କଟକ: ଓଟିପିସି (ଓଡ଼ିଶା ଥର୍ମାଲ୍ ପାଵାର୍ କର୍ପୋରେସନ୍ ଲିମିଟେଡ୍) ନାଁରେ ରାଜ୍ୟରେ ବଡ଼ ଧରଣର ନିଯୁକ୍ତି କେଳେଙ୍କାରୀ ହୋଇଛି। ଏଠାରେ ନିଯୁକ୍ତି ଆଳରେ ପାଖାପାଖି ୨ କୋଟି ଟଙ୍କା ଠକେଇ ହୋଇଥିବା ଭଳି ଘଟଣା କଟକ କମିସନରେଟ୍ ପୁଲିସ ପର୍ଦ୍ଦାଫାସ କରିଛି। କେଳେଙ୍କାରୀରେ ମୁଖ୍ୟ ଅଭିଯୁକ୍ତ ବଡ଼ମ୍ବା ନୂଆତୈଲାର ସଞ୍ଜୟ କୁମାର ନାୟକ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ନିକଟରୁ ୬୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଏକ ଫାଇନାନ୍ସ କମ୍ପାନିରୁ ପୁଲିସ ଜବତ କରିଥିବା ବେଳେ କେଳେଙ୍କାରୀରେ ସମ୍ପୃକ୍ତ ଆହୁରି ୩ରୁ ଅଧିକ ଅଭିଯୁକ୍ତ ଫେରାର୍ ଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଦରଘାବଜାର ବ୍ରାହ୍ମଣ ସାହିର ରାଜକିଶୋର ମିଶ୍ରଙ୍କ ସ୍ଥାନୀୟ ଅଞ୍ଚଳରେ ଏକ କସ୍ମେଟିକ୍ ଦୋକାନ ରହିଛି।
୨୦୨୦ରେ ସଂଜୟ ନାୟକ ତାଙ୍କ ଦୋକାନକୁ କସ୍ମେଟିକ୍ ସାମଗ୍ରୀ କିଣିବାକୁ ଆସୁଥିଲେ। ତାଙ୍କ ପତ୍ନୀ ପରିଚୟରେ ଦୀପାଳିକା ମହାନ୍ତି ମଧ୍ୟ ଉକ୍ତ ଦୋକାନକୁ ଆସୁଥିଲେ। ଏଭଳି ବ୍ୟାବସାୟିକ କାରବାର ବଢ଼ିବାରୁ ବ୍ୟକ୍ତିଗତ ସମ୍ପର୍କ ବି ରାଜକିଶୋରଙ୍କର ଏହି ଦମ୍ପତି ପରିଚୟ ଦେଉଥିବା ଦୁଇଜଣଙ୍କ ସହିତ ବଢ଼ିଥିଲା। ସଂଜୟ ନିଜକୁ ଓଟିପିସିର ମାନବ ସମ୍ବଳ(ଏଚଆର୍) ଅଧିକାରୀ ଥିବା ରାଜକିଶୋରଙ୍କୁ କହିଥିଲା। ଦୀପାଳିକା ସେଠାକାର ମୁଖ୍ୟ କିରାଣି ଭାବେ କାମ କରୁଥିବା କହିଥିଲା। ସଂଜୟ ଓ ଦୀପାଳିକାଙ୍କ ସମ୍ପତ୍ତି ଦେଖି ରାଜକିଶୋର ବି ସହଜରେ ବିଶ୍ବାସ କରିନେଇଥିଲେ। ୨୦୨୨ ରେ ସଂଜୟ ଓଟିପିସିରେ ଚାକିରି ବାହାରିଥିବା ସଂକ୍ରାନ୍ତରେ ରାଜକିଶୋରଙ୍କୁ କହିଥିଲା। ଚାକିରି କରାଇ ଦେବାର ସଂଜୟ ଲୋଭ ଦେଖାଇଥିଲା। ଏହି କଥାରେ ରାଜକିଶୋର ଭଳିଯାଇ ନିଜ ଭାଇ ଅମିୟ ରଞ୍ଜନ ପଣ୍ଡା, ସୌମ୍ୟରଞ୍ଜନ ପଣ୍ଡା, ରଜନୀକାନ୍ତ ମିଶ୍ର, ରଞ୍ଜିତ ମହାଳିକ ଓ ଶୁଭମ୍ ସାହୁଙ୍କ ପାଇଁ ଚାକିରି ଦେବାକୁ ସଂଜୟ ସହିତ କଥା ହୋଇଥିଲେ। ସଂଜୟ ଏମାନଙ୍କୁ ଚାକିରି ଦେବା ସହିତ ରାଜକିଶୋରଙ୍କ ଭାଇ ରାଜରତନ ମିଶ୍ରଙ୍କ ୧୦ଟି ଜେସିବି ମେସିନ୍ ଏହି କମ୍ପାନିରେ ଲଗାଇଦେବାକୁ ବି ପ୍ରତିଶ୍ରୁତି ଦେଇଥିଲା। ସେ ଯେହେତୁ ଏଚ୍ଆର୍ ଅଛନ୍ତି, ସେଥିପାଇଁ ଏହି କାମ କରିଦେବାକୁ ମୋଟ ୫୩ଲକ୍ଷ ଟଙ୍କା ରାଜକିଶୋରଙ୍କ ନିକଟରୁ ଗଲା ୨୦୨୨ ଜୁନ୍ରୁ ଅଗଷ୍ଟ ମଧ୍ୟରେ ନେଇଥିଲା। ସେମାନଙ୍କୁ ନିଯୁକ୍ତି ବାବଦ ନକଲି ନିଯୁକ୍ତିପତ୍ର ମଧ୍ୟ ଦେଇଥିଲା। ଦୁଇ ମାସ ମଧ୍ୟରେ ନିଯୁକ୍ତି ହୋଇଯିବା ନେଇ ସଂଜୟ କହିଥିଲା। ପରେ ଚାକିରି ମିଳି ନଥିଲା।
