ଜେଲ୍‌ ୱାର୍ଡର୍‌ ପଦରେ ନିଯୁକ୍ତି ସଂକ୍ରାନ୍ତ ମାମଲା: ହାଇକୋର୍ଟଙ୍କ ଜବାବ ତଲବ

କଟକ : ଜେଲ୍‌ ୱାର୍ଡର୍‌ ପଦରେ ନିଯୁକ୍ତି ପାଇଁ ପ୍ରକାଶିତ ବିଜ୍ଞପ୍ତିରେ ସର୍ବାଧିକ ବୟସ ସୀମା ସଂକ୍ରାନ୍ତରେ ରହିଥିବା ସର୍ତ୍ତକୁ ଚାଲେଞ୍ଜ କରି ଦାୟର୍‌ ମାମଲାରେ ହାଇକୋର୍ଟ ଜବାବ ତଲବ କରିଛନ୍ତି। ରାଜ୍ୟ ଗୃହ ବିଭାଗ ଓ ଜେଲ୍‌ ଡିଜିଙ୍କୁ ହାଇକୋର୍ଟ ନୋଟିସ୍ ଜାରି କରିବା ସହିତ ଚାରି ଆବେଦନକାରୀଙ୍କ ଦରଖାସ୍ତକୁ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅଫ୍ ଲାଇନ୍‌ ବ୍ୟବସ୍ଥାରେ ଆବେଦନକାରୀ ଦରଖାସ୍ତ ଦାଖଲ କରିବେ। ଆବେଦନକାରୀଙ୍କୁ ନିଯୁକ୍ତି ପରୀକ୍ଷାରେ ବସିବାକୁ ସୁଯୋଗ ଦିଆଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିପିନ କୁମାର ନାୟକ ଓ ଅନ୍ୟ ତିନିଜଣଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ଶେଷ ସପ୍ତାହକୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ଗୃହ ବିଭାଗ ଅଧୀନରେ ‌୪୦୩ଟି ଜେଲ୍‌ ୱାର୍ଡର୍‌ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ଓ ସର୍ବାଧିକ ୨୫ ବର୍ଷ ଧାର୍ଯ୍ୟ କରାଯାଇଥିଲା। ସର୍ବାଧିକ ବୟସ ସୀମା ସଂପର୍କିତ ଗତ ଜାନୁଆରିର ବିଜ୍ଞପ୍ତିକୁ ଉଲ୍ଲଂଘନ କରି ୱାର୍ଡର୍‌ ପଦ ପାଇଁ ବୟସସୀମା ଧାର୍ଯ୍ୟ କରାଯାଇଛି ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରାଜୀବ ରଥ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର