ନିଯୁକ୍ତି ଦୁର୍ନୀତି ମାମଲା: ୪ ଦିନିଆ ରିମାଣ୍ଡରେ ବିରଞ୍ଚି, ଆଜିଠୁ ପୁଣି ତନାଘନା କରିବ ଭିଜିଲାନ୍ସ

ପରୀକ୍ଷାର୍ଥୀଙ୍କ ସହ ଯୋଗାଯୋଗରେ ରହୁଥିଲେ ପତ୍ନୀ, ସଢ଼ୁ! ଦ୍ବିତୀୟ ଥର ପାଇଁ ଓଏସ୍ଏସସି ଅଫିସରେ ଖୋଳତାଡ଼

ଭୁବନେଶ୍ବର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ ସଦସ୍ୟଙ୍କ ପିଏସ୍‌ ବିରଞ୍ଚି ନାରାୟଣ ସାହୁଙ୍କ ସମ୍ପତ୍ତିର ଖୋଳତାଡ଼, ବେଆଇନ ଆୟର ଉତ୍ସ ଓ ନିଯୁକ୍ତି ଜାଲିଆତି ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ପାଇଁ ଭିଜିଲାନ୍ସ ଆଜି ତାଙ୍କୁ ୪ ଦିନିଆ ରିମାଣ୍ଡରେ ଆଣିଛି। ଏତେ ବଡ଼ ଦୁର୍ନୀତିରେ ବିରଞ୍ଚି ଯେ ଏକୁଟିଆ ସାମିଲ ନାହାନ୍ତି, ପ୍ରାଥମିକ ତଦନ୍ତରୁ ଏକଥା ଆପାତତଃ ସ୍ପଷ୍ଟ ହୋଇଯାଇଛି। ବିରଞ୍ଚି ଘରୁ ଦେଢ଼ଶହରୁ ଅଧିକ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ଜବତ ହୋଇଥିବାରୁ ଏହା ପଛରେ ଓଏସ୍‌ଏସ୍‌ସି ଅଫିସର କିଛି ବଡ଼ମୁଣ୍ଡ ସାମିଲ ଥିବା ସନ୍ଦେହ ଘନୀଭୂତ ହୋଇଛି। ‌ତେଣୁ ଏହି ଦୁର୍ନୀତି ରାକେଟ୍‌ର ପର୍ଦ୍ଦାଫାସ୍ ଲାଗି ଭିଜିଲାନ୍ସ ଆସନ୍ତାକାଲିଠାରୁ ବିରଞ୍ଚିଙ୍କୁ ମାରାଥନ୍ ଜେରା କରିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ବିରଞ୍ଚି, ତାଙ୍କ ପତ୍ନୀ ଓ ସଢ଼ୁଙ୍କ ମୋବାଇଲ ଫୋନ୍ କଲ ଡିଟେଲ୍ସ ରେକର୍ଡ(ସିଡିଆର୍) ବିବରଣୀ ମଧ୍ୟ ଭିଜିଲାନ୍ସ ହାତରେ ଲାଗିଛି। ଏଥିରୁ ତାଙ୍କ ପତ୍ନୀ ଓ ସଢ଼ୁ ଚାକିରି ଆବେଦନକାରୀଙ୍କ ସହ ଯୋଗାଯୋଗରେ ରହୁଥିଲେ ବୋଲି ଜଣାପଡ଼ିଛି। ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ବିରଞ୍ଚି ପରୀକ୍ଷାର୍ଥୀମାନଙ୍କଠାରୁ ବିପୁଳ ଅର୍ଥ ଆଦାୟ କରିଥିବା ସନ୍ଦେହ ଘନୀଭୂତ ହୋଇଛି। ବିରଞ୍ଚିଙ୍କ ପତ୍ନୀ ଓ ସଢ଼ୁ ମନୋରଞ୍ଜନ ସାହୁଙ୍କ ସହ ବିରଞ୍ଚିଙ୍କୁ ମୁହାଁମୁହିଁ ଜେରା କରି ଅଧିକ ତଥ୍ୟ ହାସଲ କରିବାକୁ ଯୋଜନା କରିଛି ଭିଜିଲାନ୍ସ। ଏହା ପୂର୍ବରୁ ଆଜି ଦ୍ବିତୀୟ ଥର ପାଇଁ ତଦନ୍ତକାରୀ ଟିମ୍ ଓଏସ୍ଏସସି ଅଫିସକୁ ଯାଇ ଖୋଳତାଡ଼ କରିଛି। ଓଏସ୍ଏସ୍‌ସି ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ସହ ଦୀର୍ଘ ଦୁଇ ଘଣ୍ଟା ଧରି ରୁଦ୍ଧଦ୍ବାର ବୈଠକ କରିଛି। ଏହି ଆଲୋଚନାବେଳେ ବିରଞ୍ଚି ଓ ତାଙ୍କ କଳା କାରନାମା ସମ୍ପର୍କରେ ଅଧିକ ତଥ୍ୟ ମିଳିଥିବା କୁହାଯାଉଛି। ବିରଞ୍ଚିଙ୍କୁ ଜେରା ବେଳେ ଏ ସବୁର ଗୁମର ଖୋଲିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର