ଭୁବନେଶ୍ବର : ଦୀର୍ଘ ୮ମାସ ଧରି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍ସି)ରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ପାଖାପାଖି ୧୪ମାସ ସମୟ ପାଇ ବି ରାଜ୍ୟ ସରକାର ଏହି ଚୌକି ଲାଗି କୌଣସି ଯୋଗ୍ୟ ବ୍ୟକ୍ତି ପାଇପାରିନାହାନ୍ତି। ହେଲେ ଏବେ ନିୟମିତ ଅଧ୍ୟକ୍ଷ (ମୁଖ୍ୟ ନିର୍ବାହୀ)ଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ବା କାମଚଳା ଅଧ୍ୟକ୍ଷ ଆୟୋଗରେ ନିଯୁକ୍ତି ଦେଇପାରିବେ କି? ଓଇଆର୍ସିର କିଛି ଗୁରୁତ୍ବପୂର୍ଣ୍ଣ ପଦବି ପୂରଣ ପ୍ରସଙ୍ଗକୁ ନେଇ ବିଜ୍ଞାପନ ପ୍ରକାଶ ପାଇବା ପରେ ଏଭଳି ଏକ ପ୍ରଶ୍ନ ଦ୍ବନ୍ଦ୍ବ ସୃଷ୍ଟି କଲାଣି। କେବଳ ସେତିକି ନୁହେଁ, ବୈଧ ନିଯୁକ୍ତି ନିୟମାବଳୀ ସରକାରଙ୍କର ଅନୁମୋଦନ ପାଇନଥିବା ବେଳେ କିପରି ଏହି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଗଲା ତାହା ମଧ୍ୟ ବିତର୍କ ବଳୟକୁ ଆସିଲାଣି।
ଏଇଥିପାଇଁ ଯେ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ-୨୦୦୩ ଲାଗୁ ହେବା ପରେ ଓଇଆର୍ସିରେ ଏ ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ବିଭିନ୍ନ ବିଭାଗର ନିର୍ବାହୀ ଓ କର୍ମଚାରୀଙ୍କ ନିଯୁକ୍ତି ଅବୈଧ ବୋଲି ବୁଦ୍ଧିଜୀବୀ ମହଲ ଯୁକ୍ତି କରିଆସୁଛନ୍ତି। ଆଇନ ଦୃଷ୍ଟିରୁ ଏହି ଯୁକ୍ତିକୁ ଅପ୍ରାସଙ୍ଗିକ ବୋଲି ମଧ୍ୟ କୁହାଯାଇପାରୁନାହିଁ।
କାରଣ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଦ୍ୟୁତ୍ ସଂସ୍କାର ଆପଣାଇଥିଲା। ତତ୍କାଳୀନ ଆବଶ୍ୟକତାକୁ ଦେଖି ଓଇଆର୍ସିର କଳେବର ନିର୍ଧାରିତ ହୋଇଥିଲା। ୧୯୯୭ରେ ପ୍ରଣୀତ ନିଯୁକ୍ତି ପଦ୍ଧତି ଓ ଚାକିରି ସର୍ତ୍ତାବଳୀ ନିୟମ ଅନୁଯାୟୀ ଓଇଆର୍ସି ନିଯୁକ୍ତି ଦେଉଥିଲେ। ହେଲେ ସେତେବେଳେ ରାଜ୍ୟରେ ଉପଭୋକ୍ତାଙ୍କ ସଂଖ୍ୟା ୧୦ଲକ୍ଷରୁ କମ୍ ଥିଲା। ଏଣୁ ଏହାକୁ ଦୃଷ୍ଟିରେ ରଖି ଓଇଆର୍ସି ପ୍ରାଶାସନିକ ପରିଚାଳନା ନିମନ୍ତେ ଆବଶ୍ୟକ ନିଯୁକ୍ତି ପ୍ରଦାନ କରିଥିଲେ।
କ’ଣ ପାଇଁ ୧୯୯୭ ନିଯୁକ୍ତି ନିୟମ ପରିବର୍ତ୍ତନ ହେଉନାହିଁ?
୨୦୦୩ ମସିହାରେ କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ ପ୍ରଣୟନ ହେଲା। ସ୍ବାଭାବିକ ଭାବେ ସଂସ୍କାର କାର୍ଯ୍ୟକାରୀ କରୁଥିବା ଓଡ଼ିଶା ସମେତ ବିଭିନ୍ନ ରାଜ୍ୟର ନିଯୁକ୍ତି ଆଇନ ଆପଣାଛାଏଁ ଅଚଳ ହୋଇଯିବା କଥା। ବିଦ୍ୟୁତ୍ ସଂସ୍କାର କାର୍ଯ୍ୟକାରୀ କରୁଥିବା ଅନ୍ୟାନ୍ୟ ରାଜ୍ୟମାନେ େକନ୍ଦ୍ରୀୟ ଆଇନ ଆଧାରରେ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ ନିୟମ ପରିବର୍ତ୍ତନ କଲେ ଓ ଏଯାଏ ତାହାକୁ ଅନୁସରଣ କରିଆସୁଛନ୍ତି। ହେଲେ ଓଡ଼ିଶା୧୯୯୭ର ନିଯୁକ୍ତି ନିୟମ ବେଆଇନ ଭାବେ ଏଠାରେ ବଳବତ୍ତର ରଖିବା ରହସ୍ୟ ସମସ୍ତଙ୍କୁ ଦ୍ବନ୍ଦ୍ବରେ ପକାଇଛି।
କାହିଁକି ଓ କେଉଁମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କେନ୍ଦ୍ରୀୟ ଆଇନକୁ ଆୟୋଗ ଏଯାବତ ଗ୍ରହଣ କରୁନାହାନ୍ତି, ତାହା ବୁଝାପଡ଼ୁନାହିଁ।
ଓଲଟା ଏହାକୁ ଘଣ୍ଟାଚକଟା କରିବା ବେଳେ ଆହୁରି ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନିଜେ ଆୟୋଗ ପୁରୁଣା ଆଇନକୁ ବିଭିନ୍ନ ସମୟରେ କଦର୍ଥ କରି ବାର୍ଷିକ ବିଦ୍ୟୁତ୍ ଟାରିଫ୍ ନିର୍ଧାରଣରେ ପକ୍ଷଭୁକ୍ତ ଏକାଧିକ ସଂସ୍ଥାରୁ ଡେପୁଟେସନରେ କର୍ମଚାରୀଙ୍କୁ ଆଣିଛନ୍ତି। ସେମାନଙ୍କୁ ପରବର୍ତ୍ତୀ ସମୟରେ ଆୟୋଗରେ ସ୍ଥାୟୀ ନିଯୁକ୍ତି ସହିତ ପଦୋନ୍ନତି ଦିଆଯିବାର ଧାରା ଗଡି ଚାଲିଛି। ଏହା ଏବେ ଖୋଦ୍ ଆୟୋଗଙ୍କ ନିରପେକ୍ଷତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି। ବିଦ୍ୟୁତ ସମୀକ୍ଷକମାନେ ପ୍ରଶ୍ନ କରୁଛନ୍ତି ଯେ ଡେପୁଟେସନରେ ଆସିଥିବା କର୍ମଚାରୀମାନେ ଶୁଣାଣି ପ୍ରକ୍ରିୟା ବେଳେ ଉପଭୋକ୍ତାଙ୍କ ସ୍ବାର୍ଥରେ ଯିବେ ନା ନିଜର ମୂଳ କଂପାନିର ସ୍ବାର୍ଥର ସୁରକ୍ଷା ପ୍ରତି ଅଧିକ ମନୋନିବେଶ କରିବେ, ଏ ଗ୍ୟାରେଣ୍ଟି କିଏ ଦେବ? ସମୀକ୍ଷକମାନେ ୨୦୦୩ ପରେ ପୁରୁଣା ନିୟମ ଅନୁଯାୟୀ ନିଯୁକ୍ତି ଓ ପଦୋନ୍ନତି ଦିଆଯାଇଥିବା ପ୍ରକ୍ରିୟାର ଉଚ୍ଚସ୍ତରୀୟ ଅନୁସନ୍ଧାନ ଲାଗି ମଧ୍ୟ ଦାବି କରୁଛନ୍ତି।
ଉଲ୍ଲେଖଥାଉକି, କେନ୍ଦ୍ରୀୟ ବିଦ୍ୟୁତ୍ ଆଇନ ଆଧାରରେ କେନ୍ଦ୍ରୀୟ ବିଦ୍ୟୁତ୍ ନିୟାମକ ଆୟୋଗ ଏବଂ ସଂସ୍କାର କାର୍ଯ୍ୟକାରୀ କରିଥିବା ବିଭିନ୍ନ ରାଜ୍ୟର ନିୟାମକ ଆୟୋଗ ଗୁଡ଼ିକ ଯେଉଁ ଢାଞ୍ଚାରେ ନିଯୁକ୍ତି ପ୍ରଦାନ କରୁଛନ୍ତି, ତାହା ଏଠାରେ ପ୍ରଣିଧାନସାପେକ୍ଷ। ନିୟାମକ ଆୟୋଗର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ସହାୟତା ଓ ପରାମର୍ଶ ଦେବା ପାଇଁ ମୁଖ୍ୟତଃ ତିନିଟି ବିଭାଗ ସୃଷ୍ଟି କରାଯାଇଛି। ଏହି ତିନି ବିଭାଗର ମୁଖ୍ୟ ଭାବେ ଜଣେ ଲେଖାଏଁ ନିର୍ଦେଶକ ନିଯୁକ୍ତି ପାଉଛନ୍ତି। ସେମାନେ ହେଲେ ନିୟାମକ ବ୍ୟାପାର ନିର୍ଦେଶକ, ବୈଷୟିକ ନିର୍ଦେଶକ ଓ ଟାରିଫ୍ ନିର୍ଦେଶକ। ନିୟାମକ ବ୍ୟାପାରର ନିର୍ଦେଶକ ଭାବେ ସାଧାରଣତଃ କେନ୍ଦ୍ରୀୟ ତଥା ବିଭିନ୍ନ ରାଜ୍ୟର ନିୟାମକ ଆୟୋଗରେ ଜଣେ ଅନୁଭୂତି ସଂପନ୍ନ ଆଇନ ବିଶେଷଜ୍ଞଙ୍କୁ ନିଯୁକ୍ତି ଦିଆଯାଉଛି। ସେହିଭଳି ବୈଷୟକ ନିର୍ଦେଶକ ପଦରେ ଦୀର୍ଘ ବର୍ଷର ଅନୁଭୂତି ସଂପନ୍ନ ଜଣେ ବିଦ୍ୟୁତ୍ ଇଞ୍ଜିନିୟର ଓ ଟାରିଫ୍ ନିର୍ଦେଶକ ଭାବେ ଜଣେ ଅଭିଜ୍ଞ ଅର୍ଥ ବିଶାରଦଙ୍କୁ ନିଯୁକ୍ତି ଦିଆଯାଉଛି।
ଏବେ ଓଡ଼ିଶା କଥା ଦେଖିଲେ, ଏଥିରେ ଥିବା ତ୍ରୁଟିବିଚ୍ୟୁତି ଜଳ ଜଳ ପରିଦୃଷ୍ଟ ହେଉଛି। ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗରେ କେନ୍ଦ୍ରୀୟ ଆଇନକୁ ଫାଙ୍କି ତିନିଟି ଯାକ ନିର୍ଦେଶକ ପଦରେ କେବଳ ଯନ୍ତ୍ରୀମାନଙ୍କୁ ନିଯୁକ୍ତି ଦିଆଯାଇଛି। ପରିଣାମସ୍ବରୂପ ଓଡ଼ିଶାରେ ମୂଲ୍ୟଯୁକ୍ତ ବିଦ୍ୟୁତ୍ ଟାରିଫ୍ ନିର୍ଧାରଣରେ ନିରପେକ୍ଷତାକୁ ନେଇ ବର୍ଷ ବର୍ଷ ଧରି ଅଭିଯୋଗ ହୋଇଆସୁଛି।
