କଟକ/ବଲାଙ୍ଗୀର: ଗ୍ରାମୀଣ ଡାକ ସେବକ (ଜିଡିଏସ୍) ଚାକିରି ପାଇଁ ଜାଲ୍ ସାର୍ଟିଫିକେଟ୍ ଯୋଗାଇଥିବା ଗ୍ୟାଙ୍ଗର ଆଉ ୫ ଜଣଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ ପୁଲିସ। ଗୋଟିଏ ଗୋଟିଏ ଜାଲ୍ ସାର୍ଟିଫିକେଟ୍ ଦେବା ପାଇଁ ଅଭିଯୁକ୍ତମାନେ ନିଯୁକ୍ତି ଆଶାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ଲେଖାଏଁ ନେଇଥିବା ଜଣାପଡ଼ିଛି। ପୂର୍ବରୁ ଏହି କେଳେଙ୍କାରୀରେ ୨୦ ଜଣ ଗିରଫ ହୋଇଥିବା ବେଳେ ଏବେ ଗିରଫ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ, ଡାକ ବିଭାଗର ବଲାଙ୍ଗୀର ଡିଭିଜନ୍ ଅଧୀକ୍ଷକ ରାଜେନ୍ଦ୍ର କୁମାର ପଟ୍ଟନାୟକ ଗ୍ରାମୀଣ ଡାକ ସେବକ (ଜିଡିଏସ୍) ପଦ ପାଇଁ ୬୦ ଆଶାୟୀଙ୍କ ଆବେଦନପତ୍ର ଯାଞ୍ଚ କରିବା ସମୟରେ ୩୮ ଜଣଙ୍କର ମାଟ୍ରିକ୍ ସାର୍ଟିଫିକେଟ୍ ଜାଲ୍ ବୋଲି ଜଣାପଡ଼ିଥିଲା। ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦର ଏହି ସାର୍ଟିଫିକେଟ୍ ବୋଲି ଉଲ୍ଲେଖ କରାଯାଇଥିଲା। ଏହି ଅଭିଯୋଗରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରୋଡ୍ରେ ଥିବା ରିଲାଏନ୍ସ ଏଜୁକେସନାଲ୍ କମ୍ପ୍ଲେକ୍ସର ମନୋଜ କୁମାର ମିଶ୍ର ଓ ସେଣ୍ଟରର କମ୍ପ୍ୟୁଟର ଶିକ୍ଷକ ଆଲୋକ ରଞ୍ଜନ ଉଦ୍ଗାତାଙ୍କ ସମେତ ୨୦ ଜଣଙ୍କୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଥିଲା।
୪୧ ଶିକ୍ଷାନୁଷ୍ଠାନ ନାଁରେ ଜାରି ହୋଇଛି ଜାଲ୍ ସାର୍ଟିଫିକେଟ୍, ମାର୍କସିଟ୍
ପ୍ରମାଣପତ୍ର ଦେବା ପାଇଁ ଦଲାଲ ନେଇଛନ୍ତି ୫ ଲକ୍ଷ ଟଙ୍କା
ମନୋଜ ଓ ଆଲୋକ ଏକ ଗ୍ୟାଙ୍ଗ୍ ଗଢ଼ିଥିଲେ। ୨୦୨୩ ଫେବ୍ରୁଆରିରେ ଡାକ ବିଭାଗ ପକ୍ଷରୁ ଗ୍ରାମୀଣ ଡାକ ସେବକ (ଜିଡିଏସ୍) ପଦବି ପାଇଁ ବିଜ୍ଞାପନ ପ୍ରକାଶ ପରେ ଏଥିରେ ଆବେଦନ କରିବାକୁ ସେମାନେ ପ୍ରାର୍ଥୀଙ୍କୁ ପ୍ରବର୍ତ୍ତାଇଥିଲେ। ଆବେଦନକାରୀଙ୍କୁ ଜାଲ୍ ସାର୍ଟିଫିକେଟ୍ ଯୋଗାଇ ଦେଇଥିଲେ। କ୍ରାଇମ୍ବ୍ରାଞ୍ଚ ଦ୍ବିତୀୟ ପର୍ଯ୍ୟାୟରେ ଏହି ମାମଲାରେ ବଲାଙ୍ଗୀର ଥାନା ମୁରିବାହାଲର କୁଳମଣି ରାଣା, ବଲାଙ୍ଗୀର ସଦର ଥାନା କୁଟମଦୋଳାର ଅଜାଉଦ୍ଦିନ କୁମ୍ଭାର, ଜଗନ୍ନାଥପଡ଼ାର ରଜତ କୁମାର ନାଏକ, ବଲାଙ୍ଗୀର ଥାନା ଅଞ୍ଚଳର ସୁଧୀର ଭୁଏ ଓ ସୁବର୍ଣ୍ଣପୁର ଅଞ୍ଚଳର ତୋଫାନ ବାଗଙ୍କୁ ଗିରଫ କରିଛି।
ଅଭିଯୁକ୍ତମାନେ ନିଯୁକ୍ତି ଆଶାୟୀଙ୍କୁ ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ, ସିକିମ୍, କର୍ଣ୍ଣାଟକ, ନୂଆଦିଲ୍ଲୀ, ବିହାର, ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡର ୪୧ଟି ସ୍କୁଲ୍ ଓ ବିଶ୍ବବିଦ୍ୟାଳୟ ନାଁରେ ସାର୍ଟିଫିକେଟ ଓ ମାର୍କସିଟ୍ ଦେଇଛନ୍ତି। ଏମାନଙ୍କ ନିକଟରୁ ପ୍ରାୟ ୫ ହଜାର ସାର୍ଟିଫିକେଟ୍ ଓ ମାର୍କସିଟ୍ ମିଳିଥିବା ବେଳେ ଆଉ କିଛି ସାର୍ଟିଫିକେଟ୍ ଆଶାୟୀଙ୍କୁ ବିକ୍ରି କରାଯାଇଛି। ୨୦୧୬ ପରଠାରୁ ଏହି ସାର୍ଟିଫିକେଟ୍ ପ୍ରସ୍ତୁତ ହେବା ସହିତ ବିକ୍ରି ହୋଇଛି।
କ୍ରାଇମ୍ବ୍ରାଞ୍ଚ ଏହି ମାମଲାରେ ବିଭିନ୍ନ ପର୍ଯ୍ୟାୟରେ ୩ ଲକ୍ଷ ୬୭ ହଜାର ୬୦୦ ଟଙ୍କା, ଚାରିଟି କମ୍ପ୍ୟୁଟର, ଗୋଟିଏ ଲାପ୍ଟପ୍, ୩ଟି ପ୍ରିଣ୍ଟର୍, ଗୋଟିଏ ସ୍କାନର୍, ଗୋଟିଏ ଜେରକ୍ସ ମେସିନ୍, ଗୋଟିଏ ୨୫୦ ଜିବିର ଏକ୍ସଟରନାଲ୍ ହାର୍ଡଡିସ୍କ, ଦୁଇଟି ମୋବାଇଲ୍ ଫୋନ୍, ବିଭିନ୍ନ କଲେଜ, ବିଶ୍ବବିଦ୍ୟାଳୟ ଓ ସରକାରୀ ଅନୁଷ୍ଠାନର ୩୩ଟି ଜାଲ୍ ରବର୍ ଷ୍ଟାମ୍ପ୍ ଜବତ କରିଛି। ଗଲା ୮ ବର୍ଷ ଭିତରେ ମନୋଜ ଜାଲ୍ ସାର୍ଟିଫିକେଟ୍ ବିକ୍ରି କରି ବଲାଙ୍ଗୀରରେ ୧କୋଟି ୭୦ ଲକ୍ଷ ଟଙ୍କାର ୫ଟି ମୂଲ୍ୟବାନ ଜମି କିଣିଥିବା ବେଳେ ନଗଦ ୪୦ ଲକ୍ଷ ଟଙ୍କା ଜବତ ହୋଇଛି। ୨୦୧୫ରୁ ୨୦୨୩ ଭିତରେ ଜାଲ୍ ସାର୍ଟିଫିକେଟ୍ ବିକ୍ରି କରି ୨ କୋଟି ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ଠୁଳ କରିଛି। ଏହି କେଳେଙ୍କାରୀର ଚେର ବଲାଙ୍ଗୀର ସମେତ ବରଗଡ଼, ଭଦ୍ରକ, ଜଗତସିଂହପୁର, କଟକ, କଳାହାଣ୍ଡି, ଦେବଗଡ଼ ଯାଏଁ ଲମ୍ବିଛି।