କଟକ: କନିଷ୍ଠ ଶିକ୍ଷକ (ଜୁନିୟର ଟିଚର) ନିଯୁକ୍ତି ମାମଲାରେ ହାଇକୋର୍ଟ ଜାନୁଆରି ୩୦ ପର୍ଯ୍ୟନ୍ତ ଅଙ୍କୁଶ ଜାରି କରିଛନ୍ତି। ଫଳରେ ସେହି ସମୟ ଯାଏ ସରକାର ନିଯୁକ୍ତି ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ନେଇ ପାରିବେ ନାହିଁ। ହାଇକୋର୍ଟ ମାମଲାର ଶୁଣାଣି କରି ପୂର୍ବରୁ ଜାନୁଆରି ୧୯ରେ ଜାରି ଅନ୍ତରୀଣ ନିର୍ଦ୍ଦେଶ ଜାନୁଆରି ୩୦ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ କହିଛନ୍ତି। ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ସମୟରେ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ସତ୍ୟପାଠ ଦାଖଲ କରାଯାଇଥିଲା। କନିଷ୍ଠ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାୱାରୀ ତାଲିକା ପ୍ରକାଶ କରାଯାଇଛି ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ପୂର୍ବରୁ ଯେଉଁ ତାଲିକା ପ୍ରସ୍ତୁତ କରାଯାଇଥିଲା ତାହା ପ୍ରତ୍ୟାହାର କରାଯାଇଛି କି ନାହିଁ ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। ଅନ୍ୟପକ୍ଷରେ ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଜିଲ୍ଲାୱାରୀ ତାଲିକା ଠିକ ଢଙ୍ଗରେ ପ୍ରସ୍ତୁତ କରାଯାଇ ନାହିଁ। ବାଲେଶ୍ବର ଜିଲ୍ଲା ପାଇଁ ପ୍ରସ୍ତୁତ ତାଲିକା ପ୍ରସଂଗରେ ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଯେଉଁ ପ୍ରାର୍ଥୀ ଅନ୍ୟ ଜିଲ୍ଲାକୁ ପ୍ରଥମ ପ୍ରିଫରେନ୍ସ ଭାବେ ବାଛି ଥିଲେ ତାଙ୍କ ନାଁ ବାଲେଶ୍ବର ଜିଲ୍ଲା ସଂପର୍କିତ ତାଲିକାରେ ସ୍ଥାନ ପାଇଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏଥିସହିତ ଆବେଦନକାରୀଙ୍କ ତରଫରୁ ହାଇକୋର୍ଟରେ ଅତିରିକ୍ତ ସତ୍ୟପାଠ ଦାଖଲ କରାଯାଇଥିଲା। ଉଭୟ ପକ୍ଷଙ୍କ ସହମତିରେ ଜାନୁଆରି ୩୦କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶରେ ଓସେପା ପକ୍ଷରୁ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ ଗୁଡ଼ିକରେ କନିଷ୍ଠ ଶିକ୍ଷକ ପଦ ପୂରଣ ପାଇଁ ୨୦୨୩ ସେପ୍ଟେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୨୪ ଜାନୁଆରି ୧୫ରେ ଓସେପା ତରଫରୁ କନିଷ୍ଠ ଶିକ୍ଷକ ପଦ ପାଇଁ ଚିଠା ମେଧା ତାଲିକା (ଡ୍ରାଫ୍ଟ ମେରିଟ ଲିଷ୍ଟ) ପ୍ରକାଶ ପାଇଥିଲା। କିନ୍ତୁ ନିୟମ ଉଲ୍ଲଂଘନ କରି ଚିଠା ମେଧା ତାଲିକା ପ୍ରସ୍ତୁତ କରାଯାଇଛି ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଗଣଶିକ୍ଷା ବିଭାଗର ବିଜ୍ଞପ୍ତି ତଥା ମୂଳ ନିଯୁକ୍ତି ବିଜ୍ଞପ୍ତିରେ ରହିଥିବା ସର୍ତ୍ତାବଳୀ ପାଳନ ନ କରି ଚିଠା ମେଧା ତାଲିକା ପ୍ରସ୍ତୁତ କରାଯାଇଛି। ଜିଲ୍ଲାୱାରୀ ତାଲିକା ପ୍ରସ୍ତୁତ କରାଯିବାକୁ ଥିବା ବେଳେ ରାଜ୍ୟସ୍ତରରେ ତାଲିକା ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଥିଲା। ଫଳରେ ବହୁ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତି ପ୍ରକ୍ରିୟାରୁ ବାଦ ପଡ଼ିଛନ୍ତି ବୋଲି ଅଭିଯୋଗ ହୋଇଛି। ଜାନୁଆରି ୧୯ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଂଗରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ସମୀର କୁମାର ଦାସ ମାମଲା ପରିଚାଳନା କରୁଛନ୍ତି।