିପାରିନି, ସେହି ଅଞ୍ଚଳରେ ନକ୍ସଲ ପହଞ୍ଚି ପୁଲିସ ଓ ସୁରକ୍ଷାକର୍ମୀଙ୍କ ବିରୋଧରେ ଅପପ୍ରଚାର କରୁଥିବା ଜଣାପଡ଼ିଛି। ସେସବୁ ଅଞ୍ଚଳରେ ମଧ୍ୟ ପୁଲିସ ଖୁବ୍ଶୀଘ୍ର ପହଞ୍ଚିବ ବୋଲି ମାଲକାନଗିର ଏସ୍ପି ଋଷିକେଶ ଖିଲାରି କହିଛନ୍ତି।
ପ୍ରକାଶଥାଉକି ପୁଲିସ ଡିଜି ଅଭୟ ଗତ ତିନି ଦିନ ତଳେ ମାଲକାନଗିରିରେ ପହଞ୍ଚି ସ୍ବାଭିମାନ ଅଞ୍ଚଳ ଗସ୍ତ କରିଥିଲେ। ସେଠାରେ ବିକାଶ ଧାରାକୁ ଆଗେଇ ନେବା ପାଇଁ ପରାମର୍ଶ ଦେବା ସହ ଲୋକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇଥିଲେ। ଏଥିସହ ପିଲାଙ୍କ ପାଇଁ ସ୍କୁଲ, ଗ୍ରାମବାସୀଙ୍କ ପାଇଁ ପାଣି ଇତ୍ୟାଦି ଖୁବ୍ଶୀଘ୍ର ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/mkg.jpg)