ଭୁବନେଶ୍ବର : ରାଜ୍ୟରେ ଥିବା ୨୦୫ଟି ବଡ଼ ଡ୍ୟାମ୍‌ରେ ପର୍ଯ୍ୟଟକଙ୍କୁ ସୁଇମିଂ, ବୋଟିଂ, ଫିସିଂ, ଡାଇଭିଂ, ପକ୍ଷୀ ଦେଖିବାର ସୁଯୋଗ ମିଳିବ। ଏଥିପାଇଁ ଜଳସମ୍ପଦ ବିଭାଗ ଏକ ଏସ୍‌ଓପି ପ୍ରସ୍ତୁତ କରିଛି। ଡ୍ୟାମ୍‌ଗୁଡ଼ିକ ସୁରକ୍ଷିତ ରଖିବା ସହ ଜିରୋ କାଜୁଆଲଟିକୁ ନଜରରେ ରଖି ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଯୋଜନା ହୋଇଛି। ଏବେ କିଛି ଡ୍ୟାମ୍‌ରେ ଏହି ଯୋଜନା ଆରମ୍ଭ ହେବାକୁ ଥିବାବେଳେ ଆଗାମୀ ଦିନରେ ସମସ୍ତ ୨୦୫ଟି ଡ୍ୟାମ୍‌ରେ ଏହିଭଳି ସୁବିଧା ଯୋଗାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ହେଲେ ଜଳକ୍ରୀଡ଼ା ବେଳେ କିମ୍ବା ଉକ୍ତ ସ୍ଥାନରେ କୌଣସି ଦୁର୍ଘଟଣା ହେଲେ ଜଳସମ୍ପଦ ବିଭାଗ ଦାୟୀ ରହିବନି ବୋଲି କହିଛି। ଯଦି ଜଳସମମ୍ପଦ ବିଭାଗ ଦାୟୀ ରହିବନି, କୌଣସି ଅଘଟଣ ଘଟିଲେ କିଛି କ୍ଷତିପୂରଣ ଦେବନି ତେବେ ଜଳସମ୍ପଦ ବିଭାଗ କାହିଁକି ଏହି ଯୋଜନା କରୁଛି ବୋଲି ପ୍ରଶ୍ନ ଉଠିଲାଣି।

Advertisment

publive-image nterview Times

ଡ୍ୟାମ୍‌ ନିକଟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଭଳି କି କି ପଦକ୍ଷେପ ନିଆଯାଇପାରିବ ସେନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଏସ୍‌ଓପିରେ କୁହାଯାଇଛି। ପର୍ଯ୍ୟଟକ ଓ ଡ୍ୟାମ୍‌ର ସୁରକ୍ଷା ଦୃଷ୍ଟିରୁ ଜଳକ୍ରୀଡ଼ା ସମେତ ସମସ୍ତ ଆମୋଦ ପ୍ରମୋଦ ଭିତ୍ତିଭୂମି ଡ୍ୟାମ୍‌ର ତଳମୁଣ୍ଡରେ ୨୦୦ ମିଟର ପୂର୍ବରୁ କରିବାକୁ କୁହାଯାଇଛି। ଡ୍ୟାମର ୧୦ମିଟର ଗଭୀରତା କିମ୍ବା ୧୦୦ମିଟର ଦୂରତା ଯେଉଁଟି ଅଧିକ ଥିବ ସେଠାରେ ବୋଟିଂ, ସୁଇମିଂ, ଫିସିଂ, ପକ୍ଷୀ ଦେଖିବାକୁ ପର୍ଯ୍ୟଟକଙ୍କୁ ଛଡ଼ାଯିବନି। ଡ୍ୟାମର ଉପର ପାର୍ଶ୍ବରେ କୌଣସି ସ୍ଥାୟୀ କି ଅସ୍ଥାୟୀ ପର୍ଯ୍ୟଟନ ଭିତ୍ତିଭୂମି ନିର୍ମାଣ ହେବନି। ଡ୍ୟାମ୍‌ର ଉପରମୁଣ୍ଡ‌ ରାସ୍ତାକୁ ପର୍ଯ୍ୟଟକଙ୍କ ଯାତାୟତ ପାଇଁ ବ୍ୟବହାର କରାଯିବନି। ଏହାକୁ ନଜରରେ ରଖି ପାର୍କିଂ ଅଞ୍ଚଳ ନିର୍ମାଣ କରିବାକୁ କୁହାଯାଇଛି। ଜଳଜୀବମାନେ ଯେପରି ପ୍ରଭାବିତ ହେବେନି ସେଥିପାଇଁ ୬୦ଡେସିବେଲ୍‌ରୁ କମ୍‌ ଶବ୍ଦ କରୁଥିବା ପାୱାର ବୋଟ୍ ବ୍ୟବହାର କରାଯିବ,ସମସ୍ତ କଠିନ ବର୍ଜ୍ୟବସ୍ତୁ ଯେପରି ବ୍ୟବସ୍ଥିତ ଢଙ୍ଗରେ ସଂଗ୍ରହ ହେବ ସେଥିପାଇଁ ପର୍ଯ୍ୟାପ୍ତ ଡଷ୍ଟବିନ୍ ରହିବ, ତରଳ ବର୍ଜ୍ୟବସ୍ତକୁ ବିଶୋଧନ କରି ଛାଡ଼ିବାକୁ କୁହାଯାଇଛି।

ବନ୍ୟା, ଡ୍ୟାମ୍‌ରେ ପାଣି ଛାଡ଼ୁଥିବାବେଳେ କି ପାଗ ଭଲ ନଥିଲେ ଡ୍ୟାମ୍‌ରେ କୌଣସି ପ୍ରକାରର ଜଳକ୍ରୀଡ଼ା କରାଯିବନି। ଜଳଭଣ୍ଡାର, ଜଳସେଚନ ବ୍ୟବସ୍ଥା, ଡ୍ୟାମ୍‌ର ସୁରକ୍ଷା ଉପରେ ଆଞ୍ଚ ଆସିଲା ଭଳି କୌଣସି ପର୍ଯ୍ୟଟନ ଭିତ୍ତିଭୂମି ହେବନି। ଜାତୀୟ ଓ ରାଜ୍ୟସ୍ତରୀୟ କର୍ତ୍ତୃପକ୍ଷଙ୍କ ଦ୍ବାରା ଅନୁମୋଦିତ ପର୍ଯ୍ୟଟନ କାର୍ଯ୍ୟକଳାପ ନିୟମାବଳୀ ଅନୁଯାୟୀ ସମସ୍ତ କାର୍ଯ୍ୟ କରିବାକୁ କୁହାଯାଇଛି। ଏଠାରେ ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଶିଶୁ ଓ ମହିଳାଙ୍କ ପାଇଁ ବିଶେଷ ସୁଯୋଗ ରହିବ। ସକାଳ ୬ଟାରୁ ଅପରାହ୍ନ ୫ଟା ୩୦ ପର୍ଯ୍ୟନ୍ତ ଜଳକ୍ରୀଡ଼ା କରିବାକୁ ଅନୁମତି ମିଳିବ ବୋଲି ଏସ୍‌ଓପି ଜାରି ହୋଇଛି।