କଟକ: ପଞ୍ଚାୟତିରାଜ ବିଭାଗର ନକଲି ଆଇଏଏସ୍ ଅଫିସର ପ୍ରିୟଙ୍କା ପ୍ରିୟଦର୍ଶିନୀର ନିଯୁକ୍ତି କେଳେଙ୍କାରୀ ଘଟଣାରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ଏକ ନକଲି ବଣ୍ଡ୍ ତା’ ନିକଟରୁ ଜବତ ହୋଇଛି। ଏଥିରେ ୫୦ କୋଟି ଟଙ୍କାର ଅର୍ଥରାଶି କଟକ ବିଡ଼ାନାସୀର ସମର୍ପିତା ଚୌଧୁରୀଙ୍କୁ ମିଳିବା ନେଇ ଦର୍ଶାଯାଇଛି। ଏହି ଟଙ୍କା ମିଳିବା ପରେ ସମସ୍ତ ଆଶାୟୀଙ୍କ ଅର୍ଥରାଶି ଫେରସ୍ତ କରାଯିବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ ଏଥିରେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଦସ୍ତଖତ ଥିବା ଦେଖିବାକୁ ମିଳିଛି। ରାଜ୍ୟରେ ୨ କୋଟିରୁ ଅଧିକ ଟଙ୍କାର ଏହି ନିଯୁକ୍ତି କେଳେଙ୍କାରୀ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ଟି ମାମଲା ରୁଜୁ ହୋଇସାରିଲାଣି। ଏହି ତାଲିକାରେ ଥିବା ବାଲେଶ୍ବର ଜିଲ୍ଲା ସୋର ଥାନା ଅଭଣାର ସଞ୍ଜୀବ କୁମାର ରାଉତଙ୍କ ୧୧ ଲକ୍ଷ ୧୯ ହଜାର ଟଙ୍କା, ଚିରଞ୍ଜିବୀ ରାଉତଙ୍କ ଅଢ଼େଇ ଲକ୍ଷ ଟଙ୍କା, ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ନାଳଗଞ୍ଜର ଅମର ରଞ୍ଜନ ପାତ୍ରଙ୍କ ୪ ଲକ୍ଷ ୫୦ ହଜାର ଟଙ୍କା ଠକେଇ ଘଟଣାର ତଦନ୍ତ କରୁଥିବା ବିଡ଼ାନାସୀ ଥାନା ପୁଲିସ ହାତରେ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି।
ଯେତେବେଳେ ଏହି କେଳେଙ୍କାରୀରେ ଫସିଥିବା ପାଖାପାଖି ୨୦୦ ଜମାକାରୀ ବିଡ଼ାନାସୀର ସମର୍ପିତା ଚୌଧୁରୀଙ୍କ ଘରକୁ ଯାଇଥିଲେ ସେହି ସମୟରେ ସମର୍ପିତା ସେମାନଙ୍କୁ ରିଜର୍ଭ ବ୍ୟାଙ୍କର ଏକ ବଣ୍ଡ୍ ଦେଖାଇ ଟଙ୍କା ଫେରସ୍ତର ପ୍ରତିଶ୍ରୁତି ଦେଇଥିଲେ। ଏହା ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ‘ସୁପର୍ ମଦର୍ କାର୍ଡ’। ଏଥିରେ ୫୦ କୋଟି ଟଙ୍କା ଉଲ୍ଲେଖ ରହିଛି। ବଣ୍ଡ୍ ତଳେ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କ ସମେତ ତତ୍କାଳୀନ ଆରବିଆଇ ଗଭର୍ଣ୍ଣର ଉର୍ଜିତ ଆର. ପଟେଲଙ୍କ ଦସ୍ତଖତ ବି ରହିଛି। ବଣ୍ଡ୍ରେ ସମର୍ପିତାଙ୍କ ନାଁ ସମେତ ସହଯୋଗୀ ନନ୍ଦ ଭୋଇ, ସୁଦର୍ଶନ ବେହେରା, ସତ୍ୟବ୍ରତ ସ୍ବାଇଁ, କାଳନ୍ଦୀ ଚରଣ ମହାନ୍ତି, ନିହାର ରଞ୍ଜନ ଦାସଙ୍କ ନାଁ ଉଲ୍ଲେଖ ରହିଛି। ଏହା କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଉଲ୍ଲେଖ ହୋଇଛି। ଏହି ବଣ୍ଡ୍ ମାଚ୍ୟୁରିଟି ହୋଇଯାଇଥିବା ବେଳେ ଏଥିରେ ଥିବା ୫୦ କୋଟି ଟଙ୍କା ସମର୍ପିତାଙ୍କୁ ମିଳିବାର ଲୋଭ ଏହି ଆଶାୟୀଙ୍କୁ ଦେଖାଇଥିଲେ।
ଅନ୍ୟପଟେ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ଅମିତ କୁମାର ପ୍ରଧାନଙ୍କୁ ନକଲି ଆଇଏଏସ୍ ପ୍ରିୟଙ୍କା ପ୍ରିୟଦର୍ଶିନୀ ରେଳବାଇରେ ଚାକିରି ଦେବାକୁ କହି ୩୦ ଲକ୍ଷ ଟଙ୍କା ଠକି ନେଇଥିବା ବେଳେ ସେ ଖୁବ୍ଶୀଘ୍ର ବିଡ଼ାନାସୀ ଥାନାରେ ତଥ୍ୟ ପ୍ରମାଣ ସହ ଅଭିଯୋଗ କରିବେ ବୋଲି କହିଛନ୍ତି। ହନୁମାନ ପଇସାରେ ୧୦୦ କୋଟି ଟଙ୍କା ଲାଗିଥିବା ବେଳେ ଏହି ଟଙ୍କା ଆସିଲେ ତାଙ୍କୁ ଟଙ୍କା ଫେରସ୍ତ କରିବାକୁ ପ୍ରିୟଙ୍କା ପ୍ରତିଶ୍ରୁତି ଦେଇଥିଲା। ଅନ୍ୟପଟେ ବାଲେଶ୍ବର ଜିଲ୍ଲା ସିମୁଳିଆ ମାର୍କୋଣା ଅଞ୍ଚଳର ବିଭୂତିଭୂଷଣ ବାରିକଙ୍କୁ କୃଷି ବିଭାଗରେ କିରାଣି ଚାକିରି ଦେବାକୁ କହି ୪ ଲକ୍ଷ ୩୦ ହଜାର ଟଙ୍କା ଠକି ନେଇଥିବା ସଂପର୍କରେ ନୂଆ ଅଭିଯୋଗ ଆସିଛି। ମାର୍କୋଣାର ନୀଳାମ୍ବର ବାରିକ ରେଳବାଇର ଟିଟିଇ ଚାକିରି ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ଦେଇଛନ୍ତି। ବିଭୂତି ଓ ନୀଳାମ୍ବର ଭଦ୍ରକ ଜିଲ୍ଲା ପୁଲିସ ନିକଟରେ ଆଜି ଅଭିଯୋଗ କରିଥିବା ବେଳେ ମୂଳ ମାମଲା କଟକ ବିଡ଼ାନାସୀ ଥାନାରେ ଥିବାରୁ ତାହାକୁ ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର କରାଯିବାର ସମ୍ଭାବନା ରହିଛି।