କଟକ : ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ବିଭାଗରେ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ଷ୍ଟାଫ୍ ସିଲେକ୍ସନ କମିସନ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ବିରୋଧରେ ଦାୟର ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରି ଜବାବ ତଲବ କରିଛନ୍ତି। ନିଯୁକ୍ତି ପ୍ରକ୍ରିୟାର ଫଳ ପ୍ରକାଶ ଉପରେ ହାଇକୋର୍ଟ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି। ନିଯୁକ୍ତି ପ୍ରକ୍ରିୟା ଜାରି ରହିବ କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଚୂଡ଼ାନ୍ତ ଫଳ ପ୍ରକାଶ କରାଯିବନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏମ.ଆର.ସିଂ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀ ଅନୁସାରେ, ବୟନ ଶିଳ୍ପ ବିଭାଗରେ ଖାଲି ପଡିଥିବା ସୁପରଭାଇଜର ପଦବିରେ ନିଯୁକ୍ତି ପାଇଁ ୨୦୨୧, ଡିସେମ୍ବର ୨୧ ଓ ଟେକନିକାଲ ଆସିଷ୍ଟାଣ୍ଟ ପଦ ଲାଗି ଡିସେମ୍ବର୨୩ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପରବର୍ତ୍ତୀ ସମୟରେ ମୂଳ ନିଯୁକ୍ତି ବିଜ୍ଞପ୍ତିରେ ସଂଶୋଧନ କରି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଫଳରେ, ବହୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡିଥିଲେ। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ କରି ଏହି ମାମଲା ହାଇକୋର୍ଟରେ ଦାୟର ହୋଇଥିଲା। ମାମଲାରେ ରାଜ୍ୟ ହସ୍ତତନ୍ତ ବୟନଶିଳ୍ପ ସଚିବ, ବୟନଶିଳ୍ପ ନିର୍ଦ୍ଦେଶକ, ଷ୍ଟାଫ ସିଲେକ୍ସନ କମିସନ, ଖୋର୍ଦ୍ଧାସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ହ୍ୟାଣ୍ଡଲୁମ, ୱେଭିଂ ଆଣ୍ଡ ଡିଜାଇନକୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କାଳୀପ୍ରସନ୍ନ ମିଶ୍ର ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/high-court.jpg)