ରାଜକିଶୋର ଏହି ଘଟଣାକୁ ନେଇ ସନ୍ଦେହ କରିବାରୁ ଗଲା ମେ ୬ ତାରିଖରେ ଦରଘାବଜାର ଥାନାରେ ଏତଲା ଦେଇଥିଲେ। ପୁଲିସ ଦଫା ୪୧୯, ୪୨୦ରେ ମାମଲା ରୁଜୁ କରିଥିଲା। ଦରଘାବଜାର ଥାନା ପୁଲିସ ଏହି ଘଟଣାର ତଦନ୍ତ ସମୟରେ ଏକ ଅନ୍ତଃରାଜ୍ୟ ଠକେଇ ଗ୍ୟାଙ୍ଗର ଲିଙ୍କ୍ ପାଇଥିଲା। ଓଡ଼ିଆବଜାରରେ ଏକ ଆପାର୍ଟମେଣ୍ଟରେ ବଡ଼ମ୍ବା ଥାନା ନୂଆତୈଲାର ମୁଖ୍ୟ ସଞ୍ଜୟ କୁମାର ନାୟକ(୪୬) ଏବଂ ଢେଙ୍କାନାଳ ସଦର ଥାନା ମୂଳିସିଂହର ଦୀପାଳିକା ମହାନ୍ତି(୪୫) ଏକାଠି ରହୁଥିଲେ। ଏମାନଙ୍କ ସହିତ ଆହୁରି ୪ଜଣ ସହଯୋଗୀ ଥିଲେ। ସେମାନେ ହେଉଛନ୍ତି ବଡ଼ମ୍ବା ଥାନା ଗୋପମଥୁରାର ବିଭୂତି ଜେନା(୪୨), ଢେଙ୍କାନାଳ ଜିଲ୍ଲା ସଦର ଥାନା ମୂଳିସିଂହର ବିଶାଲ ଭଞ୍ଜ(୨୦), ବଡମ୍ବା ନୂଆତୈଲାର ମାନସ ରଞ୍ଜନ ନାୟକ(୪୦), କଟକ ପୁରୀଘାଟ ଥାନା କାଠଗଡ଼ା ସାହିରେ ରହୁଥିବା ବାଙ୍କୀ ଗୋଡ଼ାବରର ଶ୍ରୀନିବାସ ନନ୍ଦ(୪୩) ସାମିଲ ହୋଇଥିଲେ। ପୁଲିସ ଏହି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶନିବାର ଦୀପାଳିକୁ ଗିରଫ କରିଥିବା ବେଳେ ଅନ୍ୟ ୫ ଜଣଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି।
ଏମାନେ ଠକେଇ ଟଙ୍କାରେ ୯୮୦ ଗ୍ରାମ ଓଜନର ସୁନା ଅଳଙ୍କାର କିଣିଥିଲେ। ଏହାକୁ ଚୌଧୁରୀବଜାରରେ ଥିବା ମୁଥୁଟ ଫାଇନାନ୍ସ ଶାଖାରେ ସୁନା ବନ୍ଧକ ରଖି ୩୪ ଲକ୍ଷ ଟଙ୍କା ନେଇଥିଲେ। ଦରଘାବଜାର ଥାନା ପୁଲିସ ତଦନ୍ତ ସମୟରେ ଏହି ସୁନା ଅଳଙ୍କାର ଜବତ କରିଛି। ଏହି ଠକେଇ ଟଙ୍କାରେ ଗୋଟିଏ ମାରୁତି କାର୍, ଦୁଇଟି ସ୍କୁଟି, ଦୁଇ ବାଇକ୍ କିଣାଯାଇଥିଲା। ଏହି ଗ୍ୟାଙ୍ଗ କଟକ ଦରଘାବଜାର ସମେତ ଅନୁଗୁଳ, କେନ୍ଦ୍ରାପଡ଼ା, ବାଲେଶ୍ବର, ଜଗତସିଂହପୁର ଜିଲ୍ଲାରେ ମଧ୍ୟ ଏଭଳି ଠକେଇ କରିଛନ୍ତି। ୫୦ରୁ ଅଧିକ ଲୋକଙ୍କୁ ଓଟିପିସିରେ ନିଯୁକ୍ତି ଲୋଭ ଦେଖାଇ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଠକିନେଇଛନ୍ତି। ପୁଲିସ ମୁଥୁଟ ଫାଇନାନ୍ସରେ ବନ୍ଧକ ଥିବା ୩୪ ଲକ୍ଷର ସୁନା ଅଳଙ୍କାର ଜବତ କରିଥିବା ବେଳେ ନକଲି ନିଯୁକ୍ତି ପତ୍ର, ନକଲି ପରିଚୟପତ୍ର, ବାଇଓମେଟ୍ରିକ ମେସିନ୍, ୭ଟି ଫୋନ୍ ଜବତ ହୋଇଛି। ତେବେ, ଜବତ ସୁନାର ବଜାର ମୂଲ୍ୟ ୬୦ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ରବିବାର ଦରଘାବଜାର ଥାନାରେ ଏ ସଂକ୍ରାନ୍ତରେ ଏଡିସିପି ଅନୀଲ୍ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସମ୍ମିଳନୀରେ ଏସିପି ଅମିତାଭ ମହାପାତ୍ର, ଦରଘାବଜାର ଥାନା ଆଇଆଇସି ଚିନ୍ତେଶ୍ବର ମୁଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/4fsh64fsh564fhfh56.jpg)