ବିବାହ ଭୋଜିରେ ଅଇଁଠା ପତ୍ର!

କାଗଜ ପ୍ଲେଟ୍‌ରୁ ଜରି କାଢ଼ି ପୁନର୍ବାର ବିକ୍ରି ହେଉଛି

ଏନଫୋର୍ସମେଣ୍ଟ ପାଇଁ ଚିଠି ଲେଖିବେ ସିଟି ସ୍ୱାସ୍ଥ୍ୟ ଅଧିକାରୀ

ଭୁବନେଶ୍ୱର : ବିବାହ କିମ୍ବା ବ୍ରତଘରରେ ଲୋକମାନେ ଖାଉଥିବା କାଗଜ ପ୍ଲେଟ୍‌ ଅଇଁଠା ପତ୍ରରୁ ତିଆରି ହେଉଛି। ଅର୍ଥାତ ଏହା ପୂର୍ବରୁ ବ୍ୟବହାର ହୋଇସାରିଛି। ବ୍ୟବହୃତ ପତ୍ରରେ ଲୋକମାନେ ପୁଣିଥରେ ଖାଦ୍ୟ ଖାଉଛନ୍ତି। ମାତ୍ର ଅନେକ ଲୋକଙ୍କୁ ଏଭଳି ବ୍ୟବହୃତ କାଗଜ ପ୍ଲେଟ୍‌ ସଂପର୍କରେ କିଛି ଜଣାନାହିଁ।

ଏଭଳି ଚାଞ୍ଚଲ୍ୟକର ଘଟଣା ନଜରକୁ ଆସିଛି। ରାଜଧାନୀର ବିଭିନ୍ନ ସ୍ଥାନରେ କିଛି ଲୋକ ବିବାହ ମଣ୍ଡପ ଓ ବାହାରେ ଫୋପଡ଼ା ଯାଉଥିବା କାଗଜପ୍ଲେଟ୍‌ରୁ ଜରି କାଢ଼ି ଏହାକୁ ପୁଣିଥରେ ବିକ୍ରି କରୁଛନ୍ତି। ଏହି ବ୍ୟବହୃତ କାଗଜ ପ୍ଲେଟ୍‌ର ଦାମ କବାଡ଼ିଆ ବଜାରରେ ୬/୭ଟଙ୍କା ରହିଛି। ତାହା ରାଜଧାନୀ ବାହାରେ ପେଷ୍ଟିଂ ହୋଇ ବଜାରକୁ ଆସୁଛି। ରାଜଧାନୀର ଅନେକ ସ୍ଥାନରେ କିଛି ଜରି ଗୋଟାଳି ଏଭଳି ଆଇଁଠାପତ୍ରରୁ ଜରି ବାହାର କରି କବାଡ଼ିଆ ବଜାରରେ ବିକ୍ରି କରୁଥିବା ଜଣାପଡ଼ିଛି।

ଏବେ ବିବାହ ଋତୁ ଚାଲୁଥିବାରୁ ରାଜଧାନୀର ବିଭିନ୍ନ ମଣ୍ଡପରୁ ଶହ ଶହ ସଂଖ୍ୟାରେ କାଗଜ ପ୍ଲେଟ୍‌ ବାହାରୁଛି। କେତେକ ଏହାକୁ ମଣ୍ଡପ ବାହାରୁ ସଂଗ୍ରହ କରୁଥିବା ବେଳେ ଆଉ କେତେକ ଡମ୍ପିଂ ୟାର୍ଡରୁ ସଂଗ୍ରହ କରୁଛନ୍ତି। ଜଣେ ଜରିଗୋଟାଳିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଇଁଠା କାଗଜପ୍ଲେଟ୍‌ରୁ ଜରି କାଢ଼ି ଦେବା ପରେ ଏହାକୁ ୟୁନିଟ-୩ରେ ଥିବା କବାଡ଼ିଆ ବଜାରରେ ବିକ୍ରି ହେଉଛି। ସେଠାରୁ ଏହି ପ୍ଲେଟ୍‌ କୋଲକାତାକୁ ପଠାଯାଉଛି। ସେଠାରୁ ପୁଣିଥରେ ଏହି ପ୍ଲେଟ୍‌କୁ ପେଷ୍ଟିଂ କରାଯାଉଥିବା ସେ କହିଛନ୍ତି।

ତେବେ ବିଏମ୍‌ସି କିମ୍ବା ସ୍ୱାସ୍ଥ୍ୟ ବିଭାଗ ନିକଟରେ ଏ ସଂପର୍କରେ କୌଣସି ତଥ୍ୟ ନ ଥିବା ଜଣାପଡ଼ିଛି। ବିଏମ୍‌ସିର ସିଟି ସ୍ୱାସ୍ଥ୍ୟ ଅଧିକାରୀ ଡା.ଚନ୍ଦ୍ରିକା ପ୍ରସାଦ ଦାସଙ୍କ କହିବାନୁଯାୟୀ, ଏଭଳି ଘଟଣା ସଂପର୍କରେ ତାଙ୍କ ନିକଟରେ କୌଣସି ତଥ୍ୟ ନାହିଁ। ତେବେ ଏ ସଂପର୍କରେ ବିଏମ୍‌ସିର ଏନ୍‌ଫୋର୍ସମେଣ୍ଟ ସ୍କ୍ଵାଡ୍‌କୁ ଚିଠି ଦିଆଯିବ। ସେମାନେ ଏହାର ଏନ୍‌ଫୋର୍ସମେଣ୍ଟ କରିବେ ବୋଲି ଡା.ଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର