ଆସୁଛି ବନ୍ୟା, ୧୧ ଜିଲ୍ଲାକୁ ସତର୍କ କରାଇଲେ ସରକାର

ହୀରାକୁଦର ୨୫ ଗେଟ୍‌ ଖୋଲାଗଲା

ଭୁବନେଶ୍ୱର: ମହାନଦୀରେ ବନ୍ୟା ପାଣି ମାଡ଼ି ଆସୁଛି। ଆସନ୍ତା ଗୁରୁବାର ସକାଳ ସୁଦ୍ଧା ମୁଣ୍ଡୁଳିରେ ୮ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ। ଫଳରେ ଏକ ମଧ୍ୟମ ଧରଣର ବନ୍ୟା ସାମ୍ନା କରିବେ ଉପକୂଳବାସୀ। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ନଦୀର ତଳମୁଣ୍ଡରେ ଥିବା ଶହ ଶହ ଗ୍ରାମ ଜଳମଗ୍ନ ହେବା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି। ତଳ ଅଞ୍ଚଳର ବନ୍ୟା ପାଣି ସମୁଦ୍ରରେ ପହଞ୍ଚିବା ଆଗରୁ ହୀରାକୁଦର ୨୫ଟି ଗେଟ୍‌ ଖୋଲିବାକୁ ବାଧ୍ୟ ହୋଇଛନ୍ତି ଜଳସଂପଦ ବିଭାଗ। ଏଣୁ ନଦୀରେ ଜଳପତ୍ତନ ଆଜିଠାରୁ ହଠାତ୍‌ ବୃଦ୍ଧି ପାଉଛି। ଆଜି ରାତି ୯ଟାରେ ଖଇରମାଳରେ ମହାନଦୀରେ ସେକେଣ୍ଡ ପିଛା ୪ ଲକ୍ଷ ୭୨ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିଲା। ବରମୂଳଠାରେ ୫ ଲକ୍ଷ ୩୬ ହଜାର ଏବଂ ମୁଣ୍ଡଳି ବ୍ୟାରେଜଠାରେ ୫ ଲକ୍ଷ ୯୨ ହଜାର ଘନଫୁଟ ପାଣି ଚାଲିଥିଲା। ରାତି ୧୨ଟାସୁଦ୍ଧା ଏଠାରେ ୬ଲକ୍ଷ ଘନଫୁଟ ପାଣି ଟପିଯିବ। ପରିସ୍ଥିତିର ଗମ୍ଭୀରତା ଉପଲବ୍ଧି କରି ଆଜି ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁ ପ୍ରସାଦ ସେଠୀ ୧୧ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି। କହିଛନ୍ତି, ୩୦ ତାରିଖ ସକାଳ ସୁଦ୍ଧା ମୁଣ୍ଡୁଳିରେ ୮ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ। ଏଣୁ ସମ୍ବଲପୁର, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଯାଜପୁର ଓ ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ଆଶଙ୍କା ରହିଛି। ଏହାର ମୁକାବିଲା ପାଇଁ ଜରୁରିକାଳୀନ ଯୋଜନା ପ୍ରସ୍ତୁତ କର। ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖ। ପାଓ୍ଵାର ବୋଟ୍‌, ଦେଶୀ ଡଙ୍ଗା ମହଜୁଦ ରହିବା ଦରକାର। ଓଡ୍ରାଫ୍‌ ଓ ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିବା ଉଚିତ୍‌। ଆବଶ୍ୟକସ୍ଥଳେ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପାଇଁ ମଧ୍ୟ କୁହାଯାଇଛି। ଜଳସଂପଦ ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା କହିଛନ୍ତି, ଉପରମୁଣ୍ଡରୁ ଆସୁଥିବା ବନ୍ୟା ଜଳ, ତଳମୁଣ୍ଡରେ ପ୍ରବାହିତ ବନ୍ୟା ଜଳ ଓ ମହାନଦୀ ତ୍ରିକୋଣଭୂମିରେ ବର୍ଷାର ପରିମାଣକୁ ବିଚାରକୁ ନେଇ ହୀରାକୁଦ ନଦୀବନ୍ଧରୁ ଜଳ ନିଷ୍କାସନ ନିଷ୍ପତ୍ତି ନିଆଯାଇଛି। ହୀରାକୁଦର ଜଳପତ୍ତନ ଆଜି ମଧ୍ୟାହ୍ନ ସୁଦ୍ଧା ୬୨୨.୩୧ ଫୁଟ ଥିଲା। ଆସନ୍ତାକାଲି ସୁଦ୍ଧା ହୀରାକୁଦକୁ ସେକେଣ୍ଡ ପ୍ରତି ୫ଲକ୍ଷ କ୍ୟୁସେକ୍‌ ବନ୍ୟା ଜଳ ପ୍ରବେଶ କରିବ। ଏଣୁ ସ୍ଥିତି ଗମ୍ଭୀର ହୋଇପାରେ। ଏଣୁ ଏହି ଜଳ ପହଞ୍ଚିବା ପୂର୍ବରୁ ହୀରାକୁଦର ଜଳପତ୍ତନକୁ ଆୟତ୍ତକୁ ଆଣିବା ଲାଗି ୨୫ଟି ଗେଟ୍‌ ଖୋଲାଯାଇଛି। ଏହା ମାଧ୍ୟମରେ ୪ଲକ୍ଷ ୮ ହଜାର ୫୦୬ ଘନଫୁଟ ଜଳ ନିଷ୍କାସନ କରାଯାଉଛି। ଏହି ସମୟରେ ହୀରାକୁଦ ମଧ୍ୟକୁ ପ୍ରାୟ ୨ଲକ୍ଷ ୯୮ ହଜାର ଘନଫୁଟ ଜଳ ପ୍ରବେଶ କରୁଛି। ଉପରମୁଣ୍ଡରେ ବର୍ଷା କମିଛି। ଛତିଶଗଡ଼ କର୍ତ୍ତୃପକ୍ଷ ଯଦି ଠିକଣା ଢଙ୍ଗରେ ଜଳ ପରିଚାଳନା କରନ୍ତି, ତେବେ ବଡ଼ ବନ୍ୟା ସ୍ଥିତିକୁ ରୋକାଯାଇପାରିବ।

ସାଧାରଣତଃ ଖଇରମାଳ ପାଣି ୨୮ ଘଣ୍ଟା ମଧ୍ୟରେ ମୁଣ୍ଡଳି ପହଞ୍ଚିବ। ଏଣୁ ଆସନ୍ତାକାଲି ଅପରାହ୍ନ ପରେ ମହାନଦୀରେ ୭ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ। ମହାନଦୀର ନରାଜ ଠାରେ ବିପଦ ସଙ୍କେତ ୨୬.୪୧ ମିଟର ରହିଛି। ଏଠାରେ ଆଜି ରାତି ୯ଟା ସୁଦ୍ଧା ବିପଦ ସଙ୍କେତ ତଳେ ଅର୍ଥାତ୍‌ ୨୫.୬୩ ମିଟର ଉପରେ ଜଳ ପ୍ରବାହିତ ହେଉଛି। ଆସନ୍ତାକାଲି ଅପରାହ୍ନରେ ମହାନଦୀ ବିପଦ ସଙ୍କେତ ଅତିକ୍ରମ କରିପାରେ। ଉଲ୍ଲେଖଯୋଗ୍ୟ, ମହାନଦୀର ଉପର ଓ ଠିକ୍‌ ତଳମୁଣ୍ଡରେ ଗତ ଦୁଇଦିନ ଧରି ବଡ଼ ବର୍ଷା ହୋଇଛି। ଏହାର ପରିଣାମରେ ଛତିଶଗଡ଼ରୁ ବନ୍ୟା ଜଳ ଛଡାଯାଇଛି। ଏପଟେ ତେଲ ଦେଇ ମଧ୍ୟ ୪ଲକ୍ଷ କ୍ୟୁସେକ୍‌ ଜଳ ମହାନଦୀରେ ପ୍ରବେଶ କରୁଥିଲା। ଏବେ ତେଲ ନଦୀରେ ଜଳ କମିବାରେ ଲାଗିଛି।

ସମ୍ବନ୍ଧିତ ଖବର