ଝାରସୁଗୁଡ଼ା/ବ୍ରଜରାଜନଗର: ପୁଲିସ ଏଏସ୍‌ଆଇ ଗୋପାଳ ଦାସ ଗତ ୨୯ ତାରିଖ ଦିନ ଗାନ୍ଧୀଛକ ନିକଟରେ ମନ୍ତ୍ରୀ ନବ ଦାସଙ୍କୁ କିଭଳି ଗୁଳି କରି ହତ୍ୟା କଲା ସିନ୍‌ ରିକ୍ରିଏସନ୍‌ରେ ଦେଖାଇଛି। ମଙ୍ଗଳବାର ଅପରାହ୍‌ଣରେ ‌ବ୍ରଜରାଜନଗର ଗାନ୍ଧୀ ଛକ ନିକଟରେ ଯେଉଁ ସ୍ଥାନରେ ହତ୍ୟାକାଣ୍ଡ ଘଟିଥିଲା ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇ ସଂପୂର୍ଣ୍ଣ ସ୍ଥାନଟିକୁ କର୍ଡନ କରି ରଖିବା ପରେ କ୍ରାଇମବ୍ରାଞ୍ଚ ଟିମ୍‌ ଗୋପାଳଙ୍କୁ ସେଠାକୁ ନେଇ ସିନ ରିକ୍ରିଏସନ୍‌ କରିଥିଲେ। ଘଟଣା ଦିନ ଗୋପାଳ କେମିତି ସେଠାକୁ ଆସିଲା, ମନ୍ତ୍ରୀ ପାଖକୁ କେମିତି ଯାଇଥିଲା, ପିସ୍ତଲ ବାହାର କରି କିଭଳି ତାଙ୍କୁ ଗୁଳି କରିଥିଲା, ଗୁଳି କରିବା ପରେ ସେ କେମିତି ପଛୁଆ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଲୋକଙ୍କ ହାତରେ ଧରା ପଡ଼ିଥିଲା ‌ତା’ର ଅବିକଳ ରୂପାନ୍ତରଣ କରିଥିଲା।

Advertisment

ପ୍ରଥମେ କ୍ରାଇମ୍‌ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍‌ ଘଟଣା ସ୍ଥଳକୁ ଆସିଥିଲା। ଏହି ଟିମରେ କ୍ରାଇମବ୍ରାଞ୍ଚ ଡିଏସ୍‌ପି ରମେଶ ଦୋରା, ସେଣ୍ଟ୍ରାଲ ଫୋରେନସିକ ସାଇନ୍ସ  ଲାବରେଟୋରି ଦିଲ୍ଲୀ, ନ୍ୟାସ୍‌ନାଲ ଇନଷ୍ଟିଚ୍ୟୁଟ ଅଫ୍‌ ମେଣ୍ଟାଲ ଆଣ୍ଡ୍‌ ହେଲଥ ନ୍ୟୁରୋସାଇନ୍ସ ଗୁଜୁରାଟର ଅଧିକାରୀ, ବ୍ରଜରାଜନଗର ପୂର୍ବତନ ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ, ରାମପୁର ଫାଣ୍ଡି ଅଧିକାରୀ ଶଶି ଭୂଷଣ ମିଶ୍ର, ବ୍ରଜରାଜନଗର ଥାନାଧିକାରୀ ଧବଳେଶ୍ବର ସାହୁ ପ୍ରମୁଖ ସେଠାରେ ଉପସ୍ଥିତ ଥିଲେ। ଟିମ୍‌ ପହଞ୍ଚିବା ପୂର୍ବରୁ  ଗାନ୍ଧୀଛକରୁ ଜିଏମ୍‌ ଅଫିସ ଛକ ରାସ୍ତାକୁ ଦଉଡ଼ି ଦ୍ବାରା ବନ୍ଦ କରିଦିଆଯାଇଥିଲା। ଏହା ପରେ ମନ୍ତ୍ରୀଙ୍କ କାର୍‌କେଡ୍‌ ଘଟଣା ଦିନ ଯେମିତି ପହଞ୍ଚିଥିଲା ସେଭଳି ପାଇଲଟ ଗାଡ଼ି ସହିତ ଆଗପଛ ହୋଇ  ୬ଟି ଗାଡ଼ି ଅପରାହ୍‌ଣ ୩.୩୫ରେ ଘଟଣା ଘଟିଥିବା ସ୍ଥାନରେ ପହଞ୍ଚିଥିଲା।

