କଟକ ସିଡିଏମ୍‌ଓ କାର୍ଯ୍ୟାଳୟରେ ନିଯୁକ୍ତି କେଳେଙ୍କାରୀ! ଏସ୍‌ସି/ଏସ୍‌ଟି ପ୍ରମାଣପତ୍ରରେ ଖଣ୍ଡାୟତଙ୍କୁ ଚାକିରି

ଶତାଧିକଙ୍କୁ ନିଯୁକ୍ତି ଦିଆଯାଇଥିବା ସନ୍ଦେହ

କଟକ: କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ)ଙ୍କ କାର୍ଯ୍ୟାଳୟରେ ବଡ଼ଧରଣର ନିଯୁକ୍ତି କେଳେଙ୍କାରୀ ଏବେ ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଆଧାରରେ ଏଭଳି ଅନିୟମିତତା ଧରାପଡ଼ିଛି। ଆଦିବାସୀ ଜାତି ପ୍ରମାଣପତ୍ର ଦେଇ ଖଣ୍ଡାୟତ ଜାତିର ଲୋକ ଚାକିରି କରିଛନ୍ତି। ଜଣେ ଜଣେ କର୍ମଚାରୀ ଏଭଳି ଜାଲ ଜାତି ପ୍ରମାଣପତ୍ରରେ ୧୮ ବର୍ଷରୁ ଅଧିକ ହେବ କାମ କରୁଛନ୍ତି। ଏଭଳି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଏଥିରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ତଥ୍ୟ ଅନୁଯାୟୀ, ୨୦୦୬ରେ ଜାଲି ଜାତିଗତ ପ୍ରମାଣପତ୍ରରେ ଏଭଳି ନିଯୁକ୍ତି କେଳେଙ୍କାରୀ ହୋଇଛି। ସତ୍ୟପ୍ରିୟ ସାମନ୍ତରାୟ ନାମକ ସ୍ବାସ୍ଥ୍ୟ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ ସୂଚନା ଅଧିକାର ଆଇନ ବଳରେ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା କିଛି କର୍ମଚାରୀଙ୍କ ଜାତିଗତ ପ୍ରମାଣପତ୍ରକୁ ନେଇ ତଥ୍ୟ ମାଗିବା ପରେ ଏହି କେଳେଙ୍କାରୀ ସାମ୍‌ନାକୁ ଆସିଛି।

ଶ୍ରୀ ସାମନ୍ତରାୟ ସୂଚନା ଅଧିକାର ଆଇନ ବଳରେ ‌ ରାଜୀବ କୁମାର ଜେନା, ତପନ କୁମାର ରାଉତ ଓ ରଶ୍ଜିରଂଜନ କହଁରଙ୍କ ସମେତ ୩୦ଜଣ କର୍ମଚାରୀଙ୍କ ଜାତିଗତ ଓ ଅନ୍ୟାନ୍ୟ ପ୍ରମାଣପତ୍ର ସମ୍ପର୍କରେ ତଥ୍ୟ ମାଗିଥିଲେ। ରାଜୀବ ଏବେ କାନପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ବେଳେ ତପନ ରାଉତ ଗୁରୁଡିଝାଟିଆ ଓ ରଶ୍ମିରଂଜନ କହଁର ସୁବର୍ଣ୍ଣପୁର ମେଡିକାଲରେ କାମ କରୁଛନ୍ତି। ସୂଚନା ଅଧିକାରରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ ରାଜୀବ ଜେନା ୮.୬.୨୦୦୬ରେ ଅନୁସୂଚିତ ଜାତି(ଏସ୍‌ସି) କୋଟାରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ଚାକିରି ପାଇଥିଲେ। ‌ସେ ୨୦୧୪ରେ ନିୟମିତ ମଧ୍ୟ ହୋଇଥିଲେ। ତେବେ ରାଜୀବଙ୍କୁ ନେଇ ନରସିଂହପୁର ତହସିଲଦାର ଦେଇଥିବା ଜାତିଗତ ପ୍ରମାଣପତ୍ର ସମସ୍ତଙ୍କୁ ଚକିତ କରିଛି। ରାଜୀବ ଜେନାଙ୍କ ମୂଳ ଜାତିଗତ ପ୍ରମାଣପତ୍ରରେ ଉଲ୍ଲେଖ ଅଛି କି ସେ କାନପୁର ଥାନା ଅନ୍ତର୍ଗତ ମୁରାରୀପୁର ଗ୍ରାମର ସୁବର୍ଣ୍ଣ ଜେନା ଓ ଶ୍ୟାମସୁନ୍ଦର ଜେନାଙ୍କ ପୁଅ। ତାଙ୍କର ଜ‌ାତି ଚଷା।

ସେହିପରି, ଗୁରୁଡିଝାଟିଆ ‌ମେଡିକାଲରେ କାମ କରୁଥିବା ତପନ କୁମାର ରାଉତ ୯.୬.୨୦୦୬ରେ ଅନୁସୂଚିତ ଜନଜାତି(ଏସ୍‌ଟି) କୋଟାରେ ଚାକିରି ପାଇଥିଲେ। ମାତ୍ର, ଆଠଗଡ଼ ତହସିଲ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ତପନ କୁମାର ରାଉତ ହେଉଛନ୍ତି ଖଣ୍ଡାୟତ ଜାତିର। ‌ସେ ଆଠଗଡ଼, ରାଧାଗୋବିନ୍ଦପୁରର ଶାନ୍ତିଲତା ରାଉତ ଓ ରାଜକିଶୋର ରାଉତଙ୍କ ପୁଅ। ସେହିପରି, ସୁବର୍ଣ୍ଣପୁର ମେଡିକାଲରେ କାର୍ଯ୍ୟ କରୁଥିବା ରଶ୍ମିରଂଜନ କହଁର ୯.୬.୨୦୦୬ରେ ଅନୁସୂଚିତ ଜନଜାତି( ଏସ୍‌ଟି) କୋଟାରେ ଚାକିରି ପାଇଥିଲେ। ମାତ୍ର ତିଗିରିଆ ତହସିଲ ଦେଇଥିବା ଜାତିଗତ ପ୍ରମାଣପତ୍ରରୁ ରଶ୍ମିରଂଜନ କହଁର ବାସ୍ତବରେ ଖଣ୍ଡାୟତ ସଂପ୍ରଦାୟର ବୋଲି ଜଣାପଡ଼ିଛି। ଶ୍ରୀ କହଁରଙ୍କ ଘର ତିଗିରିଆ ବିନ୍ଧାଣିମା ଗ୍ରାମରେ। ସେ ହେଉଛନ୍ତି ମଂଜୁଳା କୁ‌ମ‌ାର ଦେଈ ଓ କବିଚନ୍ଦ୍ର କହଁରଙ୍କ ପୁଅ। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଏବେ ୯ଶହ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସମସ୍ତଙ୍କ ଜାତି ପ୍ରମାଣପତ୍ର ଯାଞ୍ଚ ‌କଲେ ରାଜ୍ୟରେ ଚାଲିଥିବା ଏକ ବଡ ନିଯୁକ୍ତି ‌କେଳେଙ୍କାରୀର ହୁଏତ ପର୍ଦ୍ଦାଫାସ ହୋଇପାରିବ।

ସମ୍ବନ୍ଧିତ ଖବର