ୟୁଜିସିର ତାଗିଦ୍‌ ପରେ ଓପିଏସ୍‌ସି ଚେତିଲା: ସ୍ଥଗିତ ରହିଲା ନିଯୁକ୍ତି ପ୍ରକ୍ରିୟା

ଭୁବନେଶ୍ବର : ପଦାର୍ଥ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପଦ ଲାଗି ଜୁନ୍‌ ୪ରେ ହେବାକୁ ଥିବା ସାକ୍ଷାତକାର ପରୀକ୍ଷା ସ୍ଥଗିତ ରହିଛି। ଏଥିସହ ଜୁନ୍‌ ୬ରେ ହେବାକୁ ଥିବା ବାଣିଜ୍ୟ ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟାକୁ ସ୍ଥଗିତ ରଖିଛି ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି)। ଏନେଇ ଆଜି ବିଜ୍ଞପ୍ତି ଜାରି ହୋଇଥିଲେ ମଧ୍ୟ କେଉଁ କାରଣ ଲାଗି ସ୍ଥଗିତ ରଖାଗଲା, ସେନେଇ ଓପିଏସ୍‌ସି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ବରଂ କୁହାଯାଇଛି, ପ୍ରାର୍ଥୀମାନେ ନିୟମିତ ବ୍ୟବଧାନରେ ଆୟୋଗଙ୍କ ୱେବ୍‌ସାଇଟ୍‌ ଯ‌ାଞ୍ଚ କରନ୍ତୁ।

ଦୁଇ ଧାଡ଼ିଆ ବିଜ୍ଞପ୍ତି ପ୍ରକାଶ କରି ଓପିଏସ୍‌ସି ନିଜର କର୍ତ୍ତବ୍ୟ ସାରି ଦେଇଥିବାରୁ ଏବେ ବିଭିନ୍ନ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ଙ୍କ ଚିଠି ପରେ ଓପିଏସ୍‌ସିର ଏଭଳି ନିଷ୍ପତ୍ତି ଘଟଣାକୁ ଅଧିକ ଗୋଳମାଳିଆ କରିଛି। କ’ଣ ପାଇଁ ଓପିଏସ୍‌ସି ଏଭଳି ନିଷ୍ପତ୍ତି ନେଲା? ଏହା ପଛର କାରଣ କ’ଣ? ୟୁଜିସି ଚିଠିର ଚାପ ନା ଆଉ କିଛି? କେଉଁ କାରଣ ଲାଗି ହଠାତ୍‌ ପରୀକ୍ଷା ସ୍ଥଗିତ ରହିଲା, ସେନେଇ କେହି ବି ମୁହଁ ଖୋଲୁନାହାନ୍ତି। ନା ଓପିଏସ୍‌ସି ଅଧିକାରୀ କିଛି କହୁଛନ୍ତି ନା ରାଜ୍ୟ ସରକାର। ସମସ୍ତେ ନିରବ। ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଓ ସଚିବଙ୍କ କଥା ନ କହିବା ଭଲ। ସବୁ ଜାଣି ମଧ୍ୟ ଚୁପ୍‌ ରହୁଛନ୍ତି। ସଚିବ ଶାଶ୍ବତ ମିଶ୍ର ତ ଧରାଛୁଆଁ ଦେଉନାହାନ୍ତି, ଗଣମାଧ୍ୟମକୁ ଭେଟିଲା ମାତ୍ରେ ଏଡ଼ାଇ ଚାଲି ଯାଉଛନ୍ତି। କାହାକୁ କିଛି କହୁନାହାନ୍ତି କି ମୁହଁ ଖୋଲୁନାହାନ୍ତି।

ସୂଚନା ଅନୁଯାୟୀ ପଦାର୍ଥ ବିଜ୍ଞାନ ବିଷୟର ଆସିଷ୍ଟାଣ୍ଟ ପ୍ରଫେସର୍‌ ପଦ ପାଇଁ ହେବାକୁ ଥିବା ସାକ୍ଷାତକାର ପରୀକ୍ଷା ଲାଗି ଗତ ୨୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଦିନ ସୁପ୍ରିମକୋର୍ଟ ରହିତାଦେଶ ଶୁଣାଇଥିଲେ ସେହିଦିନ ହିଁ ଓପିଏସ୍‌ସି ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଜୁନ୍‌ ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସମୟରେ ୧୬୩ଜଣ ପ୍ରାର୍ଥୀଙ୍କ ସାକ୍ଷାତକାର ପରୀକ୍ଷା କରିବାକୁ ଦିନ ଧାର୍ଯ୍ୟ ହୋଇଥିଲା। ସେହିପରି ବାଣିଜ୍ୟ ବିଭାଗର ଆସିଷ୍ଟାଣ୍ଟ୍ ପ୍ରଫେସର ପଦ ପାଇଁ ଚାଲିଥିବା ନିଯୁକ୍ତି ପ୍ରକ୍ରିୟାର ଡକ୍ୟୁମେଣ୍ଟ ଯାଞ୍ଚ ୬ ତାରିଖରେ ହେବା ନେଇ ଗତ ୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଜୁନ୍‌ ୬ରୁ ୧୮ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ୧୮୬ପ୍ରାର୍ଥୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହୋଇଥା’ନ୍ତା। ଓପିଏସ୍‌ସି କାର୍ଯ୍ୟାଳୟରେ କେଉଁ ଦିନ କେତେବେଳେ କାହାର ଡକ୍ୟୁମେଣ୍ଟ ଯାଞ୍ଚ ହେବ, ସେନେଇ ସ୍ପଷ୍ଟ ଭାବେ କୁହାଯାଇଥିଲା।

ସୁପ୍ରିମକୋର୍ଟଙ୍କ ରହିତାଦେଶ ଯୋଗୁଁ ଯଦି ଏହି ପରୀକ୍ଷା ବାତିଲ୍‌ ହୋଇଥାଏ, ଗତ ୨୨ ତାରିଖରେ ନିଯୁକ୍ତି ପାଇଥିବା ସାମାଜିକ ବିଜ୍ଞାନ ବିଷୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ଭାଗ୍ୟ କ’ଣ ହେବ? ସେମାନଙ୍କ ନିଯୁକ୍ତି ପ୍ରକ୍ରିୟା ବାତିଲ୍‌ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। କେବଳ ସେତିକି ନୁହେଁ, ପୁରୀସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟ କୁଳପତି ଚୟନ ପ୍ରକ୍ରିୟା ଅଧାରୁ ବନ୍ଦ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ସମ୍ବନ୍ଧିତ ଖବର