ସେ ଦିନ ନବ ଦାସ ଯେଉଁ ଇନୋଭା କାରରେ ଥିଲେ ଓ ପଛରେ ଯେଉଁ ଇନୋଭା କାର ଥିଲା ସେହି କାରକୁ ହିଁ ସିନ୍‌ ରିକ୍ରି‌ଏସନରେ ଆଜି ବ୍ୟବହାର କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚର ଜଣେ କର୍ମଚାରୀଙ୍କୁ ମନ୍ତ୍ରୀ ଯେଭଳି କାର ଆଗ ସିଟ୍‌ରେ ବସିଥିଲେ ସେଭଳି ବସାଯାଇଥିଲା। ଘଟଣା ଦିନ ଯେମିତି ମନ୍ତ୍ରୀ କାର କବାଟ ଖୋଲି ବାହାରିଥିଲେ ଠିକ୍‌ ସେଭଳି ଉକ୍ତ ବ୍ୟକ୍ତି ବାହାରିବା ପରେ ଦୁଇ ଜଣ ତାଙ୍କୁ ଫୁଲମାଳ ଗଳାରେ ପକାଇଥିଲେ। ଏହି ସମୟରେ ଗୋପାଳ ଏକ ନକଲି ଖେଳନା ପିସ୍ତଲ ଧରି ଘଟଣା ଦିନ କେମିତି ସେ ପିସ୍ତଲ ବାହାର କରିଥିଲା, ସେ ସ୍ଥାନକୁ ଭିଡ଼ ଭାଙ୍ଗି କିଭଳି ଯାଇ ମନ୍ତ୍ରୀଙ୍କୁ ଗୁଳି କରିଥିଲା ତାହା ଅଭିନୟ କରି ଦେଖାଇଥିଲା। ଏହି ଅଭିନୟକୁ କ୍ରାଇବ୍ରାଞ୍ଚ ଅଧିକାରୀମାନେ ଏକାଧିକ ଥର କରିଥିଲେ। ଗୋପାଳ କିଭଳି ଗୁଳି କରିବା ପରେ ପିସ୍ତଲ ଉପରକୁ ଟେକି ପଛକୁ ଫେରୁଥିଲା ‌ତାକୁ ମଧ୍ୟ ସିନ ରିକ୍ରିଏଟ କରିଥିଲା। ମନ୍ତ୍ରୀଙ୍କ ପଛରେ ଥିବା ଇନୋଭା କାରରେ କିଭଳି ପଛ ଦ୍ବାରରେ ଗୁଳି ବାଜିଲା ତାକୁ ମଧ୍ୟ ସେ ପିସ୍ତଲ ଧରି କ୍ରାଇମବ୍ରାଞ୍ଚ ଅଧିକାରୀମାନଙ୍କୁ ଦେଖାଇଥିଲା।

publive-image

ଗୋପାଳ ଗୁଳି ମାରିବା ପରେ ତା’ ପାଖରୁ ଆଇଆଇସି ଓ ଅନ୍ୟମାନେ କିଭଳି ପିସ୍ତଲ ଛଡ଼‌ାଇଥିଲେ ତାହା ମଧ୍ୟ ରିକ୍ରିଏଟ କରାଯାଇଥିଲା। ସଂପୂର୍ଣ୍ଣ ଘଟଣାର ସିନ୍‌ ରିକ୍ରିଏଟ କରାଯାଇ ତାକୁ ଡ୍ରୋନ କ୍ୟାମେରା ଓ ଭିଡିଓ କ୍ୟାମେରାରେ ଉତ୍ତୋଳନ କରାଯାଇଥିଲା। ଆଜି ପ୍ରାୟ ୪ଟା ବେଳେ ଗୋପାଳ ଦେଖାଇଥିବା ସିନ୍‌ ରିକ୍ରିଏସନ୍‌ ଅନୁଯାୟୀ ସେ ଦିନ ମନ୍ତ୍ରୀ ନବ ଦାସଙ୍କ ଗାଡ଼ି ଅଟକିବା ପରେ ଦୁଇ ଜଣ କର୍ମୀ ଫୁଲ ମାଳ ଦେବା, ଆଉ ଜଣ ବ୍ୟକ୍ତି ନବ ଦାସଙ୍କ ପାଦ ଛୁଇଁବା ସମୟରେ ଗୋପାଳ  ଗୁଳି କରିଥିଲା। ଯାହା ନବ ଦାସଙ୍କ ଛାତିରେ ବାଜିଥିଲା। ପରେ ପରେ ୨ଟି ଗୁଳି ମୁଣ୍ଡକୁ ଲକ୍ଷ୍ୟ କରି ମାରିଥିଲା, ଯାହା ବାଜିନଥିଲା। ଗୁଳି ମାରିବା ପରେ ସେ କିଭଳି ନିଜକୁ ସୁରକ୍ଷିତ ରଖିବା ପାଇଁ ପଛକୁ ଘୁଞ୍ଚି ଚାଲିଥିବା ବେଳେ ଧରାପଡ଼ିଥିଲା ତାକୁ ବର୍ଣ୍ଣନା କରିଥିଲା।

