ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଚାଲିଥିବା ଜାଲ୍ ସାର୍ଟିଫିକେଟ୍ କାରବାରରେ ହସ୍ତକ୍ଷେପ କରିଛି କ୍ରାଇମ୍ବ୍ରାଞ୍ଚ। ଜିଲ୍ଲାରେ କାର୍ଯ୍ୟ କରୁଥିବା ଜାଲ୍ ଶିକ୍ଷକଙ୍କୁ ଚିହ୍ନଟ କରିବା ପାଇଁ କଟକ କ୍ରାଇମ୍ବ୍ରାଞ୍ଚ ଏସ୍ପି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛନ୍ତି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା ୪୪୧ ଶିକ୍ଷକଙ୍କ ବିରୋଧରେ ଜାଲ୍ ଶିକ୍ଷା ପ୍ରମାଣପତ୍ର ଅଭିଯୋଗ ଦାଖଲ ହୋଇଛି। ଯାଞ୍ଚ ପରେ ଏମାନଙ୍କ ମଧ୍ୟରୁ ୯୬ଜଣଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ଏତଲା ପରେ କିଛି ଶିକ୍ଷକ ଫେରାର୍ ରହିଥିବା ବେଳେ କେତେକଙ୍କ ପୁଲିସ ଗିରଫ କରିଛି। ସେହିପରି ୪୭ଜଣଙ୍କୁ ଚାକିରିରୁ ବିଦା କରାଯାଇ ସାରିଲାଣି।
ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷା ପ୍ରମାଣପତ୍ର ଦେଇ ଶହଶହ ଶିକ୍ଷକ ଚାକିରି କରୁଥିବା ନେଇ ଗତ ୫ ବର୍ଷ ହେଲା ବିଭିନ୍ନ ସୂତ୍ରରୁ ଅଭିଯୋଗ ଦାୟର ହୋଇଥିଲା। ୨୦୧୯ ଅକ୍ଟୋବର ମାସରେ ଅଭିଯୋଗର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ଶିକ୍ଷା ବିଭାଗ ଲୋକ ଦେଖାଣିଆ ତଦନ୍ତ କରି ତାର ଦାୟିତ୍ବ ସାରି ଦେଇଥିଲା। ପରେ କିଛି ସୂଚନା ଅଧିକାର କର୍ମୀ ଆର୍ଟିଆଇ ବଳରେ ଶିକ୍ଷା ବିଭାଗକୁ ତଥ୍ୟ ମାଗିବା ପରେ ପୁଣିଥରେ ଜାଲ୍ ଶିକ୍ଷା ପ୍ରମାଣପତ୍ର ଘଟଣା ପଦାକୁ ଆସିଥିଲା। ୨୦୨୦ରେ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍ ଏବଂ ଅଲ୍ ଇଣ୍ଡିଆ ୟୁଥ୍ ଲିଗ୍ ପକ୍ଷରୁ ୪ଟି ପର୍ଯ୍ୟାୟରେ ବିଭିନ୍ନ ବ୍ଲକ୍ରେ ୧୬୧ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିରୋଧରେ ଜିଲ୍ଲା ଶିକ୍ଷା ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲା। ଏହାପରେ କିଛି ସୂଚନା ଅଧିକାର କର୍ମୀଙ୍କ ତରଫରୁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟରେ ପିଟିସନ୍ ଦାଖଲ କରି ଆହୁରି ୧୧୫ଜଣ ଜାଲ୍ ଶିକ୍ଷକ ଜିଲ୍ଲାର ବିଭିନ୍ନ ସ୍କୁଲରେ ଚାକିରି କରୁଥିବା ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗର ତଦନ୍ତ ପାଇଁ ଜିଲ୍ଲାପାଳ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ସୂଚନା ଅଧିକାର କର୍ମୀ ସମରଜିତ ମହାନ୍ତି ମଧ୍ୟ ପର୍ଯ୍ୟାୟ କ୍ରମେ ବିଭିନ୍ନ ବ୍ଲକ୍ର ଜାଲ ଶିକ୍ଷକଙ୍କ ତାଲିକା ଶିକ୍ଷା ବିଭାଗ ନିକଟରେ ଦାଖଲ କରି ତଦନ୍ତ କରିବାକୁ ଅନୁରୋଧ କରିଥିଲେ।
ଏପରିକି ଏହି ଘଟଣାର କ୍ରାଇମ୍ବ୍ରାଞ୍ଚ ତଦନ୍ତ ପାଇଁ ସେ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ଏବେ କ୍ରାଇମ୍ବ୍ରାଞ୍ଚ ଏଥିରେ ହସ୍ତକ୍ଷେପ କରି ଶ୍ରୀ ମହାନ୍ତିଙ୍କ ଦ୍ବାରା କରାଯାଇଥିବା ଅଭିଯୋଗର ତଦନ୍ତ କରିବାକୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ଲେଖିଛି। ତଦନ୍ତ ପରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ଚିଠିରେ କୁହାଯାଇଛି। ଏବେ ଜିଲ୍ଲା ଶିକ୍ଷା ଅଧିକାରୀ ବିଇଓମାନଙ୍କୁ ସମ୍ପୃକ୍ତ ଶିକ୍ଷକଙ୍କ ଶିକ୍ଷା ପ୍ରମାଣପତ୍ର ନକଲ ମଗାଇଛନ୍ତି। କିନ୍ତୁ ତଦନ୍ତ ପ୍ରକ୍ରିୟାରେ ସେଭଳି କିଛି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହେଉ ନାହିଁ। ବର୍ତ୍ତମାନ କ୍ରାଇମ୍ବ୍ରାଞ୍ଚର ହସ୍ତକ୍ଷେପ ପରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/crime-branch-op.jpg)