ବିଶେଷଜ୍ଞଙ୍କ କହିବା କଥା ହେଉଛି, ଭାରପ୍ରାପ୍ତ ଅଧ୍ୟକ୍ଷ ପଦରେ ସଂପ୍ରତି ଜଣେ ଆଇନ ବିଶାରଦ ଥିବାରୁ ଗତବର୍ଷର ଶୁଣାଣିରେ ଆପାତତଃ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ହେଲେ ଟାରିଫ୍ ନିର୍ଦେଶକ ପଦରେ କୌଣସି ଅର୍ଥ ବିଶାରଦ ନ ଥିବାରୁ କୋଟିଏ ଉପଭୋକ୍ତାଙ୍କୁ ନ୍ୟାୟ ଦିଆଯାଇପାରିଲା ନାହିଁ। ଏହାର ଭରପୂର ଫାଇଦା ଉଠାଇ ଆବଣ୍ଟନ କଂପାନିମାନେ କେବଳ ଯେ ଅଧିକ ବିଲ୍ ଅସୁଲ କରୁଛନ୍ତି ତା ନୁହେଁ, ବରଂ ବିଳମ୍ବିତ ବିଲ୍ ପ୍ରଦାନ କାରସାଦିରେ ଉପଭୋକ୍ତାଙ୍କ ଉପରେ ଜିଜିଆ କର କଷି ଚାଲିଛନ୍ତି। ପରିଣାମ ହେଲା, ଦେଶର ଅନ୍ୟାନ୍ୟ କୋଡ଼ିଏ ରାଜ୍ୟ ତୁଳନାରେ (ଜାତୀୟ ହାର ତୁଳନାରେ ମଧ୍ୟ ଅଧିକ) ଓଡ଼ିଶାର ଉପଭୋକ୍ତାମାନେ ଅଧିକ ବିଲ୍ ପୈଠ କରିବାକୁ ବାଧ୍ୟ ହେଉଛନ୍ତି।
ତେବେ ବିଳମ୍ବରେ ହେଲେ ବି ଭାରପ୍ରାପ୍ତ ଅଧ୍ୟକ୍ଷ ଏସବୁ ବ୍ୟତିକ୍ରମକୁ ଦୂର କରିବା ଲକ୍ଷ୍ୟରେ ବିଭିନ୍ନ ପଦବି ପୂରଣ ଲାଗି ବିଜ୍ଞାପନ ଆହ୍ବାନ କରିଛନ୍ତି। ସେଗୁଡିକ ହେଲା- ନିର୍ଦ୍ଦେଶକ (ଟାରିଫ୍), ନିର୍ଦ୍ଦେଶକ (ବୈଷୟିକ), ଯୁଗ୍ମ ନିର୍ଦ୍ଦେଶକ (ଟାରିଫ୍) ଯୁଗ୍ମ ନିର୍ଦ୍ଦେଶକ (ଅର୍ଥନୀତି), କନିଷ୍ଠ ଆଇନ ପରାମର୍ଶଦାତା ଓ ଆୟୋଗଙ୍କ ସଚିବ। ମାତ୍ର ପରିତାପର ବିଷୟ ହେଲା, ୧୯୯୭ର ଅବୈଧ ନିୟମାବଳୀ ଆଧାରରେ ପ୍ରସ୍ତୁତ ଏହି ବିଜ୍ଞାପନରେ ଯୋଗ୍ୟତା ଭିତ୍ତିକ ଅସଙ୍ଗତି ଜଳ ଜଳ ଦିଶୁଛି। ଅନ୍ତତଃ ଏସବୁ ଗୁରୁତ୍ବପୂର୍ଣ୍ଣ ପଦବିରେ ନିଯୁକ୍ତି ଦେବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ସେସବୁ ଅସଙ୍ଗତିକୁ ଦୂର କରିବା ପାଇଁ ଗୁରୁତ୍ବ ଦେବେ ବୋଲି ଶକ୍ତି ସମୀକ୍ଷକ, ବିଦ୍ୟୁତ ବିଶେଷଜ୍ଞ ଓ ଉପଭୋକ୍ତା ଆଶା କରନ୍ତି।