publive-image

ସିନ ରିକ୍ରିଏସନ୍‌ ପରେ ନବ ଦାସଙ୍କ ଗାଡ଼ିଠାରୁ ଗୋପାଳ ଗୁଳି ମାରିଥିବା ସ୍ଥାନର ଦୂରତା, ପିସ୍ତଲ ଛଡ଼ାଇବାର ଦୂରତା, ଗୋପାଳ ତଳେ ପଡିବା ଦୂରତାକୁ ବିଶେଷଜ୍ଞ ଟିମ ମାପ କରିଥିଲେ। ଏ ନେଇ ଗୁଜୁରାଟ ଗାନ୍ଧୀନଗରରୁ ଆସିଥିବା ଡେପୁଟି ଡାଇରେକ୍ଟର, ଫରେନ୍ସିକ ସାଇନ୍ସ ଡି. ପଟେଲଙ୍କୁ ପଚାରିବାରେ ଯେଉଁ ଘଟଣା ଘଟିଥିଲା ସେ ସିନର ରିକ୍ରିଏସନ କରାଯାଇଥିଲା। ସଂପୂର୍ଣ୍ଣ ଘଟଣାର ଭିଡିଓକୁ ଅନୁଶୀଳନ କରିବାକୁ ଆଉ ୧/୨ ସପ୍ତାହ ଲାଗିବ ବୋଲି ସେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କ୍ରାଇମବ୍ରାଞ୍ଚ ଗୋପାଳକୁ ଗିରଫ କରିବା ପରେ ପ୍ରଥମେ ୪ ଦିନ ରିମାଣ୍ଡରେ ନେଇଥିଲା। ଏହାର ଅବଧି ୪ ତାରିଖ ସରିବା ପରେ ପୁଣି ୪ ଦିନ ରିମାଣ୍ଡ‌ ବୃଦ୍ଧି କରିଥିଲା। ମୋଟ ୮ ଦିନ ରିମାଣ୍ଡ ଅବଧି ମଧ୍ୟରୁ ୭ ଦିନ ସଂପୂର୍ଣ୍ଣ ହୋଇଥିବା ବେଳେ ଆସନ୍ତାକାଲି ରିମାଣ୍ଡର ଶେଷ ଦିନ। କ୍ରାଇମବ୍ରାଞ୍ଚ ଆଉ ଅଧିକ ଦିନ ରିମାଣ୍ଡରେ ନେବ ନା କୋର୍ଟଚାଲାଣ କରିବ ଅଦ୍ୟାବଧି ଜଣାପଡ଼ି ନାହିଁ। ତେବେ ଅଭିଯୁକ୍ତି ଗୋପାଳ ଆଜି ଯେଉଁ ଢଙ୍ଗରେ ସେ ଦିନର ‌ଘଟଣା ବର୍ଣ୍ଣନା କରୁଥିଲା ସେଥିରୁ ତା ମନରେ ତିଳେ ମାତ୍ର ପ୍ରଶ୍ଚାତାପ ବା ଅନୁଶୋଚନା ଥିଲା ପରି ଲାଗୁ ନଥିଲା। କ୍ରାଇମବ୍ରାଞ୍ଚ ଅଧିକାରୀମାନଙ୍କୁ ସେ ନିର୍ଭୟରେ ସବୁ ପ୍ରଶ୍ନର ଉତ୍ତର ଦେଇ ଚାଲିଥିବା ଦେଖିବାକୁ ମିଳିଥିଲା।