ସମ୍ବଲପୁର : ସରକାରୀ ଆଇଟିଆଇ ଅଛି, ପାଖରେ ପଲିଟେକ୍ନିକ୍ କଲେଜ ବି ଅଛି। ତା’ ସାଙ୍ଗକୁ ଦେଶବିଦେଶରେ ପ୍ରସିଦ୍ଧି ହାସଲ କରିଥିବା ଭିସୁଟ୍। ଏହିସବୁ ଶିକ୍ଷାନୁଷ୍ଠାନରୁ ପ୍ରତିବର୍ଷ ଶହଶହ ସଂଖ୍ୟାରେ ଯୋଗ୍ୟ ଛାତ୍ରଛାତ୍ରୀ ବାହାରୁଛନ୍ତି। ମାତ୍ର, ସେମାନଙ୍କ ନିଯୁକ୍ତିକୁ ପ୍ରାଧାନ୍ୟ ନଦେଇ ବାହାରର ଯୁବକଯୁବତୀଙ୍କୁ ନିଯୁକ୍ତି ଦେଉଛି ହିଣ୍ଡାଲ୍କୋ। ସ୍ଥାନୀୟ ନିଯୁକ୍ତିକୁ ଉପେକ୍ଷା କରି ବାହାରର ଯୁବକଯୁବତୀଙ୍କ ନିଯୁକ୍ତି ବିରୋଧରେ ଏବେ ଅସନ୍ତୋଷର ସ୍ବର ଶୁଣିବାକୁ ମିଳୁଛି। ଏହା ହିଣ୍ଡାଲକୋର ଅଣଓଡ଼ିଆ ପ୍ରୀତି ବୋଲି ସେମାନେ ଅଭିହିତ କରିଛନ୍ତି। ଅାହୁରି ମଧ୍ୟ ଶୁଣିବାକୁ ମିଳୁଛି ଯେ ‘ ଧୂଳିଧୂଅଁା ଖାଇବେ ଓଡ଼ିଆ, ଚାକିରି କରିବେ ଅଣଓଡ଼ିଆ’!
ହୀରାକୁଦରେ ଥିବା ହିଣ୍ଡାଲକୋ କାରଖାନାରେ କିଛିମାସ ତଳେ ଡିପ୍ଲୋମା, ଡିଗ୍ରି ଇଂଜିନିୟର ସହିତ ଅନ୍ୟ କେତେକ ବୈଷୟିକ ପଦରେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ପାଇଥିବା ଅଧିକାଂଶ ପଦରେ ବାହାର ଅଞ୍ଚଳର ଯୁବକ ରହିଥିବା ଜଣାପଡ଼ିଛି। କଂପାନିର କେତେକ ଗୁରୁତ୍ବପୂର୍ଣ୍ଣ ପଦରେ ଅଣଓଡ଼ିଆ ଅଧିକାରୀ ଏବେ କାର୍ଯ୍ୟରତ ରହିଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଅଧିକାରୀଙ୍କ ଜରିଆରେ ଏହି ବାହାରିଆ ଯୁବକମାନେ ନିଯୁକ୍ତି ପାଇଥିବା କହାଯାଇଛି। କାରଖାନା ସ୍ଥାପନ ହେଲେ ଅଂଚଳର ବିକାଶ ହୋଇଥାଏ। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଥମିକତା ମିଳିଥାଏ। ହିଣ୍ଡାଲକୋ କାରଖାନା ଥିବା ହୀରାକୁଦରେ ଗୋଟିଏ ସରକାରୀ ଆଇଟିଆଇ ରହିଥିବା ଜିଲ୍ଲାରେ ଅନ୍ୟ କେତେକ ଅଂଚଳରେ ବି ସରକାରୀ ଓ ଘରୋଇ ଆଇଟିଆଇ ରହିଛି। ରେଂଗାଲିରେ ଏକ ସରକାରୀ ପଲିଟେକ୍ନିକ୍ କଲେଜ ରହିଛି। ବୁର୍ଲାରେ ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରିଥିବା ଭିସୁଟ୍ ବି ରହିଛି। ଏସବୁ ଶିକ୍ଷାନୁଷ୍ଠାନରୁ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଯୋଗ୍ୟ ଛାତ୍ର ଛାତ୍ରୀ ବାହାରୁଛନ୍ତି। ହେଲେ, ହିଣ୍ଡାଲକୋ ସ୍ଥାନୀୟ ଯୋଗ୍ୟ ଯୁବକ ଯୁବତୀଙ୍କୁ ନିଯୁକ୍ତିକୁ ଗୁରୁତ୍ବ ଦେଉନାହିଁ। ବାହାରର ଲୋକଙ୍କୁ ନିଯୁକ୍ତି କ୍ଷେତ୍ରରେ ପ୍ରାଥମିକତା ଦେଉଛି। ପ୍ରାୟତଃ ଶ୍ରମିକ ବର୍ଗରେ କର୍ମଚାରୀ ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦିଆଯାଉଛି। ସେଥିରୁ ପୁଣି ଅଧିକାଂଶ ବିଭିନ୍ନ ଠିକାସଂସ୍ଥା ଜରିଆରେ କାମ କରୁଛନ୍ତି। କେବଳ ସେତିକି ନୁହେଁ, ସ୍ଥାନୀୟ ଓ ବାହର ଲୋକ ସମାନ ପଦରେ କାମ କରୁଥିଲେ ବି ସେମାନଙ୍କ ମଧ୍ୟରେ ଦରମା ତାରତମ୍ୟ ରହୁଥିବା ଅଭିଯୋଗ ହେଉଛି। ଆଗରୁ ଶିଳ୍ପାନୁଷ୍ଠାନଗୁଡ଼ିକ ନିଜର କାରଖାନାର କର୍ମଚାରୀମାନଙ୍କ ସଂପର୍କରେ ଜିଲ୍ଲାପାଳଙ୍କୁ ଏକ ରିପୋର୍ଟ ଦିଆଯାଉଥିଲା। ଉକ୍ତ ରିପୋର୍ଟରେ କେତେଜଣ ସ୍ଥାନୀୟ ବ୍ୟକ୍ତି, କେତେ ରାଜ୍ୟ ଭିତର (ଅନ୍ୟ ଜିଲ୍ଲାର) ତଥା କେତେକ ରାଜ୍ୟ ବାହାରର କର୍ମଚାରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କିଏ କେଉଁ ପଦରେ କାମ କରୁଛନ୍ତି, ତାହାର ସବିଶେଷ ରିପୋର୍ଟ ଦେଉଥିଲେ। ଏବେ, ପ୍ରାୟତଃ ଆଉ କେହି ଦେଉନାହାନ୍ତି। ଜିଲ୍ଲା ପ୍ରଶାସନ ବି ଏହାକୁ ଗୁରୁତ୍ବ ଦେଉନଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ, ପ୍ରତ୍ୟେକ ୩ ମାସରେ ଥରେ ଆର୍ପିଡିଏସି ବୈଠକ ଅନୁଷ୍ଠିତ ହେବାର ନିୟମ ରହିଛି। ମାତ୍ର ନିୟମିତ ବ୍ୟବଧାନରେ ଏହି ବୈଠକ ହେଉନଥିବାରୁ ଏହା ହିଣ୍ଡାଲକୋକୁ ସୁହାଉଛି। କାରଖାନା ଯୋଗୁଁ ଲୋକଙ୍କ ଉନ୍ନତି ହେବା ପରିବର୍ତ୍ତେ ଏବେ ସେମାନଙ୍କୁ ପ୍ରଦୂଷଣ ସମସ୍ୟା, ବେକାରୀ ସମସ୍ୟା ଆଦି ସହିତ ଯୁଝିବାକୁ ପଡ଼ୁଛି। ଏହାକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ଜମାଟ ବାନ୍ଧିବାରେ ଲାଗିଛି।